ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୧୪୦ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି କମିଟି ବୈଠକ ଅନୁଷ୍ଠିତ
ଭୁବନେଶ୍ୱର ତା-୧୯.୦୯.୨୦୨୫: “ସମୃଦ୍ଧ ଓଡିଶା ୨୦୩୬” ଦୃଷ୍ଟିକୋଣକୁ ଆଗେଇ ନେଇଯିବା ପାଇଁ ଓଡ଼ିଶା ଦ୍ରୁତ ଅଗ୍ରଗତି କରୁଥିବାବେଳେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କ ନେତୃତ୍ୱରେ ରାଜ୍ୟ ସରକାର ସମତୁଲ ଆଂଚଳିକ ବିକାଶକୁ ଦୃଷ୍ଟି ଦେଇ ସମାବେଶୀ ଶିଳ୍ପ ବିକାଶକୁ ତ୍ୱରାନ୍ୱିତ କରୁଛନ୍ତି । ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସଏଲଡବ୍ଲୁସିଏ)ର ୧୪୦ତମ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ୪,୭୩୯ କୋଟି ଟଙ୍କାର ମୋଟ ୨୫ଟି ନୂଆ ନିବେଶ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ଖୋର୍ଦ୍ଧା, ଯାଜପୁର, କଟକ, ସମ୍ବଲପୁର, ଝାରସୁଗୁଡା, ଗଞ୍ଜାମ, ମୟୂରଭଞ୍ଜ, ଅନୁଗୋଳ ଓ ଗଜପତି ଜିଲ୍ଲାରେ ୨୫,୨୦୦ଟି ନୂତନ ନିଯୁକ୍ତି ସୃଷ୍ଟି ହେବ । ନୂଆ ଅନୁମୋଦିତ ପ୍ରକଳ୍ପଗୁଡ଼ିକ ମଧ୍ୟରେ ବୟନ ଶିଳ୍ପ, ଇସ୍ପାତ, ରସାୟନ, ସୂଚନା ପ୍ରଯୁକ୍ତି, ଭିତ୍ତିଭୂମ, ଲଜିଷ୍ଟିକ୍ସ, ନବୀକରଣ ଯୋଗ୍ୟ ଉର୍ଜା, ପର୍ଯ୍ୟଟନ, ଧାତୁ ଉପରେ ନିର୍ଭରଶୀଳ ଶିଳ୍ପ, ସର୍କୁଲାର ଇକୋନୋମି , ଶୀତଳ ଭଣ୍ଡାର ଓ ଉତ୍ପାଦନ ସାମଗ୍ରୀ ଆଦି ମୋଟ ୧୩ଟି ମୁଖ୍ୟ କ୍ଷେତ୍ର ଅନ୍ତର୍ଭୁକ୍ତ ରହିଛି । ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟର ବିଭିନ୍ନ ଅଂଚଳରେ ଶିଳ୍ପାୟନରେ ନିରନ୍ତରତା ଓ ଅର୍ଥନୈତିକ ଅଭିବୃଦ୍ଧି ପ୍ରତି ପ୍ରତିବଦ୍ଧତାକୁ ପ୍ରକାଶ କରୁଛି । ପ୍ରମୁଖ ପ୍ରକଳ୍ପ ମଧ୍ୟରେ ସୂଚନା ପ୍ରଯୁକ୍ତି ତଥା ଆଇଟି ସକ୍ଷମ ସେବା କ୍ଷେତ୍ରରେ ଲିନ୍ଡେ ଇଣ୍ଡିଆ ଲିମିଟେଡ୍ ଖୋର୍ଦ୍ଧାରେ ପରିବହନ ଏବଂ ଦୂରରୁ ପରିଚାଳନା(ରିମୋଟ ଅପରେସନ) ପାଇଁ ଏକ ବୈଶ୍ୱିକ କୌଶଳ କେନ୍ଦ୍ର ସ୍ଥାପନ କରିବ । ଏଥିପାଇଁ ୮୨ କୋଟି ଟଙ୍କା ନିବେଶ ହେବା ସହିତ ୨୧୦ ନିଯୁକ୍ତି ସୃଷ୍ଟି ହେବ । ଏହି କମ୍ପାନୀ ମଧ୍ୟ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଯାଜପୁରରେ ଟାଟା ଇସ୍ପାତ ଓ ଅନ୍ୟାନ୍ୟ ଶିଳ୍ପସଂସ୍ଥା ପାଇଁ ପାଇପଲାଇନ୍ କ୍ଲଷ୍ଟର ପ୍ରକଳ୍ପ ସ୍ଥାପନ କରିବ । ଏଥିପାଇଁ ୧୦୫.୭୦ କୋଟି ଟଙ୍କା ନିବେଶ କରିବ ଏବଂ ଏଥିରୁ ୩୫ଟି ନିଯୁକ୍ତି ସୃଷ୍ଟି ହେବ । ବସ୍ତ୍ର, ପୋଷାକ ଓ ପ୍ରାଯୁକ୍ତିକ ବସ୍ତ୍ର କ୍ଷେତ୍ରରେ କଲରଟୋନ୍ ଟେକ୍ସଟାଇଲ୍ସ ପ୍ରା.ଲି. ଖୋର୍ଦ୍ଧାରେ ୭୦୦.୨୯ କୋଟି ଟଙ୍କା ନିବେଶ କରି ସମନ୍ୱିତ ବସ୍ତ୍ର କେନ୍ଦ୍ର ସୁବିଧା ସ୍ଥାପନ କରିବ, ଯାହା ଦ୍ୱାରା ୧,୦୧୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଟେକ୍ନୋ ଆକ୍ଟିଭ୍ୱେୟାର୍ ପ୍ରା.ଲି. କଟକରେ କ୍ରୀଡା ପୋଷାକ ଫେବ୍ରିକ୍ ଓ ପୋଷାକ ୟୁନିଟ୍ ପାଇଁ ୧୦୦ କୋଟି ଟଙ୍କା ନିବେଶ କରିବ ଏବଂ ଏହା ଦ୍ୱାରା ୨,୫୦୦ ନିଯୁକ୍ତି ସୃଷ୍ଟି ହେବ । ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ଲି. କେନ୍ଦୁଝର ଓ ସମ୍ବଲପୁରରେ ପୋଷାକ ୟୁନିଟ୍ ପାଇଁ ପ୍ରତ୍ୟେକରେ ୧୦୦ କୋଟି ଟଙ୍କା ନିବେଶ କରିବା ସହ ପ୍ରତ୍ୟେକରେ ୧,୨୦୦ କରି ମୋଟ ୨,୪୦୦ ନିଯୁକ୍ତି ସୃଷ୍ଟି କରିବ । ଏସ୍.ସି.ଏମ୍ ଗାର୍ମେଣ୍ଟ୍ସ ପ୍ରା.ଲି. କଟକରେ ଏକ ବୃହତ ବୁଣା ପୋଷାକ ୟୁନିଟ୍ ପାଇଁ ୧୫୦ କୋଟି ଟଙ୍କା ନିବେଶ କରି ୪,୦୦୦ ନିଯୁକ୍ତି ସୃଷ୍ଟି କରିବ । କାର୍ଲୁ ଟେକ୍ସ ପ୍ରା.ଲି. କଟକରେ ରେଡିମେଡ୍ ପୋଷାକ ୟୁନିଟ୍ ସ୍ଥାପନ ପାଇଁ ୬୦ କୋଟି ଟଙ୍କା ନିବେଶ କରିବ ଏବଂ ଏହା ଦ୍ୱାରା ୨,୫୦୦ ନିଯୁକ୍ତି ସୃଷ୍ଟି ହେବ । ପର୍ଫେକ୍ଟ୍ ଇନ୍ଫ୍ରା ଭିଜନ୍ ପ୍ରା.ଲି. ବଲାଙ୍ଗିରରେ ବସ୍ତ୍ର ଓ ଆନୁଷଙ୍ଗିକ ଉତ୍ପାଦ ୟୁନିଟ୍ ପାଇଁ ୧୧୦.୭୦ କୋଟି ଟଙ୍କା ବିନିଯୋଗ କରି ୧,୦୫୦ ନିଯୁକ୍ତି ସୃଷ୍ଟି କରିବାର ଲକ୍ଷ୍ୟ ରଖିଛି । ଓ୍ୱାଭିନୋଭା ପ୍ରା.ଲି. କଟକରେ ସ୍ୱାସ୍ଥ୍ୟ ସେବା ଓ ହସ୍ପିଟାଲ୍ ପାଇଁ ଅବୁଣା ବ୍ୟବହାର ଯୋଗ୍ୟ ସାମଗ୍ରୀ ୟୁନିଟ୍ ପାଇଁ ୫୭.୫୩ କୋଟି ଟଙ୍କା ବିନିଯୋଗ ସହ ୨୧୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ପିଉ ଫ୍ୟାସନ୍ ପ୍ରା.ଲି. ଖୋର୍ଦ୍ଧାରେ ପୋଷାକ ଇଉନିଟ୍ ପାଇଁ ୯୬.୯୯ କୋଟି ଟଙ୍କା ନିବେଶ କରି ୩,୭୦୦ଟି ନିଯୁକ୍ତି ଏବଂ ଅଦିତି ଲାଇଫ୍ଷ୍ଟାଇଲ୍ ପ୍ରା.ଲି. ଖୋର୍ଦ୍ଧାରେ ବୁଣା ବସ୍ତ୍ର ଓ ପୋଷାକ ୟୁନିଟ୍ ପାଇଁ ୨୦୯.୩୬ କୋଟି ଟଙ୍କା ନିବେଶ କରି ୧,୦୮୦ଟି ନିଯୁକ୍ତି ଲକ୍ଷ୍ୟ ରଖିଛନ୍ତି । ଆହୁରି ମଧ୍ୟ ପର୍ଯ୍ୟଟନ କ୍ଷେତ୍ରରେ ଏସ୍ୱାଇସିଇ ଇଣ୍ଡିଆ (ଓପିସି) ପ୍ରା.ଲି. ସମ୍ବଲପୁରରେ ୫-ତାରକା ବିଶିଷ୍ଟ ଆଡମ୍ବରପୂର୍ଣ୍ଣ ରିସୋର୍ଟ ପାଇଁ ୧୦୭.୪୨ କୋଟି ଟଙ୍କା ନିବେଶ କରିବ ଏବଂ ଏହା ଦ୍ୱାରା ୧୫୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଯାନ୍ତ୍ରିକ ଓ ବୈଦ୍ୟୁତିକ ଉପକରଣ ଦ୍ରବ୍ୟ ଉତ୍ପାଦନ କ୍ଷେତ୍ରରେ ରାହୀ ଟ୍ରାକ୍ ଟେକ୍ନୋଲୋଜିଜ୍ ପ୍ରା.