ନବକୃଷ୍ଣ ଚୌଧୁରୀ ବିକାଶ ଅଧ୍ୟୟନ କେନ୍ଦ୍ରରେ ୧୦ ଦିନିଆ ଉନ୍ନତ ଗବେଷଣା ପଦ୍ଧତି ପାଠ୍ୟକ୍ରମ ଅନୁଷ୍ଠିତ
ଭୁବନେଶ୍ୱର, ୧୨ ଫେବୃଆରୀ ୨୦୨୬ ଓଡ଼ିଶା ସରକାରଙ୍କ ଯୋଜନା ଓ ସମନ୍ୱୟ ବିଭାଗ ଅଧୀନସ୍ଥ ନବକୃଷ୍ଣ ଚୌଧୁରୀ ବିକାଶ ଅଧ୍ୟୟନ କେନ୍ଦ୍ର (ଏନସିଡିଏସ), ଭୁବନେଶ୍ୱର ଏବଂ ଭାରତୀୟ ସାମାଜିକ ବିଜ୍ଞାନ ଗବେଷଣା ପରିଷଦ ( ଆଇସିଏସଏସଆର)ର ମିଳିତ ଆନୁକୂଲ୍ୟରେ ଫେବୃୟାରୀ ୨ରୁ ୧୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ୧୦ ଦିନିଆ ଉନ୍ନତ ଗବେଷଣା ପଦ୍ଧତି ପାଠ୍ୟକ୍ରମ ସଫଳତାର ସହିତ ସମାପ୍ତ ହୋଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଏନସିଡିଏସ୍ ତାହାର ପ୍ରତିଷ୍ଠାନଗତ ପ୍ରତିବଦ୍ଧତା, ବହୁ-ବିଷୟକ ଅଧ୍ୟୟନ ଏବଂ ପ୍ରମାଣ-ଆଧାରିତ ନୀତି ଗବେଷଣାକୁ ପୁନଃସ୍ଥାପିତ କରିବା ସହିତ ଶିକ୍ଷାଗତ ଉତ୍କର୍ଷତା ଓ ନୀତି ନେତୃତ୍ୱ ପ୍ରତି ଏହାର ରହିଥିବା ଦୃଢ ପ୍ରତିବଦ୍ଧତାକୁ ପୁନଃ ପ୍ରତିପାଦିତ କରିଛି । ଏହି ପାଠ୍ୟକ୍ରମରେ ଦେଶର ପ୍ରାୟ ୨୦ଟି ରାଜ୍ୟରୁ ଆସିଥିବା ୭୦ ଜଣ ଗବେଷକ ଓ ବୃତ୍ତିଜୀବୀ ଅଂଶଗ୍ରହଣ କରିଥିଲେ । ତନ୍ମଧ୍ୟରେ ୩୫ ଜଣ ପ୍ରତ୍ୟକ୍ଷ ଉପସ୍ଥିତଥିବା ବେଳେ ୩୫ ଜଣ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ । ମିଳିତ ବ୍ୟବସ୍ଥାରେ ଆୟୋଜିତ ଏହି ପ୍ରଶିକ୍ଷଣରେ ଦେଶରୁ ବିଭିନ୍ନ ଅନୁଷ୍ଠାନ ଓ ଅଞ୍ଚଳମାନଙ୍କରୁ ପ୍ରତିନିଧିତ୍ୱ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ବ୍ୟାପକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଗବେଷଣା ରୂପରେଖ ପ୍ରସ୍ତୁତି, ପଦ୍ଧତିଗତ ସାହିତ୍ୟ ସମୀକ୍ଷା, ସାଙ୍ଖ୍ୟିକ ବିଶ୍ଳେଷଣ, ଇକୋମେଟ୍ରିକ୍ ମଡେଲିଙ୍ଗ ଏବଂ ଉନ୍ନତ ସାମାଜିକ-ଅର୍ଥନୈତିକ ତଥ୍ୟ ବିଶ୍ଳେଷଣ ବିଷୟରେ ସଂରଚିତ ପରିଚୟ ପ୍ରଦାନ କରାଯାଇଥିଲା । ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ, ମୁମ୍ବାଇ ବିଶ୍ୱବିଦ୍ୟାଳୟ, ଅମୃତା ବିଶ୍ୱବିଦ୍ୟାଳୟ ଏବଂ ଏନସିଡିଏସ୍ ସହିତ ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନମାନଙ୍କର ପ୍ରତିଷ୍ଠିତ ଅଧ୍ୟାପକମାନେ ଉପସ୍ଥାପନା କରିଥିଲେ । ପାଇଥନ୍ ପ୍ରୋଗ୍ରାମିଙ୍ଗ, ପ୍ରୟୋଗମୂଳକ ଇକୋମେଟ୍ରିକ୍ସ ଏବଂ ଗଣନାତ୍ମକ ଗବେଷଣା ଉପକରଣ ବିଷୟକ ବିଶେଷ ପ୍ରାୟୋଗିକ ମଡ୍ୟୁଲଗୁଡ଼ିକ ଅଂଶଗ୍ରହଣକାରୀମାନଙ୍କୁ ଆଧୁନିକ ତଥ୍ୟ-ନିର୍ଭର ଗବେଷଣା ପରିବେଶ ସହ ଜଡିତ ହେବାର କ୍ଷମତାକୁ ଅଧିକ ସୁଦୃଢ କରିଥିଲା । ସାମାଜିକ ବିଜ୍ଞାନ ଗବେଷଣାର ପରିବର୍ତ୍ତନଶୀଳ ପରିଦୃଶ୍ୟକୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମରେ ପଦ୍ଧତିଗତ ଧାଞ୍ଚାରେ ତଥ୍ୟ ବିଶ୍ଳେଷଣ, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଏବଂ ଯନ୍ତ୍ର ଅଧ୍ୟୟନ ( ମେସିନ୍ ଲର୍ଣ୍ଣିଂ) ପରି ଉଦୀୟମାନ ପ୍ରଯୁକ୍ତିଗୁଡ଼ିକୁ ସମ୍ମିଳିତ କରିଥିଲା । ପ୍ରିଜମା ପଦ୍ଧତି, ଗବେଷଣା ଆର୍ଥିକ ସହଯୋଗ ରଣନୀତି, ଏଆଇ ଯୁଗରେ ଗବେଷଣା ନୀତିଶାସ୍ତ୍ର ଏବଂ ଜାତୀୟ ଶିକ୍ଷା ନୀତି ସମ୍ବନ୍ଧୀୟ ନୀତିଗତ ଦୃଷ୍ଟିକୋଣ ଉପରେ ବିଷୟ ବିଶେଷଜ୍ଞମାନେ ଆଲୋଚନାକୁ ଅଧିକ ଅର୍ଥପୂର୍ଣ୍ଣ କରିଥିଲେ । ପାଠ୍ୟକ୍ରମଟି ପ୍ରଯୁକ୍ତିଗତ ନବୀନତା ସହିତ ନୀତିଗତ ଦାୟିତ୍ୱ, ଲିଙ୍ଗ ସମ୍ବେଦନଶୀଳତା ଓ ଗୁଣାତ୍ମକ ଅନୁଭୂତି ମଧ୍ୟରେ ସୁସମନ୍ୱିତ ସନ୍ତୁଳନ ରକ୍ଷା କରିଥିଲା । ଏହି କାର୍ଯ୍ୟକ୍ରମର ସଫଳ ସମାପନ, ଏନସିଡିଏସକୁ ଜାତୀୟ ଗବେଷଣା କ୍ଷମତା ସୁଦୃଢ କରିବା ସହ ପ୍ରଯୁକ୍ତି-ସମର୍ଥିତ, ସହଯୋଗୀ ଏବଂ ନୀତି-ସମ୍ପର୍କିତ ବିଷୟକୁ ପ୍ରୋତ୍ସାହନ ଦେବାରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ସୂଚକ ମାଇଲଖୁଣ୍ଟ ଭାବେ ପରିଗଣିତ କରିଛି ।
