ପୁରୀ ରଥଯାତ୍ରା ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୨ୟ ସମୀକ୍ଷା ବୈଠକ ଅନୁଷ୍ଠିତ

ପୁରୀ ରଥଯାତ୍ରା ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୨ୟ ସମୀକ୍ଷା ବୈଠକ ଅନୁଷ୍ଠିତ l ଶୃଙ୍ଖଳିତ ରଥଯାତ୍ରା ୨୦୨୬ ନେଇ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ଜନ ସାଧାରଣଙ୍କ ସୁରକ୍ଷା ଓ ନିରାପତ୍ତାକୁ ଗୁରୁତ୍ୱଭୁବନେଶ୍ୱର, ୧୭.୦୨. ୨୦୨୬ ଚଳିତ ୨୦୨୬ ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବରେ ଅନୁଷ୍ଠିତ ହେବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ୨ୟ ସମୀକ୍ଷା ବୈଠକ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗତ ଜାନୁଆରୀ ୧୩ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରଥଯାତ୍ରା ସମନ୍ୱୟ କମିଟିର ପ୍ରଥମ ବୈଠକରେ ନିଆଯାଇଥିବା ନିଷ୍ପତ୍ତିର କାର୍ଯ୍ୟାନୁଷ୍ଠାନ ସଂପର୍କରେ ମୁଖ୍ୟ ଶାସନ ସଚିବ ସମୀକ୍ଷା କରିଥିଲେ । ବୈଠକରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସନ ଡଃ. ଅରବିନ୍ଦ କୁମାର ପାଢ଼ୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଊଷା ପାଢୀ, ପୁଲିସ ଡିଜିପି ଓ୍ୱାଇ.ବି. ଖୁରାନିଆ , ଅଗ୍ନିଶମ ସେବା ଡିଜି ଡଃ. ସୁଧାଂଶୁ ଷଡଙ୍ଗୀ, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ଆଇନ୍ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ପବିତ୍ରମୋହନ ସାମଲଙ୍କ ସମେତ ସମ୍ପୃକ୍ତ ଅନ୍ୟ ବିଭିନ୍ନ ବିଭାଗ ଓ ସଂସ୍ଥାର ବରିଷ୍ଠ ପଦାଧିକାରୀ ଏବଂ କର୍ତ୍ତୃପକ୍ଷମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସଂପୃକ୍ତ ବିଭିନ୍ନ ବିଭାଗଙ୍କର କାର୍ଯ୍ୟକୁ ନେଇ ଜିଲ୍ଲାପାଳ, ପୁରୀଙ୍କ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ରଥଯାତ୍ରା ମାଷ୍ଟର ପ୍ଲାନ୍‌-୨୦୨୬ କୁ ପୁରୀ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା ଏବଂ ପୁରୀ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତୀକ ସିଂ ଉପସ୍ଥାପନ କରିବା ସହ ରାଜ୍ୟ ପ୍ରଶାସନ ତଥା ବିଭିନ୍ନ ବିଭାଗ ତରଫରୁ ସହଯୋଗ ନେଇ ଆବଶ୍ୟକତା ପ୍ରକାଶ କରିଥିଲେ । ସୂଚନା ଯୋଗ୍ୟ ଯେ ଚଳିତ ବର୍ଷ ଶ୍ରୀଗୁଣ୍ଡିଚା ରଥଯାତ୍ରା ଆଗାମୀ ଜୁଲାଇ ୧୬ ତାରିଖରେ, ବାହୁଡ଼ା ଯାତ୍ରା ଜୁଲାଇ ୨୪ ତାରିଖ ,ସୁନାବେଶ ଜୁଲାଇ ୨୫ ଏବଂ ନିଳାଦ୍ରୀ ବିଜେ ଜୁଲାଇ ୨୭ ରେ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଅକ୍ଷୟ ତୃତୀୟା, ସ୍ନାନ ଯାତ୍ରା ଆଦି ନୀତି ରହିଛି । ରଥ ନିର୍ମାଣ ପାଇଁ ରଥ କାଠ ସୁବିଧା କରାଯାଇଛି । ରଥଯାତ୍ରା ପରିପ୍ରେକ୍ଷୀରେ ଆବଶ୍ୟକ ରଥ କାଠ ସଂଗ୍ରହ ପ୍ରକ୍ରିୟା ସୁରୁଖୁରୁରେ ଚାଲିଥିବା ଏବଂ ରଥଯାତ୍ରା ନେଇ ଆନୁଷଙ୍ଗିକ ପ୍ରସ୍ତୁତି ଜାରି ରହିଥିବା ସଂପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଥିଲେ । ପୂର୍ବ ବର୍ଷ ଅନୁଭୂତିଦୃଷ୍ଟିରୁ ଉଭୟ ଗୁଣ୍ଡିଚା ଓ ବାହୁଡା ପାଇଁ ୨ ଟି ଅଲଗା ଅଲଗା ଚାରମାଳ ବ୍ୟବସ୍ଥା କରାଯାଉଥିବା ସଂପର୍କରେ ସେ ସୂଚନା ଦେଇଥିଲେ । ବୈଠକରେ ରଥଟଣା ଠିକ୍‌ ସମୟରେ ଆରମ୍ଭ ହେବା ପାଇଁ ଶ୍ରୀଜିଉଙ୍କ ନୀତି ନିର୍ଦ୍ଧାରିତ ସମୟରେ ସରିବା ଠାରୁ ଆରମ୍ଭ କରି ରଥ ଯାତ୍ରା ସମୟରେ ପୁରୀ ବଡଦାଣ୍ଡରେ ଜନଗହଳି ନିୟନ୍ତ୍ରଣ, ପୁରୀ ଓ ପାରିପାର୍ଶ୍ୱିକ ଅଂଚଳରେ ପାର୍କିଂ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, ଜରୁରୀକାଳୀନ ସେବା, ପରିମଳ ବ୍ୟବସ୍ଥା ଆଦି ସଂପର୍କରେ ଆଲୋଚନା କରାଯାଇଥିଲା । ଚଳିତ ବର୍ଷ ଜନ ଗହଳି ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ରଥଯାତ୍ରାର ବହୁ ପୂର୍ବରୁ ବଡଦାଣ୍ଡ ସମେତ ଉତ୍ତରା ଛକରୁ ବଡଦାଣ୍ଡ ପର୍ଯ୍ୟନ୍ତ ଯଥେଷ୍ଟ ସଂଖ୍ୟକ ସିସିଟିଭି ବ୍ୟବସ୍ଥା କରିବାକୁ ଡିଜିପି ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ । ଓକାକ୍‌ ସହାୟତାରେ ଏଥି ପାଇଁ ବ୍ୟବସ୍ଥା କରାଯିବାକୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଜନ ସାଧାରଣଙ୍କ ସୁରକ୍ଷା ଓ ନିରାପତ୍ତାକୁ ପ୍ରାଥମିକତା ଦେଇ ପ୍ରସ୍ତୁତି ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା ।

ବଡଦାଣ୍ଡରେ ଲୋକମାନଙ୍କୁ ପହଣ୍ଡି ଓ ନୀତି ସଂପର୍କିତ ସୂଚନା ଓ ରଥଯାତ୍ରାର ଧାରା ବିବରଣୀ ସଂପର୍କରେ ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ୭୦ ଟି ସ୍ଥାନରେ ଏଲଇଡି ଟିଭି ଲଗାଇବାକୁ ଅନୁରୋଧ କରାଯାଇଛି । ଭାରତୀୟ ରେଳପଥ ତରଫରୁ ପୁରୀ ରେଳ ଷ୍ଟେସନରେ ସୁବିଧାରେ ଟିକେଟ କାଉଣ୍ଟର ପରିଚାଳନା ଓ ଏକାଧିକ ସ୍ଥାନରେ ଟିକେଟ ଉପଲବ୍ଧ ହେବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଏବଂ ଅନ୍ ଲାଇନ୍ ଟିକେଟ୍ ଉପଲବ୍ଧତା ନେଇ ଆଲୋଚନା କରାଯାଇଛି । ଜନଗହଳି ନିୟନ୍ତ୍ରଣ ପାଇଁ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପାର୍କିଂ ସ୍ଥଳ ନିର୍ମାଣ କରିବାକୁ ପ୍ରସ୍ତାବ ଦିଆଯାଇଛି । ବଡଦାଣ୍ଡକୁ ଉଜ୍ୱଳ ଆଲୋକରେ ଆଲୋକିତ କରିବା ପାଇଁ ୫୦ ଟି ହାଇମାଷ୍ଟ ଲାଇଟ୍ ଲାଗିବା ବ୍ୟବସ୍ଥା କରାଯିବ । ଅତ୍ୟଧିକ ବର୍ଷା ହେଲେ ଜନ ନିଷ୍କାସନ ସମସ୍ୟାର ସମାଧାନ ପାଇଁ ନଗର ଉନ୍ନୟନ ବିଭାଗ ଏବଂ ଅଗ୍ନିସେବା ବିଭାଗ ସହ ଆଲୋଚନା ହୋଇଛି । ନଗର ଉନ୍ନୟନ ବିଭାଗ ଓ ପୂର୍ତ୍ତ ବିଭାଗ ସମନ୍ୱୟରେ ମଧ୍ୟ ଅସ୍ଥାୟୀ ପାର୍କିଂ ସ୍ଥଳଗୁଡିକର ସୁବ୍ୟବସ୍ଥିତ କରିବାକୁ ଆଲୋଚନା କରାଯାଇଛି । ପୂର୍ତ୍ତ ବିଭାଗ ପକ୍ଷରୁ ରଥଯାତ୍ରାର ଯଥେଷ୍ଟ ପୂର୍ବରୁ ରସ୍ତା ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ସରିବ । ଗୁଣ୍ଡିଚା ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଛି । ଆଇନ୍ ଶୃଙ୍ଖଳା ଏବଂ ଭିଡ ନିୟନ୍ତ୍ରଣ କୁ ଦୃଷ୍ଟିରେ ରଖି ଅସ୍ଥାୟୀ ସମନ୍ୱିତ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ସ୍ଥାପନ ନେଇ ଆଲୋଚନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *