ଓଡ଼ିଶା ଉଠା ଜଳ ସେଚନ ନିଗମର ୧୧୦ ତମ ବୋର୍ଡ ବୈଠକ ଅନୁଷ୍ଠିତ

ଉନ୍ନୟନ କମିଶନର ତଥା ନିଗମ ଅଧ୍ୟକ୍ଷାଙ୍କ ଦ୍ୱାରା ଓଏଲଆଇସି ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଓ କାର୍ଯ୍ୟକାରିତା ସ୍ଥିତି ସମୀକ୍ଷାଭୁବନେଶ୍ୱର ତା-୦୭.୧୧.୨୦୨୫ ଓଡ଼ିଶା ସରକାରଙ୍କ ଉଠା ଜଳସେଚନ ପାଇଁ ରହିଥିବା ଦୃଷ୍ଟିକୋଣ ମଧ୍ୟରେ ରାଜ୍ୟର ପ୍ରତ୍ୟେକ ଚାଷୀଙ୍କୁ କୃଷି ଉତ୍ପାଦନ ବୃଦ୍ଧି ଲକ୍ଷ୍ୟ ରଖି ସମସ୍ତ ଅଞ୍ଚଳକୁ ସମାନ ଭାବରେ ଜଳସେଚନ ଉପଲବ୍ଧତା ସୁନିଶ୍ଚିତ କରିବା ଲକ୍ଷ୍ୟ ରହିଛି l ବିଶେଷକରି ଉଚ୍ଚଭୂମି କିମ୍ବା ମରୁଡ଼ି ପ୍ରବଣ ଅଞ୍ଚଳ ଯେଉଁଠି ପାରମ୍ପରିକ କେନାଲ ମାଧ୍ୟମରେ ଜଳସେଚନ ସମ୍ଭବପର ହେଉନାହିଁ, ସେସବୁ ଅଞ୍ଚଳରେ ଓଏଲଆଇସି ପ୍ରକଳ୍ପମାନ କାର୍ଯ୍ୟକାରୀ କରାଯାଉଛି l ‘ବିକଶିତ ଭାରତ’ ଦୃଷ୍ଟିକୋଣକୁ ଆଧାର କରି, ରାଜ୍ୟ ସରକାର ବିସ୍ତୃତ ଚାଷଯୋଗ୍ୟ ଜମିରେ ବର୍ଷ ସାରା ଜଳସେଚନ ସୁବିଧା ସୁନିଶ୍ଚିତ କରି କୃଷିରେ ରୂପାନ୍ତରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହା ମାଧ୍ୟମରେ କୃଷକମାନଙ୍କ ଆୟକୁ ନିଶ୍ଚିତ କରିବା ଓ ଗ୍ରାମୀଣ ଅଞ୍ଚଳର ସାମାଜିକ-ଆର୍ଥିକ ପରିସ୍ଥିତିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟ ରହିଛି l ଓଡ଼ିଶା ଉଠା ଜଳସେଚନ ନିଗମ(ଓଏଲଆଇସି)ର ୨୧୦ତମ ପରିଷଦ(ବୋର୍ଡ) ବୈଠକରେ ରାଜ୍ୟ ଉନ୍ନୟନ କମିଶନର ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳସମ୍ପଦ ବିଭାଗ ତଥା ଓଏଲଆଇସିର ଅଧ୍ୟକ୍ଷା ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତା କରି ରାଜ୍ୟରେ ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଏବଂ କାର୍ଯ୍ୟକାରିତା ରଣନୀତି ସମ୍ପର୍କରେ ସମୀକ୍ଷା କରିଥିଲେ l ଗତକାଲି ନଭେମ୍ବର ୬ ତାରିଖରେ ଓଏଲଆଇସି କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବୋର୍ଡ ବୈଠକରୁ ଜଣାଯାଇଛି ଯେ, ଓଏଲଆଇସି ୨୦୨୪–୨୫ ଆର୍ଥିକ ବର୍ଷରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି । ଜଳସେଚନ କାର୍ଯ୍ୟକ୍ରମଗୁଡ଼ିକର ତ୍ୱରିତ କାର୍ଯ୍ୟାନ୍ଵୟନରେ ନିଗମ ୧୬.