୫ବଖରା ଚାଳ ଘର ପୋଡ଼ି ପାଉଁଶ ଘଟଣା

କୋଣାର୍କ,୨୯.୦୪ – କୋଣାର୍କ ଥାନା ଅନ୍ତର୍ଗତ ଅବଦାନ ପଞ୍ଚାୟତ ସୁଆର ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଗ୍ରାମର ଜଣେ ଅସାମାଜିକ ବ୍ୟକ୍ତି ନିଜ ଘର ପୋଡ଼ି ଅନ୍ୟକୁ ଫସାଇବାକୁ ଉଦ୍ୟମ କରିଥିବା ବେଳେ, ନିକଟରେ ଥିବା ୫ବଖରା ଚାଳ ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡ଼ି ପାଉଁଶ ହୋଇଯାଇଥିଲା। ଏନେଇ କୋଣାର୍କ ପୋଲିସ୍ ଅଭିଯୁକ୍ତକୁ ଥାନାରେ ଅଟକ ରଖି ତଦନ୍ତ ଚଳାଇ ମାମଲା ରୁଜୁ କରିଥିଲା। ବୁଧବାର ଅଭିଯୁକ୍ତ ଦିବାକର ମଲ୍ଲିକଙ୍କୁ କୋଣାର୍କ ପୋଲିସ୍ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ନିମାପଡ଼ା ଜେଲକୁ ପଠାଇ ଦିଆଯାଇଛି। ସରସ୍ଵତୀ ମଲ୍ଲିକଙ୍କ ଅଭିଯୋଗ କ୍ରମେ କୋଣାର୍କ ଥାନା ପକ୍ଷରୁ ୭୪/୨୦୨୫ ରେ ମାମଲା ରୁଜୁ କରିବା ସହ ଭାରତୀୟ ନ୍ୟାୟ ସଂହିତା ଆଇନ ୩୨୬ଜି ଓ ୨୯୬ ଧାରା ଅନୁଯାୟୀ ଦିବାକରଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।ସୁଚନା ଅନୁଯାୟୀ ସୁଆର ଗ୍ରାମର ପୂର୍ବରୁ ଅନେକ ମାମଲାରେ ସଂପୃକ୍ତ ଥିବା ଅସାମାଜିକ ବ୍ୟକ୍ତି ଦିବାକର ମଲ୍ଲିକ ସେହି ଗ୍ରାମର ସରୋଜ ମଲ୍ଲିକ ସହ ରବିବାର ଝଗଡ଼ା କରିଥିଲା। ସରୋଜ ମଲ୍ଲିକକୁ ଫସାଇବକୁ ଯାଇ ସେ ନିଜର ଚାଳ ଘରୁ ଜିନିଷ ପତ୍ର କାଢି ନେଇ ବିଳମ୍ବିତ ରାତିରେ ନିଆଁ ଲଗାଇ ଦେଇଥିଲା। ଯାହା ଫଳରେ ଘରକୁ ଲାଗି ଥିବା ୫ଜଣ ଗରିବ ଲୋକଙ୍କ ୫ବଖରା ବ୍ୟବହୃତ ଚାଳ ଘର ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ଦୁଇ ଦଳିତ ଅସହାୟ ମହିଳା ପରିବାରଙ୍କ ଘରେ ଥିବା ସମସ୍ତ ଆସବାବପତ୍ର, ବାସନ ଓ ରୋଷେଇ ସାମଗ୍ରୀ, ସୁନା ରୂପା ଗହଣା ଗାଣ୍ଠି, ପାଠ ପଢା ବହିପତ୍ର, ଜରୁରୀ କାଗଜପତ୍ର, ଧାନ ଚାଉଳ, ସାଇକେଲ, ସିଲାଇ ମେସିନ, ଗ୍ୟାସ ଚୁଲା ଓ ଟାଙ୍କି ସହ ନଗଦ ଲକ୍ଷେ ଟଙ୍କା ପୋଡ଼ି ପାଉଁଶ ହୋଇଯାଇଛି। ସରସ୍ଵତୀ ମଲ୍ଲିକ ଓ ପିଙ୍କି ମଲ୍ଲିକଙ୍କ ଘର ସହ ସମସ୍ତ ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି। କିଛି ବି ବ୍ୟବହାର ପାଇଁ ନାହିଁ। ଏଥି ସହିତ ଜୟରାମ ମଲ୍ଲିକ, ହାଡିବନ୍ଧୁ ମଲ୍ଲିକ ଓ ସରୋଜ ମଲ୍ଲିକଙ୍କ ଏକ ଏକ ବଖରା ଘର ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ଯାହା ଏକ ଭୟଙ୍କର ଅଭାବନୀୟ ଘଟଣା ବୋଲି ସ୍ଥାନୀୟ ଅଞ୍ଚଳରେ ଦୁଃଖ ଖେଳିଯାଇଛି। ଅଗ୍ନି ବିପନ୍ନରେ ସମସ୍ତ କ୍ଷତି ହୋଇଥିବା ଦୁଇ ମହିଳା ପରିବାରକୁ ତୁରନ୍ତ ରେଡକ୍ରସ, ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପାଇଁ ସାମାଜିକ କର୍ମୀ ଜ୍ଞାନ ରଞ୍ଜନ ବିଶ୍ଵାଳ ଦାବି କରିବା ସହ ଆବାସ ଓ ଆନ୍ତୋଦୟ ଯୋଜନାରେ ଘର ଯୋଗାଇ ଦେବାକୁ ମଧ୍ଯ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *