ରେଡ଼ିଓ ନମସ୍କାର” ର ୧୬ତମ ପ୍ରତିଷ୍ଠା ଦିବସ”

କୋଣାର୍କ – ଓଡିଶା ର ପ୍ରଥମ ଗୋଷ୍ଠୀ ବେତାର କେନ୍ଦ୍ର ରେଡ଼ିଓ ନମସ୍କାର ତା’ର ୧୬ତମ ପୂର୍ତ୍ତି ଆଜି ପାଳନ କରିଛି । ୨୦୧୦ ଫେବୃଆରୀ ୧୨ ତାରିଖରେ ରେଡ଼ିଓ ନମସ୍କାର କୋଣାର୍କରୁ ତାର ପ୍ରଥମ ପ୍ରସାରଣ ଆରମ୍ଭ କରିଥିଲା । ଏହି ସମୟାବଧି ମଧ୍ୟରେ ରେଡ଼ିଓ ନମସ୍କାର ସାଧାରଣ ଲୋକଙ୍କ ସ୍ୱର ପାଲଟି ଥିବା କଥା ପ୍ରତିଷ୍ଠା ଦିବସ ଅବସରରେ ଉପସ୍ଥିତ ଗ୍ରାମବାସୀ ଓ ଶ୍ରୋତାମାନେ ମତବ୍ୟକ୍ତ କରିଛନ୍ତି । ରେଡ଼ିଓ ନମସ୍କାର ତୃଣମୂଳ ସ୍ତରରେ ପ୍ରତିଟି ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା,ସାଧାରଣ ଲୋକେ ନିଜର ମୌଳିକ ତଥା ନ୍ୟାୟିକ ଅଧିକାରକୁ ସାବ୍ୟସ୍ତ କରିବା ଦିଗରେ ସ୍ୱର ଉତ୍ତୋଳନ କରି ଶିଖିବା , ନାରୀ ସଶକ୍ତିକରଣ ,ଶିଶୁର ଅଧିକାର, ନାଗରିକମାନଙ୍କ ମତଦାନ ଅଧିକାର, ଯୁବ ସଶକ୍ତିକରଣ, ଘରୋଇ ହିଂସା, ବରିଷ୍ଠ ନାଗରିକ ମାନେ ସସମ୍ମାନେ ବଞ୍ଚିବା, ସେମାନଙ୍କ ଅଧିକାର ପାଇଁ ଲଢ଼ିବା ,ବାଲ୍ୟ ବିବାହ,କନ୍ୟା ରତ୍ନ କର ଯତ୍ନ, ଭ୍ରୁଣ ହତ୍ୟା, ଶିଶୁ ଶ୍ରମିକ ପ୍ରଥା, ସୂଚନା ଅଧିକାର ଆଇନ, ଚାଷୀ ଭାଇ ଓ ଭଉଣୀ ମାନଙ୍କ ପାଇଁ ସଚେତନତା ବାର୍ତ୍ତା, କୋଭିଡ ମହାମାରୀ ସମୟରେ ସଚେତନତା, ବାତ୍ୟା ଓ ବନ୍ୟା ସମୟରେ ୨୪ ଘଣ୍ଟିଆ ସୂଚନା ପ୍ରସାରଣ କରିବା ଏବଂ ଲୋକ କଳା , ଲୋକ ସଂସ୍କୃତି, ଲୋକ ଗୀତ ଓ ଅନ୍ୟନ୍ୟ ସଚେତନତା ଧର୍ମୀ କାର୍ଯ୍ୟକ୍ରମ ପ୍ରସାରଣ କରି ଓଡିଶା ନୁହେଁ ବରଂ ସାରାଦେଶରେ ସୁନାମ ଅର୍ଜନ କରିପାରିଛି । ପ୍ରଭାବୀ ଓ ଲୋକାଭିମୁଖୀ ପଦକ୍ଷେପ ନିମନ୍ତେ ରେଡିଓ ନମସ୍କାର ଭାରତ ସରକାରଙ୍କ ଦ୍ୱାରା ୬ ଥର ଜାତୀୟ ସମ୍ମାନ ପ୍ରାପ୍ତ ହୋଇଛି । ଏଠି ସହ ରେଡ଼ିଓ ନମସ୍କାର ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଅନେକ ସମ୍ମାନ ପାଇଛି । ଦେଶ ବିଦେଶର ଅନେକ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ରେଡ଼ିଓ ନମସ୍କାରର କାର୍ଯ୍ୟଧାରା ଓ ପ୍ରଭାବ ଉପରେ ଗବେଷଣା ମଧ୍ୟ କରିସାରିଛନ୍ତି ବୋଲି ରେଡ଼ିଓ ନମସ୍କାରର ଅଧ୍ୟକ୍ଷ ତଥା ଗୋଷ୍ଠି ଗଣମାଧ୍ୟମ ବିଶେଷଜ୍ଞ ଏନ ଏ ଶାହାଃ ଅନସାରୀ କହିଥିଲେ ।

ବିଶେଷତଃ ଜନ ସଚେତନତା କ୍ଷେତ୍ର ରେ ବିଭିନ୍ନ ପଦେକ୍ଷପ ନେଇ ରେଡ଼ିଓ ନମସ୍କାର କେବେଳ ଏକ ଗୋଷ୍ଠୀ ଗଣମାଧ୍ୟମ ନୁହେଁ ବରଂ ଏକ ଜନଆନ୍ଦୋଳନ ର ରୂପ ନେଇଛି । ଗତ ୧୬ ବର୍ଷ ମଧ୍ୟରେ ରେଡ଼ିଓ ନମସ୍କାର ଦ୍ୱାରା ସହସ୍ରାଧିକ ବ୍ୟକ୍ତି ଉପକୃତ ହୋଇଥିବା ବେଳେ ଅନେକ କ୍ଷେତ୍ରରେ ପରିବର୍ତ୍ତନ ର ସ୍ୱର ଖୁବ ସ୍ପଷ୍ଟ ଭାବରେ ପରିଲକ୍ଷିତ ହୋଇଛି । ପ୍ରଭାବଶାଳୀ ଓ ଲୋକାଭିମୁଖି ପଦକ୍ଷେପ ନିମନ୍ତେ ରେଡ଼ିଓ ନମସ୍କାର ଭାରତ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ଵାରା ଅଗ୍ରଣୀ କମ୍ୟୁନିଟି ରେଡ଼ିଓ ଭାବେ ଘୋଷିତ ହୋଇଛି ବୋଲି ରେଡ଼ିଓ ନମସ୍କାରର କାର୍ଯ୍ୟନିର୍ବାହୀ ଅଧିକାରୀ ରୋଜାଲିନ୍ ପ୍ରଧାନ, ନିଜର ମତ ବ୍ୟକ୍ତ କରିଥିଲେ । ରେଡ଼ିଓ ନମସ୍କାର ର ୧୬ ତମ ପ୍ରତିଷ୍ଠା ଦିବସ ଆଜି କୁରୁଜଙ୍ଗ ଗ୍ରାମ ପଞ୍ଚାୟତ ନରଣପୁର ଏବଂ ବାମେରା ଗ୍ରାମରେ ରେଡିଓ ଶ୍ରୋତାମଣ୍ଡଳୀ ମହିଳା ମାନଙ୍କ ସହିତ ମିଶି ତାଙ୍କ ଗ୍ରାମରେ ପାଳନ କରାଯାଇଥିଲା ,ଏହି କାର୍ଯ୍ୟକ୍ରମକୁ ରେଡ଼ିଓ ନମସ୍କାରର ସଂଯୋଜିକା ଏସ୍ କାଜଲ, ରାନୁ ସେଠୀ ,ରୋଜାଲିନ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *