ପ୍ରଧାନମନ୍ତ୍ରୀଙ୍କ ୭୫ତମ ଜନ୍ମଦିବସରେ ସାରା ଦେଶରେ ରୋପଣ ହେବ ୧.୫ କୋଟି ଚାରା

ପ୍ରଧାନମନ୍ତ୍ରୀଙ୍କ ୭୫ତମ ଜନ୍ମଦିବସରେ ସାରା ଦେଶରେ ରୋପଣ ହେବ ୧.୫ କୋଟି ଚାରା ଓଡ଼ିଶାରେ ଗୋଟିଏ ଦିନରେ ରୋପିତ ହେବ ୭୫ ଲକ୍ଷ ଚାରା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ବିଗତ ୪୫ ଦିନରେ ପୋତିଛି ୪.୭ କୋଟି ଚାରା ଚାରାର ଉପଯୁକ୍ତ ଯତ୍ନ ନେବା ସହ ମେରୀ ଲାଇଫ ପୋର୍ଟାଲରେ ଅପଲୋଡ କରିବା ପାଇଁ ଜଙ୍ଗଲ ମନ୍ତ୍ରୀଙ୍କ ଅନୁରୋଧ ଭୁବନେଶ୍ୱର ତା. ୧୬.୦୯.୨୦୨୫: ସେପ୍ଟେମ୍ବର ୧୭, ୨୦୨୫ (ବୁଧବାର) ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ

