ଘୁମୁସର ଜିଲ୍ଲା ଦାବିରେ 12 ଘଣ୍ଟିଆ ବୁଗୁଡ଼ା ବନ୍ଦ ସଫଳ
ରାଜ୍ୟରେ ଯେତେବେଳେ 13 ଗୋଟି ଜ଼ିଲ୍ଲାକୁ ଭାଗ ଭାଗ କରି 30 ଜ଼ିଲ୍ଲା ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ କରିଥିଲେ ସେତେବେଳେ ଗଞ୍ଜାମ ଜ଼ିଲ୍ଲାକୁ କମ ଇଲାକାକୁ ନେଇ ଗଜପତି ଜ଼ିଲ୍ଲା କରିଥିବା ବେଳେ ବର୍ତ୍ତମାନ ମଧ୍ୟ ଗଞ୍ଜାମ ଜ଼ିଲ୍ଲା ବୃହତ ହୋଇ ରହିଆସିଛି l ସେହି ଦୃଷ୍ଟିରୁ ଏବଂ ଜନ ସାଧାରଣଙ୍କ ହିତ ଦୃଷ୍ଟିରୁ ଘୁମୁସର ଜ଼ିଲ୍ଲା ନାମରେ ଆଉ ଗୋଟିଏ ଜ଼ିଲ୍ଲା କରିବା ପାଇଁ ଦାବୀ କରାଯାଇଥିଲା କିନ୍ତୁ ସେହି ଦାବୀକୁ ସେତେବେଳେ ଗ୍ରହଣ କରିନଥିଲେ l ବର୍ତ୍ତମାନ ରାଜ୍ୟର ଗତ ଉପନିର୍ବାଚନ ବେଳେ ପଦ୍ମପୁର କୁ ଜ଼ିଲ୍ଲା ରୂପେ ଘୋଷିତ କରିବା ପାଇଁ ନିର୍ବାଚନ ପ୍ରତିଶୃତି ଦେଇଥିଲେ ଏଣୁ ଏହି ମଉକା ରେ ପୁଣି ତେଜିଲା ଘୁମୁସର ଜିଲ୍ଲl ଗଠନ ଦାବୀ ତେଜିବା ଆରମ୍ଭ ହେଲା l ଏ ନେଇ ଘୁମୁସର ଜ଼ିଲ୍ଲା ମୁଖ୍ୟ ଭଞ୍ଜନଗର ରେ ଘୁମୁସର ଜିଲ୍ଲା ଗଠନ ଦାବି କରିବା ପାଇଁ ଏକ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ କଲେ l ସେହି କମିଟି ର ଆହ୍ୱାନକ୍ରମେ ଗଞ୍ଜାମ ଜ଼ିଲ୍ଲାର ବୁଗୁଡ଼ା ବ୍ଲକରେ ମଧ୍ୟ ଆଜି 12 ଘଣ୍ଟିଆ ଚକ ଅଖ ଦୋକାନ ବଜାର ସ୍କୁଲ କଲେଜ ଏବଂ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ ଡାକରା ଦେଇଥିଲେ l ଏହି ବନ୍ଦ ଡାକରାର ପ୍ରଭାବରେ ପାଳନ ହେଉଥିବା ବେଳେ ବ୍ଲକର ବୁଗୁଡ଼ା,ବାଲିପଦର ଓ କରଚୁଲି ରେ ଏହାର ବିଶେଷ ସଫଳତା ଦେଖିବାକୁ ମିଳିଛି l ଅତ୍ୟାବଶକୀୟ ସେବାକୁ ଛାଡି ସମସ୍ତ ଦୋକାନ ବଜାର, ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ, ଯାନବାହାନ ସମ୍ପୂର୍ଣ ଭାବେ ବନ୍ଦ ରହିଛି l ଏହି ବନ୍ଦକୁ ସ୍ଥାନୀୟ ବାସିନ୍ଦା ଓ ବିଭିନ୍ନ ରାଜନୈତିକ ଦଳ ସମର୍ଥନ କରିଥିବା ବେଳେ ବିଭିନ୍ନ ଛକ ଛକରେ ପୋଷ୍ଟର ଲଗାଇ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଛନ୍ତି ମିଳିତ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ l ତେବେ ଦୀର୍ଘ ତିରିଶି ବର୍ଷ ଧରି ଘୁମୁସର ଜିଲ୍ଲା ଗଠନ ଦାବି ହୋଇ ଆସୁଥିବା ବେଳେ ସରକାର କର୍ଣ୍ଣପାତ କରୁନାହାନ୍ତି l ଆଗାମୀ ଦିନରେ ଏହି ଦାବୀକୁ ସରକାର ଯଦି ନ ଶୁଣନ୍ତି ତେବେ ଆନ୍ଦୋଳନକୁ ତୀବ୍ରତର କରାଯିବା ନେଇ କହିଛନ୍ତି ମିଳିତ କ୍ରିୟାନୁଷ୍ଠାନ କମିଟି ସଦସ୍ୟ l ଏହି ପରିପେକ୍ଷୀରେ ଘୁମୁସର ଜ଼ିଲ୍ଲା କ୍ରିୟାନୁଷ୍ଠାନ କମିଟି ସଭାପତି ଆଡଭୋକେଟ ସୋମନାଥ ନାୟକ,ପ୍ରକାଶ ଚନ୍ଦ୍ର ସାହୁ,ଅରକ୍ଷିତ ପରିଚ୍ଛା ଭଞ୍ଜନଗର ଆସି ଯୋଗଦେଇଥିବା ବେଳେ ବୁଗୁଡ଼ା ଅଞ୍ଚଳର ଓକିଲ ସଂଘ ସଭାପତି ହରପ୍ରସାଦ ଦାଶ,ବରିଷ୍ଠ ନାଗରିକ ଟ୍ରଷ୍ଟର ଅଧ୍ୟକ୍ଷ ଗଙ୍ଗାଧର ବିଶୋୟୀ,ଡ୍ରାଇଭର ସଂଘର ବ୍ଲକ ସଭାପତି ରାଧାମୋହନ ସ୍ୱାଇଁ,ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦ ପ୍ରତିଷ୍ଠାତା ତଥା ସମ୍ପାଦକ ତ୍ରିଲୋଚନ ପଣ୍ଡା,ସୁରେଶ ଚନ୍ଦ୍ର ଦାଶ,ପ୍ରଭାତ କୁମାର ଜେନା,ସତ୍ୟ ନାରାୟଣ ଦାଶ ଓ ଅଖିଳ ଭାରତ ପରିଷଦର ରାଜେଶ ଜେନା ପ୍ରମୁଖ ଅଂଶଗ୍ରହଣ କରିଥିବା ବେଳେ ଘୁମୁସର ଜ଼ିଲ୍ଲା ବିଜେପି ସଭାପତି ଗୋକୁଳାନନ୍ଦ ମଳିକ ଏବଂ କଂଗ୍ରେସ ର ପ୍ରତିନିଧି ଏହି ଘୁମୁସର ଜ଼ିଲ୍ଲା ଦାବୀକୁ ଯଥାର୍ଥତା ବୋଲି ସରକାର ନିକଟରେ ଦାବୀ ଜଣାଇଥିଲେ l ସ୍ୱତଃପ୍ରବୁତ ଭାବେ ଜନ ସମର୍ଥନ ମିଳିଥିବା ଜଣାପଡିଛି l
ଗଞ୍ଜାମ ଜ଼ିଲ୍ଲା ବୁଗୁଡ଼ାରୁ ତ୍ରିଲୋଚନ ପଣ୍ଡା ରିପୋର୍ଟ
