ବିଦ୍ୟୁତ୍ ଜନିତ ଅଗ୍ନିକାଣ୍ଡରେ ୨ ଏକର କାଜୁ ଜଙ୍ଗଲ ନଷ୍ଟ
କୋଣାର୍କ – କୋଣାର୍କ କାକଟପୁର ରାସ୍ତାର ଜମରା ଗ୍ରାମ ୨୨ ଏକର ଖେଳ ପଡିଆ ଠାରେ ରବିବାର ମଧ୍ୟାହ୍ନରେ ୧୧ କେଭି ବିଦ୍ୟୁତ୍ ଡ୍ରପ ଆଉଟ୍ କାରଣରୁ ଅଗ୍ନିକାଣ୍ଡ ଘଟି ୨ ଏକର କାଜୁ ଜଙ୍ଗଲ ପୋଡ଼ି ନଷ୍ଟ ହୋଇଯାଇଛି। ତୁରନ୍ତ ଖବର ପାଇ ଗ୍ରାମବାସୀଙ୍କ ସହ ଚଂପାହର ଅଗ୍ନିଶମ ବାହିନୀ ଦ୍ଵାରା ନିଆଁ କୁ ଆୟତ୍ତ କରାଯାଇଛି। ୧୧ କେଭି ବିଦ୍ୟୁତ୍ ତାରରୁ ନିଆଁ ବାହାରି ଭୂମିରେ ପଡ଼ିଥିଲା ପରେ ଖରା କାରଣରୁ ଶୁଖିଲା ଘାସ ଜରିଆରେ ପବନ ବେଗରେ ନିଆଁ ମାଡ଼ି ଯାଇଥିଲା। ରାସ୍ତାରେ ଯାଉଥିବା ଲୋକଙ୍କ ଠାରୁ ଖବର ପାଈ ଜମରା ଗ୍ରାମବାସୀ ତୁରନ୍ତ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ହେଲେ ପ୍ରବଳ ପବନ କାରଣରୁ ଶୁଖିଲା ଘାସ ଓ କାଜୁ ଜଙ୍ଗଲରେ ନିଆଁ ହୁତୁହୁତୁ ହୋଇ ମାଡ଼ି ଯାଇଥିଲା। ଗ୍ରାମବାସୀଙ୍କ ଦ୍ଵାରା ଫୋନ କଲ୍ ପରେ ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ନିଆଁକୁ ଆୟତ୍ତ କରିଥିଲେ। ପ୍ରାୟ ଦୁଇ ଏକର ଘରୋଇ ବ୍ୟକ୍ତିଙ୍କ କଜୁ ଜଙ୍ଗଲ ସହ ଗୋଚର ଜମି ପୋଡି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ଉକ୍ତ ସ୍ଥାନରୁ କୁରୁଜଙ୍ଗଙ୍କୁ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାର ଡ୍ରପ ଆଉଟ୍ କାରଣରୁ ବାରମ୍ଵାର ସେହି ସ୍ଥାନରେ ଅଗ୍ନିକାଣ୍ଡ ଘଟୁଛି। ପୂର୍ବରୁ ଅନେକ ବାର ଏପରି ଅଗ୍ନିକାଣ୍ଡ ଘଟିଛି।

ଯାହାକୁ ନେଇ ଗ୍ରାମବାସୀ ମାନେ କୋଣାର୍କ ବିଦ୍ୟୁତ୍ ସେକ୍ସନ କୁ ବାରମ୍ଵାର ଏହାର ସ୍ତାୟୀ ସମାଧାନ ପାଇଁ ଅଭିଯୋଗ କରିଥିଲେ ମଧ୍ଯ କୌଣସି ସମାଧାନ କରା ଯାଉନାହିଁ। ଯାହା ଫଳରେ ଅନେକ ସମୟରେ ଅଗ୍ନିକାଣ୍ଡ ଘଟି ମୂଲ୍ୟବାନ ବୃକ୍ଷ ନଷ୍ଟ ହେବା ସହ ପରିବେଶ ନଷ୍ଟ ହେଉଛି। ଏନେଇ ଜମରା ଗ୍ରାମର ଦୂଲାଦେଇ ୟୁଥ୍ କ୍ଲବ୍ ସଦସ୍ୟ ଓ ପରିବେଶପ୍ରେମୀ ଜ୍ଞାନ ରଞ୍ଜନ ବିଶ୍ଵାଳ ଏହାର ଦୃଢ ନିନ୍ଦା କରିବା ସହିତ ସ୍ଥାୟୀ ସମାଧାନ ପାଇଁ ଦାବି କରିଛନ୍ତି। ଏହି ଅଗ୍ନିକାଣ୍ଡକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀ ସମେତ ଜ୍ଞାନ ରଞ୍ଜନ ବିଶ୍ଵାଳ, ଶୁଭ ପ୍ରକାଶ ଖଟୋଇ, ବନମାଳୀ ବିଶ୍ଵାଳ, ଅରୁଣ, ଗୋପି, ବିଜୁ, ବାପୁନି ପ୍ରମୁଖ ସହଯୋଗ କରିଥିଲେ।