ଜନ୍ମଦିବସ ଏବଂ “ଏକ ପେଡ୍ ମା କେ ନାମ” ଦ୍ୱିତୀୟ ସଂସ୍କରଣ ଅଭିଯାନ ଅନ୍ତର୍ଗତ ସାରା ଦେଶରେ ୧.୫ କୋଟି ଚାରା ରୋପଣ କରାଯିବାକୁ ଥିବା ବେଳେ ଓଡିଶା ସରକାର ରାଜ୍ୟର କୋଣ ଅନୁକୋଣରେ ଏକକାଳୀନ ରେକର୍ଡ ୭୫ ଲକ୍ଷ ଚାରା ରୋପଣ କରି ଓଡିଶାକୁ ସବୁଜ-ସୁନ୍ଦର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ରାଜ୍ୟବ୍ୟାପୀ ଚାରା ରୋପଣ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଆଜି ଲୋକସେବା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ପୃଥିବୀର ଅସ୍ତିତ୍ୱ, ପ୍ରାଣୀଜୀବନର ସୁରକ୍ଷା, ଜଳବାୟୁ ପରିବର୍ତ୍ତନ ରୋକିବା ଏବଂ ତାପମାତ୍ରା ବୃଦ୍ଧିକୁ ରୋକିବା ଆଦି ସମସ୍ତ କିଛି ବୃକ୍ଷ ସହିତ ଏକାନ୍ତ ଭାବେ ଜଡିତ । “ବୃକ୍ଷ” କେବଳ ପ୍ରାକୃତିକ ସମ୍ପଦ ନୁହେଁ, ବରଂ ମାନବଜୀବନର ରକ୍ଷାକର୍ତ୍ତା ବୋଲି ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ କହିବା ସହିତ ଝାରସୁଗୁଡା, ତାଳଚେର, କଳିଙ୍ଗ ନଗର ଭଳି ଶିଳ୍ପାଂଚଳ, ସ୍ୱଳ୍ପ ବୃଷ୍ଟିପାତ ହେଉଥିବା ଅଂଚଳ, ଟାଙ୍ଗରା ଭୂମିରେ ଅଧିକରୁ ଅଧିକ ଚାରା ରୋପଣ କରିବା ସହିତ ଏହାର ଉପଯୁକ୍ତ ଯତ୍ନ ନେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । କଥାରେ ଅଛି ଛୁଆ ଟିଏ ଜନ୍ମ କରିଦେଲେ ହେବନି, ଛୁଆକୁ ମଣିଷ କରିବା ଗୁରୁତ୍ୱପୂର୍ଣ୍ଣ । ଠିକ ସେହିପରି ଚାରା ଟିଏ ରୋପଣ କରିଦେଲେ ହେବନି ଏହାକୁ କିପରି ବୃକ୍ଷରେ ରୂପାନ୍ତରିତ କରିବା ସେ ଦିଗରେ ଯତ୍ନବାନ ହେବାପାଇଁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ଗତବର୍ଷ ଓଡ଼ିଶା “ଏକ ପେଡ୍ ମା କେ ନାମ” ପ୍ରଥମ ସଂସ୍କରଣ ଅଭିଯାନ ଅନ୍ତର୍ଗତ ୬.୭୨ କୋଟି ଚାରା ରୋପଣ ସହିତ ସମଗ୍ର ଦେଶରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଚଳିତ ବର୍ଷ ପାଇଁ ଓଡ଼ିଶାରେ ୭.୫ କୋଟି ବୃକ୍ଷ ରୋପଣର ଲକ୍ଷ ଧାର୍ଯ୍ୟ କରିଛନ୍ତି । ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅନ୍ୟ ବିଭାଗ ସହିତ ସମନ୍ୱୟ ରକ୍ଷାକରି ବିଗତ ୪୫ ଦିନ ମଧ୍ୟରେ ୪.୭ କୋଟି ବୃକ୍ଷ ରୋପଣ କରିସାରିଛି ବୋଲି ସେ ସୂଚନା ଦେବା ସହ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ଆଭାସୀ ବୈଠକରେ ସାଧୁବାଦ ଜ୍ଞାପନ କରିଛନ୍ତି ।ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତ, ଛାତ୍ର-ଛାତ୍ରୀ, ଯୁବ ପିଢ଼ି, ସଚେତନ ନାଗରିକ ସମାଜ, ବନ ସୁରକ୍ଷା ସମିତି /ଇକୋ ଡେଭଲପମେଣ୍ଟ୍ କମିଟିର ସଦସ୍ୟ-ସଦସ୍ୟା, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ‘ମୋ ଭାରତ’ ସ୍ୱେଚ୍ଛାସେବକ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ, କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ, ଶିଳ୍ପ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ସମେତ ସମସ୍ତ ସରକାରୀ ଓ ସାମାଜିକ ଅନୁଷ୍ଠାନମାନଙ୍କୁ ଆସନ୍ତାକାଲି କାର୍ଯ୍ୟକ୍ରମରେ ସକ୍ରିୟ ଭାବରେ ସାମିଲ ହୋଇ ଚାରା ରୋପଣର ଫଟୋ ମେରୀ ଲାଇଫ ପୋର୍ଟାଲରେ ଅପଲୋଡ କରିବା ପାଇଁ ଅନୁରୋଧ କରିଛନ୍ତି । ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ସୂର୍ଯ୍ୟୋଦୟ ଠାରୁ ସୂର୍ଯ୍ୟାସ୍ତ ମଧ୍ୟରେ ୭୫ ଲକ୍ଷ ଉର୍ଦ୍ଧ୍ଵ ଚାରା ରୋପଣ କାର୍ଯ୍ୟ ଶେଷ କରିବାକୁ ତୃଣମୂଳସ୍ତରର ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ମେରୀ ଲାଇଫ ପୋର୍ଟାଲରେ ଅପଲୋଡ କରିବା ଦ୍ୱାରା ଚାରାର ପରବର୍ତ୍ତୀ ପ୍ରଗତି ସମ୍ପର୍କିତ ତଥ୍ୟ ଆକଳନ କରିବାକୁ ସୁବିଧା ହେବ ତେଣୁ ଏହି ପୋର୍ଟାଲରେ ଅପଲୋଡ କରିବାକୁ ନ ଭୁଲିବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଏହି ଆଭାସୀ ବୈଠକରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଶ୍ରୀ ସୁରେଶ ପନ୍ତ, କାମ୍ପାର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ଜି ରାଜେଶ, ବରିଷ୍ଠ ବିଭାଗୀୟ ଅଧିକାରୀ, ସାରା ରାଜ୍ୟର ବନଖଣ୍ଡ ଅଧିକାରୀ ଯୋଗ ଦେଇଥିଲେ ।ସୌରଭ ପ୍ରଧାନଲୋକ ସମ୍ପର୍କ ଅଧିକାରୀ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ l

Leave a Reply

Your email address will not be published. Required fields are marked *