ଲି. ଖୋର୍ଦ୍ଧାରେ ଭାରି ଇସ୍ପାତ କାଷ୍ଟିଂ ବ୍ୟବସ୍ଥା ପାଇଁ ୧୪୦ କୋଟି ଟଙ୍କା ବିନିଯୋଗ କରିବ ଓ ଏହା ଦ୍ୱାରା ୧୫୦ ନିଯୁକ୍ତି ସୁଯୋଗ ମିଳିବ । ଇସ୍ପାତ କ୍ଷେତ୍ରରେ କୋଣାର୍କ ଇସ୍ପାତ ଲି. ଝାରସୁଗୁଡାରେ ରୋଲିଂ ମିଲ୍, ପେଲେଟ୍ ପ୍ଲାଣ୍ଟ, ଡି.ଆର୍.ଆଇ., ବିଲେଟ୍ ପ୍ଲାଣ୍ଟ ଓ ସି.ପି.ପି. ସହିତ କାରଖାନା ବିସ୍ତାର ପାଇଁ ୯୯୦ କୋଟି ଟଙ୍କା ନିବେଶ କରି ୨,୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଧାତୁ ଆନୁଷଙ୍ଗିକ କ୍ଷେତ୍ରରେ ମାସ୍କଟ୍ ଇଲେକ୍ଟ୍ରୋମେକ୍ ପ୍ରା.ଲି. ମୟୂରଭଞ୍ଜରେ ଫ୍ୟାବ୍ରିକେସନ୍ ଓ ଗାଲଭାନାଇଜିଂ ୟୁନିଟ୍ ସ୍ଥାପନ ପାଇଁ ୯୭.୭୬ କୋଟି ଟଙ୍କା ବିନିଯୋଗ କରି ୩୫୦ ନିଯୁକ୍ତି ସୃଷ୍ଟି କରିବ । ପୁନଃ ଚକ୍ରଣ ଅର୍ଥନୀତି(ସର୍କୁଲାର ଇକୋନୋମି) କ୍ଷେତ୍ରରେ ବିଇଆଇଏଲ୍ ଇନ୍ଫ୍ରାସ୍ଟ୍ରକ୍ଚର୍ ଲି. ଗଞ୍ଜାମରେ ଚିକିତ୍ସା, ସଂରକ୍ଷଣ ଓ ବର୍ଜ୍ୟ ଅପସାରଣ ସୁବିଧା ପାଇଁ ୨୦୦ କେଏଲଡି ଇଟିପି ପାଇଁ ୩୨୦.୭୦ କୋଟି ଟଙ୍କା ବିନିଯୋଗ କରିବ ଏବଂ ଏହା ଦ୍ୱାରା ୧୪୫ ନିଯୁକ୍ତି ସୃଷ୍ଟି ହେବ । ପରିବହନ ଓ ସଞ୍ଚୟ କ୍ଷେତ୍ରରେ ସାଇଜାର୍ ଇଣ୍ଟରପ୍ରାଇଜ୍ ପ୍ରା.ଲି. ଅନୁଗୋଳରେ ଗୋଦାମ ଓ ଲଜିଷ୍ଟିକ୍ସ ପାର୍କ ପାଇଁ ୧୨୭.୮୬ କୋଟି ଟଙ୍କା ନିବେଶ କରି ୩୧୦ ନିଯୁକ୍ତି ସୃଷ୍ଟି କରିବ । ବିଦ୍ୟୁତ ଓ ନବୀକରଣ ଯୋଗ୍ୟ ଉର୍ଜା କ୍ଷେତ୍ରରେ ପ୍ରୋଜିଲ୍ ଗ୍ରୀନ୍ ଏନର୍ଜି ଲି. ସୁବର୍ଣ୍ଣପୁରରେ ୬୯.୫ ମେଗାୱାଟ୍ ସୌର ପାର୍କ ପାଇଁ ୧୪୦ କୋଟି ଟଙ୍କା ବିନିଯୋଗ କରି ୩୬୦ ନିଯୁକ୍ତି ସୃଷ୍ଟି, ଶୀତଳ ଭଣ୍ଡାର ଓ କୋଲ୍ଡ ଚେନ୍ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ପିପିଡି ଇସ୍ପାତ ପ୍ରା.ଲି. ଗଜପତିରେ ୨୦,୦୦୦ ମେଟ୍ରିକ୍ ଟନ ବିଶିଷ୍ଟ ଶୀତଳ ଭଣ୍ଡାର ୟୁନିଟ୍ ପାଇଁ ୫୧ କୋଟି ଟଙ୍କା ବିନିଯୋଗ ସହ ୧୨୦ଟି ନିଯୁକ୍ତି ସୃଷ୍ଟି, ରସାୟନ କ୍ଷେତ୍ରରେ ସିରିଅସ୍ ସ୍ପେସିଆଲ୍ଟି କେମିକାଲ୍ସ ପ୍ରା.ଲି. ଦ୍ୱାରା ଯାଜପୁରରେ କାର୍ବନ୍ ଇଲେକ୍ଟ୍ରୋଡ୍ ପେଷ୍ଟ୍ ଉତ୍ପାଦନ କାରଖାନା ପାଇଁ ୨୦୫.୪୪ କୋଟି ଟଙ୍କା ନିବେଶ ଫଳରେ ୬୦୦ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ ରଖିଛି । ଓଡ଼ିଶାର ଗତିଶୀଳ ଶାସନ, ରଣନୈତିକ ଦୃଷ୍ଟିଭଙ୍ଗୀ ଓ ସୁଦୃଢ ନୀତିଗତ ଢାଞ୍ଚା, ବ୍ୟବସାୟ କରିବା ପାଇଁ ସୁବିଧା ଜନକ ପରିବେଶକୁ ପ୍ରୋତ୍ସାହିତ କରୁଛି, ଫଳରେ ଓଡ଼ିଶା ଭାରତର ପସନ୍ଦଯୋଗ୍ୟ ନିବେଶ ସ୍ଥଳ ଭାବେ ଦ୍ରୁତ ପ୍ରତୀୟମାନ ହେଉଛି । ୧୪୦ତମ ରାଜ୍ୟସ୍ତରୀୟ ଏକକ ବାତାୟନ ରାଜ୍ୟ ସ୍ତରୀୟ ଏକକ ବାତାୟନ ଅନୁମୋଦନ କର୍ତ୍ତୃପକ୍ଷ ସମିତି ବୈଠକରେ ଅନୁମୋଦିତ ପରିବର୍ତ୍ତନକାରୀ ପ୍ରକଳ୍ପଗୁଡିକ କେବଳ ବ୍ୟାପକ ନିଯୁକ୍ତି ସୃଷ୍ଟି ଓ ମୂଲ୍ୟଯୁକ୍ତ ପ୍ରତିଶ୍ରୁତି ଦେଉନାହିଁ, ବରଂ ସମାନତା ଓ ସ୍ଥାୟୀ ଅର୍ଥନୈତିକ ପ୍ରଗତି ପ୍ରତି ରାଜ୍ୟର ଦୃଢ ପ୍ରତିବଦ୍ଧତାକୁ ସ୍ପଷ୍ଟ କରୁଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ, ଓଡ଼ିଶା କେବଳ ଶିଳ୍ପ ସ୍ଥାପନ କରୁନାହିଁ; ଏହା ଏକ ଭବିଷ୍ୟତକୁ ଦୃଷ୍ଟିରେ ରଖି ସୁଦୃଢ଼ ଅର୍ଥନୀତି ପ୍ରସ୍ତୁତି କରୁଛି, ଯାହା ଲୋକମାନଙ୍କୁ ସଶକ୍ତ କରି ସମତୁଲ ବିକାଶ ପାଇଁ ଏକ ମାନକ ନିର୍ଦ୍ଧାରଣ କରୁଛି । “ସମୃଦ୍ଧ ଓଡିଶା ୨୦୩୬” ଦୃଷ୍ଟିକୋଣକୁ ସାକାର କରିବା ପଥରେ, ଓଡିଶା ଏକ ସମୃଦ୍ଧ, ଭବିଷ୍ୟତ-ପ୍ରସ୍ତୁତ ଅର୍ଥନୀତି ଗଠନରେ ଦୃଢ଼ ପଦକ୍ଷେପ ନେଇଛି ।
