ପଞ୍ଚ ଜ୍ଞାନେନ୍ଦ୍ରିୟ
ପଞ୍ଚ ଜ୍ଞାନେନ୍ଦ୍ରିୟ
( ରାଗ — ପୋଇ )
🖊️କବିରତ୍ନ ନୂତନ କୁମାର ବେହେରା
ସାରା ସଂସାରର ଜ୍ଞାନ ହୃଦବୋଧ
କରିଥାଏ ପଞ୍ଚ ଜ୍ଞାନେନ୍ଦ୍ରିୟ,
ଚକ୍ଷୁ ନାସା କର୍ଣ୍ଣ ଜିହ୍ଵା ଚର୍ମ ପାଞ୍ଚ
ଅଙ୍ଗ ଦ୍ବାରା ହୁଏ ସବୁ ଧ୍ୟାୟି।
ମନର ନିବେଶେ ଏ ପାଞ୍ଚ ଇନ୍ଦ୍ରିୟ
ସକ୍ରିୟ ହୁଅନ୍ତି ତାଙ୍କ କାର୍ଯ୍ୟେ,
ଏକାଗ୍ରତା ବିନା ଉପଲବ୍ଧି କିଛି
ହୁଏ ନାହିଁ କେବେ ବି ସହଜେ।
( ଚକ୍ଷୁ )
ଉନ୍ମିଳିତେ ଚକ୍ଷୁ ଦେଖେ ସବୁ ଦୃଶ୍ୟ
ସାରା ଜଗତର ରୂପ ରଙ୍ଗ,
ଭୂମିରୁ ଯେ ଭୂମା ସଚରାଚରର
ଜ୍ଞାନ ଲଭେ ରଖି ଅନୁରାଗ।
ଆଲୋକରେ ଦୃଶ୍ୟ ଅନ୍ଧାରେ ଅଦୃଶ୍ୟ
ହୋଇଥାଏ ଯେତେ ସବୁ ରୂପ,
ନିଦ୍ରା ଅବସ୍ଥାରେ ଦେଖଇ ସପନ
ଯେମିତି କରଇ ସେ ସଂକଳ୍ପ।
( ନାସା )
ନାସା ଦ୍ବାରା ଚାଲେ ଶ୍ଵାସକ୍ରିୟା ସଦା
ପ୍ରାଣବାୟୁ ରଖେ ଯେ ଜୀବନ,
ବାୟୁ ରୁଦ୍ଧ ହେଲେ ଉପୁଜେ ସମସ୍ୟା
ବଞ୍ଚି ରହିବାରେ ଆସେ ବିଘ୍ନ।
ଆଘ୍ରାଣରେ ବାରି ସୁଗନ୍ଧ ଦୁର୍ଗନ୍ଧ
ବୁଝି ସୁଝି ନିଏ ଶୁଦ୍ଧ ବାୟୂ,
ଅହରହ ଚାଲି ନିଃଶ୍ବାସ ପ୍ରଶ୍ବାସ
ବଢ଼ାଏ ପ୍ରାଣର ପରମାୟୁ।
( କର୍ଣ୍ଣ )
ଶବଦ ବାଜିଲେ କର୍ଣ୍ଣ ଜାଗି ଉଠେ
ବୁଝି ତାର ଅର୍ଥ କରେ କର୍ମ,
ଉଚ୍ଚ ଲଘୁ ନାନା ଶବଦ ହୁଅଇ
ମସ୍ତିଷ୍କ ଜାଣଇ ତାର ମର୍ମ।
ନ ଦେଖି ନୟନେ ଶବଦରୁ ଜ୍ଞାନ
କରିଥାଏ ଜଣେ ଆହରଣ,
ମଧୁର ଶବଦ ଏକାଗ୍ରତା ଆଣେ
ଶାନ୍ତ ଶିଷ୍ଟ ନମ୍ର ରହେ ପ୍ରାଣ।
( ଜିହ୍ୱା )
ଜୀବନ ଧାରଣେ ପ୍ରାଣୀ ଖାଏ ଖାଦ୍ୟ
ଜିହ୍ୱା କରେ ସ୍ଵାଦ ଆସ୍ବାଦନ,
ମିଠା କଷା ପିତା ଗୁଣ ବାଛି ବାଛି
ରୁଚିକ ହେଲେ କରେ ଭୋଜନ।
ତାର ସଞ୍ଚାଳନେ ଶବ୍ଦ ଫୁଟେ ମୁଖେ
ଭାବ ଭାଷା ହୁଏ ପ୍ରକାଶିତ,
ଖାଇବା ପିଇବା କଥା କହିବାରେ
ରହିଥାଏ ସଦା କାର୍ଯ୍ୟରତ।
( ଚର୍ମ )
ସ୍ପର୍ଶ ଦ୍ବାରା ଚର୍ମ କରେ ଅନୁଭବ
ଶୀତଳ ଗରମ ତାପମାତ୍ରା,
କୋମଳ ପରଶେ ଲାଗଇ ଆରାମ
କଠିନରେ ହୁଏ ଧୈର୍ଯ୍ୟହରା।
ତ୍ଵଚାର ଚିକ୍କଣେ ଶରୀର ସୁନ୍ଦର
ଆକର୍ଷଣେ ମନ ହୁଏ ମୁଗ୍ଧ,
ରୂପକାନ୍ତି ଫୁଟି ଡ଼ଉଲଡ଼ାଉଲ
ଚେହେରା ଦିଶଇ ତ ସମୃଦ୍ଧ।
ପଞ୍ଚ ଜ୍ଞାନେନ୍ଦ୍ରିୟ ଜ୍ଞାନ ଦେଇ ସଦା
ଦେହକୁ ରଖନ୍ତି ନିରାମୟ,
ସବଳ ସତେଜ ଥିଲେ ନିରନ୍ତର
ଜୀବନରେ କରି ହୁଏ ଜୟ।
ସକଳ ଇନ୍ଦ୍ରିୟ ମନର ଇଙ୍ଗିତେ
ରହିଲେ ସଂଯମେ ହୋଇ ବଶ,
ଅଯଥା କାମନା ନିଏ ନା ଅପଥେ
ଓଠେ ଭରି ରହେ ସଦା ହସ।
କୋହି,ବାରିପଦା,ମୟୂରଭଞ୍ଜ।
