୨୦ କିଲୋ ୧୦୦ ଗ୍ରାମ ଗଞ୍ଜେଇ ଜବତ
୨୦ କିଲୋ ୧୦୦ ଗ୍ରାମ ଗଞ୍ଜେଇ ଜବତ, ଦୁଇ ଗିରଫ, ପାରିବାରିକ ଅସୁବିଧା ପାଇଁ ଗଞ୍ଜେଇ ବେପାର
ଗଣିଆ -ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅପରେସନ ‘ପ୍ରହାର’କୁ ଜୋରଦାର କରିଥିବା ବେଳେ ତାହାର ପ୍ରଭାବ ଗଣିଆରେ ଦେଖିବାକୁ ମିଳିଛି । ଗଣିଆରେ ଥିବା ମା କଳାପାଟ ଠାକୁରାଣୀଙ୍କ ପୀଠ ନିକଟରୁ ଗଞ୍ଜେଇ ସହିତ ଦୁଇଜଣଙ୍କୁ ଗିରଫ କରିଛି ଗଣିଆ ପୋଲିସ । ଘଟଣାରୁ ଜଣାପଡିଛି ଯେ ବୁଧବାର ଦିବା ୮ ଘଟିକା ସମୟରେ ଛାମୁଣ୍ଡିଆ ପଞ୍ଚାୟତ ବଡମୂଳ ଠାରେ ପୋଲିସ ପାଟ୍ରୋଲି କରୁଥିବା ବେଳେ ଏକ ପଲସର ଦ୍ରୁତ ଗତିରେ ଆସୁଥିଲା । ଗଣିଆ ପୋଲିସ ଉକ୍ତ ଗାଡିକୁ ପ୍ରାୟ ୨୦ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଧରିବା ପରେ ତାଙ୍କୁ ଧରିବାରେ ସକ୍ଷମ ହୋଇଥିଲା । ଗଣିଆ ଥାନାକୁ ଆଣି ପଚରାଉଚରା କରିବା ପରେ ଗିରଫ ଅଭିଯୁକ୍ତ ପ୍ରମୋଦ ରଣାଙ୍କ ପୁଅ ଯୁଧିଷ୍ଠିର ରଣାଙ୍କ ଘର ବାଲୁଗାଁ ହୋଇଥିବା ବେଳେ ସେ ଯାଜପୁରର ଉଦୟପୁର ଠାରେ ରହୁଥିବା ପ୍ରକାଶ କରିଥିଲେ । ଆଉ ଜଣେ ଯାଜପୁର ବ୍ରହ୍ମବରଦା ଗ୍ରାମର ଅଜୟ ଜେନାଙ୍କ ପୁଅ ଅଭୟ ଜେନା ବୋଲି ଜଣାପଡିଥିଲା । ତହସିଲଦାର ପ୍ରିତିବାଳା ରଣାଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରାଯାଇଥିବା ବେଳେ ପ୍ରାୟ ୨୦ କିଲୋ ୧ଶହ ଗ୍ରାମ ବୋଲି ଜଣାପଡିଛି । ଗଞ୍ଜେଇ ସହିତ ଏକ ବ୍ଳୁ ରଙ୍ଗର ପଲସର ମଧ୍ୟ ଜବତ କରାଯାଇଛି । ଏହି ଚଢ଼ାଉରେ ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା, ଏସଆଇ ଶ୍ୟାମସୁନ୍ଦର ପ୍ରଧାନ, ଏଏସଆଇ ଦେବାଶିଷ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ଗୁରୁବାର ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି । ତେବେ ଗିରଫ ମୁଖ୍ୟ ଅଭିଯୁକ୍ତ ଜଣକ ନିଜର ପାରିବାରିକ ଅସୁବିଧା ପାଇଁ ଗଞ୍ଜେଇ ବ୍ୟବସାୟକୁ ଆପଣେଇଥିବା ଜଣାଇବା ସହିତ ସେ ପିଲାଙ୍କୁ ଟ୍ୟୁସନ କରି ନିଜର ଗୁଜୁରାଣ ମେଣ୍ଟାଉଥିବା ପ୍ରକାଶ କରିଛନ୍ତି । ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ
