ସାତକୋଶିଆ ESZ ବିଜ୍ଞପ୍ତି ବିବାଦ

ସାତକୋଶିଆ ESZ ବିଜ୍ଞପ୍ତି ବିବାଦ :ଜୀବିକା ସୁରକ୍ଷା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ୨୦୫ ଗ୍ରାମର ପ୍ରତିନିଧି ଓ ଗ୍ରାମବାସୀ !ଆଠମଲ୍ଲିକ, ୮/୬ :-ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟ ଏବଂ ପ୍ରସ୍ତାବିତ ପରିବେଶ-ସମ୍ବେଦନଶୀଳ କ୍ଷେତ୍ର (ESZ) ର ଚତୁଃପାର୍ଶ୍ୱରେ ଥିବା ୨୦୫ଟି ସନ୍ନିହିତ ଗ୍ରାମର ବାସିନ୍ଦା ଓ ଜନ ପ୍ରତିନିଧିମାନେ ନିଜର ଜୀବିକା ଏବଂ ଅର୍ଥନୈତିକ ସୁରକ୍ଷାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। କେନ୍ଦ୍ର ପରିବେଶ, ବନ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ (MOEFCC) ଦ୍ଵାରା ପ୍ରକାଶିତ ପ୍ରସ୍ତାବିତ ଖସଡ଼ା ବିଜ୍ଞପ୍ତିର କେତେକ ଅସ୍ପଷ୍ଟ ତଥା ଜନବିରୋଧୀ ନୀତିକୁ ବିରୋଧ କରି ଆଜି ଶତାଧିକ ସ୍ଥାନୀୟ ପ୍ରତିନିଧି ଅନୁଗୁଳ ଜିଲ୍ଲାପାଳଙ୍କ ଜରିଆରେ କେନ୍ଦ୍ର ସରକାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଗ୍ରାମବାସୀମାନେ ସଂରକ୍ଷଣର ବିରୋଧୀ ନୁହନ୍ତି, ବରଂ ନିଜକୁ ପ୍ରକୃତିର “ପ୍ରଥମ ପ୍ରହରୀ” ବୋଲି ଅଭିହିତ କରିବା ସହ ବିଜ୍ଞପ୍ତିରେ କେତେକ ଜରୁରୀ ସଂଶୋଧନ ପାଇଁ ଦାବି କରିଛନ୍ତି। ଜୀବିକା ଉପରେ କୁଠାରଘାତ ଆଶଙ୍କାଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ବିଜ୍ଞପ୍ତିର ଅନୁସୂଚୀ-୧୯ରେ “ବାଣିଜ୍ୟିକ ନିର୍ମାଣ” ଶବ୍ଦର କୌଣସି ସ୍ପଷ୍ଟ ସଂଜ୍ଞା ନାହିଁ। ଏହାଦ୍ଵାରା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ (SHG) ଦ୍ଵାରା ପରିଚାଳିତ କିଓସ୍କ, ହୋମଷ୍ଟେ, ନୌକା ବିହାର ଏବଂ ସାମୁଦାୟିକ ଭୋଜନାଳୟ ଭଳି କ୍ଷୁଦ୍ର ଜୀବିକା ପ୍ରକଳ୍ପଗୁଡ଼ିକୁ ବନ୍ଦ କରିଦିଆଯିବାର ଭୟ ସୃଷ୍ଟି ହୋଇଛି। ସେହିପରି, ଜୋନାଲ ମାଷ୍ଟର ପ୍ଲାନ (ZMP) ପ୍ରସ୍ତୁତ ନେଇ କୌଣସି ନିର୍ଦ୍ଦିଷ୍ଟ ସମୟସୀମା କିମ୍ବା ନୋଡାଲ ସଂସ୍ଥା ଚିହ୍ନଟ କରାଯାଇ ନାହିଁ, ଯାହା ସ୍ଥାନୀୟ ବିକାଶକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାଧାପ୍ରାପ୍ତ କରିବ। ସେହିପରି କେନ୍ଦ୍ର ସରକାରଙ୍କ ଜାତୀୟ ଇକୋ-ଟୁରିଜିମ୍ ନୀତିକୁ ଏହି ବିଜ୍ଞପ୍ତିରେ ଅଣଦେଖା କରାଯାଇଥିବା ବେଳେ ବନ ବିଭାଗ ଓ ପର୍ଯ୍ୟଟନ ବିଭାଗ ମଧ୍ୟରେ ସମନ୍ବୟର ଅଭାବ ଥିବା ନେଇ ସ୍ମାରକପତ୍ରରେ ଦର୍ଶାଯାଇଛି। ୬ଟି ପ୍ରମୁଖ ସଂଶୋଧନ ପାଇଁ ଦାବିଆନ୍ଦୋଳନ କାରୀ ମାନେ ବିଜ୍ଞପ୍ତିରେ ୬ଟି ନିର୍ଦ୍ଦିଷ୍ଟ ସଂଶୋଧନ ପାଇଁ ଦାବି କରିଛନ୍ତି: ୩୦ ଦିନ ମଧ୍ୟରେ ଷ୍ଟିୟରିଂ କମିଟି ଗଠନ ହେଉ ଓ ୧୨ ମାସରେ ମାଷ୍ଟର ପ୍ଲାନ ପ୍ରସ୍ତୁତ ! ୭୨ ଘଣ୍ଟା ମଧ୍ୟରେ ଅପସାରଣ ଯୋଗ୍ୟ, କାଠ ବାଉଁଶ ନିର୍ମିତ କ୍ଷୁଦ୍ର କାର୍ଯ୍ୟକଳାପକୁ ଅନୁମତି ମିଳୁ। ସରକାରୀ ଯୋଜନା, ମହିଳା ସଙ୍ଗଠନ ଓ ସାମୁଦାୟିକ ଭିତ୍ତିଭୂମିକୁ “ବାଣିଜ୍ୟିକ” ପରିଭାଷାରୁ ମୁକ୍ତ ରଖାଯାଉ। ସଫାରି, ପ୍ରକୃତି ଭ୍ରମଣ, ହୋମଷ୍ଟେ ଓ ସ୍ଥାନୀୟ ହସ୍ତଶିଳ୍ପକୁ ‘ପ୍ରୋତ୍ସାହିତ କାର୍ଯ୍ୟକଳାପ’ରେ ସାମିଲ କରାଯାଉ। ବ୍ୟାଘ୍ର ସଂରକ୍ଷଣ ଯୋଜନା (TCP) ର ବଫର ଜୋନରେ ଚାଲୁଥିବା ସମସ୍ତ ଗତିବିଧିକୁ ESZ ଅଧୀନରେ ବୈଧ କରାଯାଉ। ସ୍ଥାନୀୟ ପ୍ରସଙ୍ଗରେ ତୁରନ୍ତ ଏକ ଜିଲ୍ଲାସ୍ତରୀୟ ମିଳିତ ଆଲୋଚନା ବୈଠକ ଡକାଯାଉ। ପ୍ରଶାସନକୁ ଚେତାବନୀ: ‘ପଲାମୁ’ ଭଳି ସ୍ଥିତି ଉପୁଜିବଯଦି ସ୍ଥାନୀୟ ଲୋକଙ୍କ ସମସ୍ୟାର ସମାଧାନ ନକରି ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଏ, ତେବେ ସାତକୋଶିଆ ଅଞ୍ଚଳରୁ ବ୍ୟାପକ ସଂଖ୍ୟାରେ ଯୁବପିଢ଼ୀ ଦାଦନ ଖଟିବାକୁ ବାହାରକୁ ପଳାଇବେ। ଏହାସହ ଝାଡ଼ଖଣ୍ଡର ‘ପଲାମୁ ବ୍ୟାଘ୍ର ଅଭୟାରଣ୍ୟ’ ଭଳି ଏଠାରେ ମଧ୍ୟ ଜନସାଧାରଣ ଓ ପ୍ରଶାସନ ମଧ୍ୟରେ ବିବାଦ ଉଗ୍ର ରୂପ ନେବ ବୋଲି ପ୍ରତିନିଧିମାନେ ଚେତାବନୀ ଦେଇଛନ୍ତି।ଜିଲ୍ଲାପାଳଙ୍କ ଜରିଆରେ ଏହି ଦାବିପତ୍ର ନୂଆଦିଲ୍ଲୀସ୍ଥିତ MOEFCC ର ସଚିବ, ଓଡ଼ିଶାର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (PCCF Wildlife) ଏବଂ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯାଇଛି। ସାତକୋଶିଆ ପ୍ରଜା ସୁରକ୍ଷା ସମିତି ସଭାପତି ଜନାର୍ଦ୍ଦନ ସାହୁ, ଟିକରପଡା ସରପଞ୍ଚ ସୌମ୍ୟରଂଜନ ସାହୁ, ପୁରୁଣାକୋଟ ସରପଞ୍ଚ ରଶ୍ମିତା ବିଶୋଇ, ଜଗନ୍ନାଥପୁର ସରପଞ୍ଚ ବନିତା ମହାଳିକ, ସରପଞ୍ଚ ଟାଇଁଶୀ ସୌଦାମିନୀ ପ୍ରଧାନ, ପ୍ରଫୁଲ ଦେହୁରୀ, ଜଗନ୍ନାଥପୁର ଗ୍ରାମ୍ୟ କମିଟି ସଭାପତି ନବକିଶୋର ସାହୁ, ପୁରୁଣାକୋଟ ଗ୍ରାମ୍ୟ କମିଟି ସଭାପତି ବରୁଣ ବିଶୋଇ, ସାତକୋଶିଆ କ୍ଷତିଗ୍ରସ୍ତ ପ୍ରଜା ସୁରକ୍ଷା ସମିତି ଉପସଭାପତି କୀର୍ତ୍ତନ ପ୍ରଧାନ ଇତ୍ୟାଦି ଙ୍କ ନେତୃତ୍ୱରେ ଶତାଧିକ ସାତକୋଶିଆ ଅଞ୍ଚଳ ଗ୍ରାମବାସୀ ଜିଲ୍ଲାପାଳ ଅବଦଲ ଏମ ଅକତାର ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ l

Leave a Reply

Your email address will not be published. Required fields are marked *