ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା – ୨୦୨୬ ସଂପର୍କିତ ୩ୟ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, ୧୬.୦୩. ୨୦୨୬ ଆଗାମୀ ଜୁନ ମାସରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ୩ୟ ବୈଠକ ଆଜି ସଂଧ୍ୟାରେ ଲୋକସେବା ଭବନସ୍ଥିତ ସମ୍ମିଳନୀରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ରଥଯାତ୍ରା ପ୍ରସ୍ତୁତି ସଂପର୍କରେ ଆଗୁଆ ପଦକ୍ଷେପ ନେବାକୁ ଗତ ଜାନୁଆରୀ ମାସ ୧୩ ତାରିଖରେ ପ୍ରଥମ ବୈଠକ ଓ ଫେବୃଆରୀ ୧୭ ତାରିଖରେ ୨ୟ ବୈଠକ ଅନୁଷ୍ଠିତ ହୋଇଥିଲା । ଗତ ବୈଠକମାନଙ୍କର ନିଷ୍ପତ୍ତି କେତେଦୂର କାର୍ଯ୍ୟକାରୀ ହୋଇଛି ସେ ସଂପର୍କରେ ବୈଠକରେ ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୃହ, ସୂଚନା ଓ ଲୋକସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଡଃ. ଅରବିନ୍ଦ କୁମାର ପାଢ଼ୀ, ପୁଲିସ ଡିଜି ଓ୍ୱାଇବି ଖୁରାନିଆ, ଅଗ୍ନିଶମ ସେବା ବିଭାଗ ଡିଜି ଡଃ. ସୁଧାଂଶୁ ଷଡଙ୍ଗୀ, ଗୃହ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଊଷା ପାଢ଼ୀଙ୍କ ସମେତ ପୂର୍ତ୍ତ, ଇଲୋକଟ୍ରୋନିକ୍ସ ଓ ଆଇଟି, ଆଇନ୍‌, ବାଣିଜ୍ୟ ଓ ପରିବହନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆଦି ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ, ରେଲଓ୍ୱେ କର୍ତ୍ତୃପକ୍ଷ ଆଦି ଉପସ୍ଥିତ ରହି ପ୍ରସ୍ତୁତି ସଂପର୍କରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପୁରୀ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା ଏବଂ ଏସପି ଶ୍ରୀ ପ୍ରତୀକ ସିଂ ପ୍ରସ୍ତୁତି ଅଗ୍ରଗତି ସଂପର୍କରେ ସୂଚନା ଉପସ୍ଥାପନ କରିଥିଲେ । ବୈଠକର ଆଲୋଚନା ଅନୁସାରେ ରଥଯାତ୍ରା ସମୟରେ ପୁରୀ ବଡ଼ଦାଣ୍ଡରେ ଉଭୟ ପଟରେ ପ୍ରମୁଖ ୮ ଟି ସ୍ଥାନରେ ଅସ୍ଥାୟୀ ଡ଼ାକ୍ତରୀ ଚିକିତ୍ସା ସୁବିଧା ସେବା କେନ୍ଦ୍ର ରହିବ । ସେଠାରେ ଜରୁରୀ ଆବଶ୍ୟକତା ସେବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ ରହିବେ । ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ପାଇଁ କେବଳ ଗୋଟିଏ ପଟକୁ ଆମ୍ବୁଲାନ୍ସ ନିର୍ଦ୍ଦିଷ୍ଟ ପଟରେ ଥିବା ଚିକିତ୍ସା କେନ୍ଦ୍ର କୁ ଯାଇପାରିବ । ଏପଟ ସେପଟ ହୋଇ (କ୍ରିସ୍ କ୍ରସ୍ ) ଭଳି ଅନ୍ୟ ଦିଗକୁ ଗତି କରିବାକୁ ପଡିବ ନାହିଁ, ଫଳରେ ଜନଗହଳିରେ ଅସୁବିଧା କମାଇବ । ଆମ୍ବୁଲାନ୍ସ ସେବା ମଧ୍ୟ ପୃଥକ୍ ଭାବେ ଜିଲ୍ଲା ମୁଖ୍ୟାଳୟ ଏବଂ ଆଇଡିଏଚ୍‌, ପୁରୀକୁ ବିଭିନ୍ନ ଦିଗରେ ହସ୍ପିଟାଲ ସୁବିଧା ପାଇଁ ଗତି କରିପାରିବେ । ବୈଠକରେ ସହର ପରିମଳ ଓ ଶୌଚାଳୟ ବ୍ୟବସ୍ଥା ପ୍ରସ୍ତୁତି ଅଗ୍ରଗତି ସମୀକ୍ଷା କରାଯାଇଥିଲା । ଅତ୍ୟଧିକ ବର୍ଷା ବେଳେ ଜଳ ନିଷ୍କାସନ ବ୍ୟବସ୍ଥା ପରିଚାଳନା ପାଇଁ କମିଟି ଗଠନ କରାଯାଇଛି । ପୁରୀ ସହର ଓ ସଂଲଗ୍ନ ରାସ୍ତାର ଉନ୍ନତିକରଣ, ଆବଶ୍ୟକ ବିଦ୍ୟୁତିକରଣ କାର୍ଯ୍ୟ, ରେଳବାଇ ତରଫରୁ ଯାତ୍ରୀ ପରିବହନ ସୁବିଧା ନେଇ ସ୍ୱତନ୍ତ୍ର ପଦକ୍ଷେପ, ଜନଗହଳି ନିୟନ୍ତ୍ରଣ, ଟ୍ରାଫିକ୍‌ ପରିଚାଳନା, ରଥକାଠ ସୁବିଧା, ପାର୍କିଂ ଓ ଅତିରିକ୍ତ ପାର୍କିଂ ବ୍ୟବସ୍ଥା, ସମନ୍ୱିତ କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟର ପରିଚାଳନା, ସିସିଟିଭି ବ୍ୟବସ୍ଥା ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଶ୍ରୀଜିଉଙ୍କ ନୀତିକାନ୍ତି, ଭିଡ ନିୟନ୍ତ୍ରଣ, ରଥଯାତ୍ରା ସଂପର୍କିତ ସୂଚନା ପାର୍ଇ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ୭୦ଟି ପ୍ରମୁଖ ସ୍ଥାନରେ ଏଲଇଡି ଟିଭି ବ୍ୟବସ୍ଥା କରାଯିବା ନେଇ ବ୍ୟବସ୍ଥା କରାଯାଉଛି । ରଥଯାତ୍ରା ପୂର୍ବରୁ ପୁରୀରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିର୍ମାଣଧିନ ରାସ୍ତା କାର୍ଯ୍ୟ ରଥଯାତ୍ରା ପୂର୍ବରୁ ସାରିବା ପାଇଁ କାର୍ଯ୍ୟ ଅଗ୍ରଗତି ଚାଲିଛି । ବୈଠକରେ ପୁରୀରେ ମୋବାଇଲ ନେଟଓ୍ୱାର୍କ ଉନ୍ନତିକରଣ ,ଅଗ୍ନିଶମ ସେବା ଓ ଜରୁରୀ କାଳୀନ ସୁବିଧା, ଜରୁରୀ ଆବଶ୍ୟକ ସ୍ଥଳେ ସ୍ୱେଚ୍ଛାସେବୀ ମୁତୟନ ଓ ସେମାନଙ୍କୁ ପ୍ରଶିକ୍ଷଣ, ପୁଲିସ୍ କର୍ମଚାରୀମାନଙ୍କ ପାଇଁ ଓ ଅନ୍ୟାନ୍ୟ ଆବଶ୍ୟକତା ପାଇଁ ଅସ୍ଥାୟୀ ଆଶ୍ରୟସ୍ଥଳ ପ୍ରସ୍ତୁତି, ସିସିଟିଭି ବ୍ୟବସ୍ଥା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ. ପାଢୀ ରଥ ନିର୍ମାଣ ପାଇଁ ରଥକାଠ ବ୍ୟବସ୍ଥା ଓ ଅନ୍ୟାନ୍ୟ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଥିଲେ । ଚଳିତ ବର୍ଷ ରଥଯାତ୍ରା ପାଇଁ ଆଗାମୀ ମାର୍ଚ୍ଚ ୨୭ ରେ ଶ୍ରୀରାମ ନବମୀରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସ୍ତତି ସଂପର୍କରେ ସୂଚନା ଦେଇଥିଲେ ।

Leave a Reply

Your email address will not be published. Required fields are marked *