୫୧ ଲକ୍ଷ ହେକ୍ଟର ଜଳସେଚନ ସମ୍ଭାବନା ସୃଷ୍ଟି କରି, ରାଜ୍ୟର ୧୫ ଲକ୍ଷରୁ ଅଧିକ କୃଷକ ପରିବାରକୁ ଉପକୃତ କରିଛି l ଏହି ଅବଧିରେ ଗୁରୁତ୍ୱପୂର୍ଣ୍ଣ ସଫଳତା ମଧ୍ୟରୁ ଗୋଟିଏ ହେଉଛି ସୌର ଶକ୍ତିଚାଳିତ ଗଭୀର ବୋରୱେଲ ପ୍ରକଳ୍ପର ସଂପ୍ରସାରଣ କାର୍ଯ୍ୟ । ନିଗମ ମାଧ୍ୟମରେ ଏପର୍ଯ୍ୟନ୍ତ ୩,୩୨୮ ଟି ସୌର ଶକ୍ତିଚାଳିତ ଗଭୀର ବୋରୱେଲ ସ୍ଥାପନ ହୋଇଛି, ଯାହା ପ୍ରାୟ ୦.୧୭ ଲକ୍ଷ ହେକ୍ଟର କୃଷିକ୍ଷେତ୍ରକୁ ଜଳସେଚନ ସୁବିଧା ପ୍ରଦାନ କରୁଛି । ଆଗାମୀ ଡିସେମ୍ବର ୨୦୨୫ ମଧ୍ୟରେ ଅତିରିକ୍ତ ୯୦୦୦ ଅତିରିକ୍ତ ବୋରଓ୍ୱେଲ ସ୍ଥାପନ ଲକ୍ଷ୍ୟ ରହିଛି, ଯାହା ଫଳରେ ପ୍ରାୟ ୩୫,୦୦୦ ଚାଷୀ ଲାଭବାନ ହେବେ । ନବୀକରଣଯୋଗ୍ୟ ଶକ୍ତି ଆଧାରିତ ଜଳସେଚନ ପ୍ରଣାଳୀ ପ୍ରତି ଏହି ଅଗ୍ରଗତି, ଓଏଲଆଇସିର ସ୍ଥାୟୀ ଓ ପରିବେଶ ସତେଚନ କୃଷି ବିକାଶ ପ୍ରତି ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ରାଜ୍ୟର ମୟୂରଭଞ୍ଜ ସମେତ ଅନେକ ଜିଲ୍ଲାରେ କୃଷକମାନେ ଷ୍ଟ୍ରବେରି, ସୂର୍ଯ୍ୟମୁଖୀ ଏବଂ ଛତୁ ଭଳି ବିବିଧ ଫସଲ ଚାଷ ଆପଣାଇ ଆର୍ଥିକ ଓ ସାମାଜିକ ବିକାଶରେ ସିଧାସଳଖ ଯୋଗଦାନ ଦେଉଛନ୍ତି । ମୟୂରଭଞ୍ଜ ଜିଲ୍ଲାର ଶ୍ୟାମଖୁଣ୍ଟ ବ୍ଲକ୍‌ର ତରଜୋଡି-୩ କମ୍ୟୁନିଟି ଉଠା ଜଳସେଚନ ପ୍ରକଳ୍ପ ଅଧୀନରେ କୃଷକମାନେ ୧୦ ହେକ୍ଟର ଆୟାକଟ୍ ଭିତରେ ସଫଳତାର ସହ ଷ୍ଟ୍ରବେରି ଚାଷ କରି, ପ୍ରାୟ ୪୦ ଲକ୍ଷ ଆୟ ଅର୍ଜନ କରିଛନ୍ତି । ଓଡିଶାରେ ପ୍ରଥମ ଥର ପାଇଁ, ସେନ୍ସର-ଆଧାରିତ ଆଇଓଟି ଯନ୍ତ୍ରଗୁଡ଼ିକୁ ମୋବାଇଲ ଆପ୍‌ ସହ ସମନ୍ୱିତ କରି ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକରେ ସଫଳତା ପରୀକ୍ଷା କରାଯାଉଛି । ଏହି ଅଭିନବ ପଦକ୍ଷେପ ମାଧ୍ୟମରେ ଜଳ ଯୋଗାଣର ଠିକ୍ ସମୟରେ ନିରୀକ୍ଷଣ ଏବଂ ଦକ୍ଷ ପରିଚାଳନା ସମ୍ଭବ ହୋଇପାରିଛି, ଯାହା ରାଜ୍ୟର ସ୍ମାର୍ଟ ଜଳସେଚନ ଅଭ୍ୟାସ ଦିଗରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ଅଟେ । ଉନ୍ନତ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗରେ ସମସ୍ୟାର ସମାଧାନ ସହିତ ନିରନ୍ତରତା ଭିତ୍ତିରେ ଜଳସେଚନ ଭିତ୍ତିଭୂମି ସୃଷ୍ଟିକରି, ଓଏଲଆଇସିର ଚାଷୀମାନଙ୍କୁ ସଶକ୍ତ କରିବା, ଜଳବାୟୁ ସମ୍ବନ୍ଧୀୟ ଆହ୍ୱାନ ପ୍ରତି ଦୃଢତା ଏବଂ ଗ୍ରାମୀଣ ଓଡିଶାର ସାମଗ୍ରିକ ବିକାଶ ଓ ସମୃଦ୍ଧିକୁ ଉତ୍ସାହିତ କରିବାକୁ ପ୍ରତିବଦ୍ଧ ରହିଛି ।

Leave a Reply

Your email address will not be published. Required fields are marked *