ଖବର ପ୍ରସାରଣ ପାଇଁ ଆକ୍ରୋଶର ଶିକାର ହେଲେ ସାମ୍ବାଦିକ!
ମାଲକାନଗିରି, ୯ ଜୁନ: ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ପରିଚିତ ସାମ୍ବାଦିକତା ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆସିଛି। ମାଲକାନଗିରି ଜିଲ୍ଲାର ବାଲିମେଳା ଅଞ୍ଚଳର ସାମ୍ବାଦିକ ସନ୍ତୋଷ ସେଠୀଙ୍କୁ ପୋଲିସ ଦ୍ୱାରା ରାତିଅଧରେ ଘରୁ ଉଠାଇ ନେଇ ଥାନାରେ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ସାମ୍ନାକୁ ଆସିବା ପରେ ସମଗ୍ର ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି। ଏହି ଘଟଣାକୁ ନେଇ ସାମ୍ବାଦିକ ମହଲ,ବୁଦ୍ଧିଜୀବୀ ଏବଂ ସାମାଜିକ ସଂଗଠନମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।ଅଭିଯୋଗ ଅନୁଯାୟୀ, ବାଲି ଚୋରାଚାଲାଣ ଓ ବାଲିମାଫିଆଙ୍କ କାର୍ଯ୍ୟକଳାପକୁ ନେଇ ଲଗାତାର ଖବର ପ୍ରସାରଣ କରୁଥିବା ସାମ୍ବାଦିକ ସନ୍ତୋଷ ସେଠୀ କିଛିଦିନ ହେବ ଧମକଚମକର ସମ୍ମୁଖୀନ ହେଉଥିଲେ। ଗତ ରବିବାର ବିଳମ୍ବିତ ରାତିରେ ଚିତ୍ରକୋଣ୍ଡା ଏସଡିପିଓଙ୍କ ନେତୃତ୍ୱରେ ପୋଲିସ ତାଙ୍କ ଘରେ ପହଞ୍ଚିଥିଲା। ସନ୍ତୋଷଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ଯେ, କବାଟ ନ ଖୋଲିବାରୁ ପୋଲିସ ଜବରଦସ୍ତ କବାଟ ଭାଙ୍ଗି ଘରେ ପ୍ରବେଶ କରିଥିଲା ଏବଂ ତାଙ୍କୁ ଉଠାଇ ନେଇଥିଲା। ଏପରିକି ତାଙ୍କ ବୃଦ୍ଧା ମା’ଙ୍କ ସହ ମଧ୍ୟ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି।ସନ୍ତୋଷ ସେଠୀଙ୍କ ଦାବି ଅନୁଯାୟୀ, ଥାନାକୁ ନେବା ପରେ ତାଙ୍କୁ ଅଟକ ରଖି ମାରପିଟ କରାଯାଇଥିଲା ଏବଂ ଥାର୍ଡ ଡିଗ୍ରୀ ପ୍ରୟୋଗ କରାଯାଇଥିଲା। ଏହା ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିବା ମଧ୍ୟ ଅଭିଯୋଗ କରିଛନ୍ତି। ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅବନତି ଘଟିବାରୁ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଥିବା ଜଣାପଡ଼ିଛି।ତେବେ ଏହି ସମସ୍ତ ଅଭିଯୋଗକୁ ଚିତ୍ରକୋଣ୍ଡା ଏସଡିପିଓ ପ୍ରଦୋଷ ପ୍ରଧାନ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି। ତାଙ୍କ କହିବା ଅନୁସାରେ, ସନ୍ତୋଷ ସେଠୀଙ୍କ ନାମରେ ବାଲି ବୋଝେଇ ଗାଡ଼ି ଅଟକାଇ ଟଙ୍କା ଦାବି କରିବା ସହ ଅନ୍ୟାନ୍ୟ ଅଭିଯୋଗ ରହିଥିଲା। ସେହି ଅଭିଯୋଗ ଆଧାରରେ ତାଙ୍କୁ କେବଳ ପଚରାଉଚରା ପାଇଁ ଥାନାକୁ ଅଣାଯାଇଥିଲା। ପଚରାଉଚରା ଶେଷ ହେବା ପରେ ତାଙ୍କୁ ଛାଡ଼ି ଦିଆଯାଇଥିଲା ଏବଂ ପୋଲିସ ପକ୍ଷରୁ କୌଣସି ପ୍ରକାର ଥାର୍ଡ ଡିଗ୍ରୀ ପ୍ରୟୋଗ କରାଯାଇନଥିବା ସେ ସ୍ପଷ୍ଟ କରିଛନ୍ତି।ଏହି ଘଟଣା ପରେ ସନ୍ତୋଷ ସେଠୀ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଲିଖିତ ଅଭିଯୋଗ ଦାଖଲ କରି ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ଅନ୍ୟପଟେ ବିଭିନ୍ନ ସାମ୍ବାଦିକ ସଂଗଠନ ଘଟଣାକୁ ଗୁରୁତର ଭାବେ ନେଇ ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ଦାବି କରିଛନ୍ତି।ଘଟଣାକୁ ନେଇ ଏବେ ଦୁଇଟି ଭିନ୍ନ ଭିନ୍ନ ଦାବି ସାମ୍ନାକୁ ଆସିଛି। ଗୋଟିଏ ପଟେ ସାମ୍ବାଦିକଙ୍କ ନିର୍ଯାତନା ଅଭିଯୋଗ, ଅନ୍ୟପଟେ ପୋଲିସର ସଫେଇ। ଏଭଳି ପରିସ୍ଥିତିରେ ପ୍ରକୃତ ସତ୍ୟ କ’ଣ, ତାହା ନିରପେକ୍ଷ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।
