ବାଇଶି ପାହାଚ

ବାଇଶି ପାହାଚ


           ଡ. ପ୍ରେମାନନ୍ଦ ବେହେରା

ସିଂହଦ୍ୱାରଠାରୁ କୁର୍ମ ବେଢ଼ା ଯାଏଁ
ଅଛି ବାଇଶି ପାହାଚ 
ଥରେ ପାଦ ଦେଲେ ବାଇଶି ପାପରୁ
ମିଳିଯାଇଥାଏ ମୋକ୍ଷ ।।
ରାଜା ଭାନୁଦେବ ଜମ୍ବେଶ୍ଵର ପୁଜି
ଲଭିଲେ ପୁତ୍ର ସନ୍ତାନ
ଜାତକରୁ ଯେବେ ଜ୍ଞାତ ହୋଇଗଲେ
ଦୁଃଖରେ ଭାସିଲା ମନ ।।
ପୁତ୍ରର ଆୟୁଷ ରହିଛି କେବଳ
ମାତ୍ର ବାଇଶି ବରଷ
ଆରଧନା କଲେ ପ୍ରଭୁ ଜମେଶ୍ଵର
ମାଗିଲେ ପୁତ୍ର ଆୟୁଷ ।।
ଭକ୍ତର ଦୁଃଖକୁ ହରିବା ପାଇଁ କି
ଶ୍ରୀମୁଖରୁ ଆଜ୍ଞା ଦେଲେ
ଶ୍ରୀମନ୍ଦିରେ ଯାଇ ବାଇଶି ପାହାଚ
ନିର୍ମାଣ କର କହିଲେ ।।
ପାହାଚ ନିର୍ମାଣ କରିଣ ରାଜନ
ସନ୍ତାନକୁ ନେଇ ବେଗେ
ବାଇଶି ପାହାଚେ ଗଡ଼ାଇ ଦେଇଣ
ପ୍ରଭୁ ଆଶୀଷ ଲଭିଲେ ।।
ବାଇଶି ପାହାଚେ ପିତୃପୁରୁଷଙ୍କୁ
ଦିଆଯାଇଥାଏ ଶ୍ରାଦ୍ଧ
ପିତୃପୁରୁଷଙ୍କ ଆଶୀର୍ବାଦ ମିଳେ
ଫଳବତୀ ହୁଏ କାର୍ଯ୍ୟ ।।
ଦିବ୍ୟ ତତ୍ତ୍ୱମୟ ସେ ପବିତ୍ରମୟ
ଅଟେ ବାଇଶି ପାହାଚ
ତାକୁ ଅତିକ୍ରମେ ବାଇଶି ପାପରୁ
ମାନବ ହୁଅଇ ମୁକ୍ତ ।।
ଦ୍ୱିତୀୟ ସୋପାନେ ଅଛି ଯମଶିଳା
ଭକତେ ସ୍ପର୍ଶ କରନ୍ତି
କାଳିଆ ଦର୍ଶନେ ମାତ୍ରକେ ଠାକୁର
ଅକାଳ ମୃତ୍ୟୁ ନାଶନ୍ତି ।।
ବଡ଼ଦାଣ୍ଡ ଧୂଳି ମଥାପରେ ମାରି
ବାଇଶି ପାବଚ୍ଛେ ଗଡ଼ି
ଦର୍ଶନରେ ତୋର ବିଭୋର ହୋଇ ମୋ
ପ୍ରାଣ ଯାଆନ୍ତା କି ଛାଡି ।।
ହେ ମୋର କାଳିଆ ଜଗତ ଠାକୁର
ପାଦତଳେ ତୋ ଗୁହାରୀ
ଦୀନ ଅକୀଞ୍ଚନ ଏ ଭକ୍ତ ଉପରେ
ଛିଞ୍ଚିବୁ କରୁଣା ବାରି ।।

ପ୍ରଧାନ ଶିକ୍ଷକ
ସତ୍ୟସେବା ଉଚ୍ଚ ବିଦ୍ୟାଳୟ, କନସିଂହା
ପଦ୍ମପୁର, ବରଗଡ଼

Leave a Reply

Your email address will not be published. Required fields are marked *