ଅବଧି ସରିବା ପରେ ବି ସରୁନି ବହୁମୁଖି ଗୃହ ନିର୍ମାଣ

କୋଣାର୍କ : କୋଣାର୍କ ଏନଏସି ମାଉସୀମା ସାହିରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଗତ ୨ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଚାଲିଥିବା ବେଳେ ବହୁମୁଖୀ ଗୃହ ନିର୍ମାଣରେ ଅହେତୁକ ବିଳମ୍ବ ଯୋଗୁଁ କାର୍ଯ୍ୟରେ ମନ୍ଥରତା ଓ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଭାବେ ପଡି ରହିଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ କୋଣାର୍କ ଏନଏସି ପକ୍ଷରୁ ବହୁମୁଖି ନୂତନ ଗୃହ ପାଇଁ ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ପକ୍ଷରୁ ଗତ ୨୦୨୪ ମସିହାରେ ୬କୋଟି ଟଙ୍କା ବ୍ୟୟ ବରାଦ କରାଯାଇ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ କୋଣାର୍କ ବସଷ୍ଟାଣ୍ଡ ନିକଟ ମାଉସୀମା ସାହିଠାରେ ବହୁମୁଖୀ ଗୃହ ନିର୍ମାଣ କାର୍ଯ୍ଯ ଆରମ୍ଭ କରାଯାଇଥିଲା। ଏହି କାମ ଆରମ୍ଭ ହେବାର ୨ ବର୍ଷ ୩ମାସରୁୁ ଉର୍ଦ୍ଧ ସମୟ ବିତିଯାଇଥିଲେ ମଧ୍ୟ ଗୃହ ନିର୍ମାଣ କାର୍ଯ୍ଯରେ ଅହେତୁକ ବିଳମ୍ବ ନେଇ ସାଧାରଣରେ ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟଦକ୍ଷତା ପ୍ରତି ଅଂଗୁଳି ନିର୍ଦେଶ କରୁଛି ବୋଲି ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ନିମାପଡ଼ା ଡିଭିଜନ ଅନ୍ତର୍ଭୁକ୍ତ ଏହି କାର୍ଯ୍ୟ ଠିକାଦାର ପ୍ରତି ଅହେତୁକ ଅନୁକମ୍ପା ନୀତି ଯୋଗୁଁ କାର୍ଯ୍ୟର ଅବଧି ଶେଷ ହୋଇଯାଇଥିଲେ ମଧ୍ୟ ଦାୟିତ୍ବରେ ଥିବା ଅଧିକାରୀ ଠିକାଦାର ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ନେଇ କୋଣାର୍କ ଅଞ୍ଚଳର ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ମଧ୍ୟରେ ବିଭାଗର ପାରିବାପଣିଆ ପ୍ରତି ସନ୍ଦେହ ସୃଷ୍ଟି ହୋଇଛି। ଭିତ୍ତିପ୍ରସ୍ତର ସ୍ଥାପନରେ ୧୫ ମାସ ଭିତରେ ଏହି ନିର୍ମାଣ କାର୍ଯ୍ୟ ଶେଷ ହେବା କଥା। ଅବଧି ଶେଷ ହୋଇଯାଇଥିଲେ ମଧ୍ୟ ବହୁମୁଖୀ ନୂତନ ଗୃହ ନିର୍ମାଣ କାର୍ଯ୍ଯ ସଂପୂର୍ଣ୍ଣ ହୋଇପାରି ନାହିଁ । ଜଣେ ଅପାରଗ ଓ ଅନଭିଜ୍ଞ ଠିକାଦାର ଏହି ନିର୍ମାଣ କାର୍ଯ୍ୟ କରୁଥିବା ହେତୁ ଏପରି ବିଳମ୍ବ ହେଉଛି। ଏହି ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ନେଇ ବିଭାଗୀୟ ଉଦାସୀନତା ନୀତି ଆପଣାଇ ଦାୟିତ୍ବରେ ଥିବା ଠିକାଦାରଙ୍କ ପ୍ରତି ଅନୁକମ୍ପା ନୀତି ପ୍ରଦର୍ଶନ କରିବା ଗ୍ରାମ୍ୟ ଉନ୍ନୟନ ବିଭାଗର ପାରିବାପଣିଆ କୁ ପଦାରେ ପକାଇଛି ।ଏହି ନିର୍ମାଣ କାର୍ଯ୍ୟ ଆରମ୍ଭ ସମୟରେ ପାଇଲିଙ୍ଗ କାମରେ ନିମ୍ନମାନର ସିମେଣ୍ଟ, ସମୁଦ୍ର ଲୁଣା ବାଲି , ପରିସରରେ ଥିବା ପୋତା ବାଲି, ନିମ୍ନ ମାନର ସିମେଣ୍ଟ ଇଟା ଓ ନିମ୍ନମାନର ରଡ ବ୍ୟବହାର କରାଯାଇ କାମ କରାଯାଇଥିଲା ବେଳେ ବହୁମୁଖୀ ନୂତନ ଗୃହର ସ୍ଥାୟୀତ୍ବ ନେଇ ସନ୍ଦେହ ସୃଷ୍ଟି ହେବା ସହ ଅସନ୍ତୋଷ କୁହୁଳି ବାରେ ଲାଗିଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଏହି କାମ ସମୟରେ ବିଭାଗୀୟ ଅଧିକାରୀ ଅନୁପସ୍ଥିତି ରହି ବିଭାଗୀୟ ଚତୁର୍ଥ ଶ୍ରେଣୀର କର୍ମଚାରୀ ମାନଙ୍କୁ ନିର୍ମାଣ ସ୍ଥଳୀକୁ ପଠାଇବା ଯୋଗୁଁ ଠିକାଦାର ମନମୁଖୀ ଓ ଖାମଖିଆଲି ମନୋଭାବ ପୋଷଣ କରି ନିମ୍ନମାନର ସାମଗ୍ରୀ ବ୍ୟବହାର କରି କାମ କରିବା ଘଟଣାର ମାନ ପରୀକ୍ଷା ପୂର୍ବକ ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଗ୍ରାମ୍ଯ ଉନ୍ନୟନ ମନ୍ତ୍ରୀ, ବିଭାଗୀୟ ସଚିବ ଓ ପୁରୀ ଜିଲ୍ଲାପାଳଙ୍କୁ କୋଣାର୍କ ଅଞ୍ଚଳର ସାମାଜିକ କର୍ମୀ, ସଚେତନ ନାଗରିକ, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଓ କୋଣାର୍କ ଅଞ୍ଚଳର ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି। ଏ ସଂପର୍କରେ ନିମାପଡା ଗ୍ରାମ୍ୟ ନିର୍ମାଣ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ମୌସୁମୀ ମିଶ୍ରଙ୍କୁ ପଚାରିବାରେ ସେ କୁହନ୍ତି ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବା ପରେ ଠିକାଦାରଙ୍କୁ ନୋଟିସ ଜାରି କରାଯାଇ କାମ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବା ପାଇଁ ତାଗିଦ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *