ଷଡ଼ରିପୁ
             ( ରାଗ — ଜୟନ୍ତ )

  🖋️କବିରତ୍ନ ନୂତନ କୁମାର ବେହେରା

ସଂସାରେ ମଣିଷ ଜନ୍ମି’ ଚାହେଁ’ ସୁଖ ଶାନ୍ତି ‘
ଶୃଙ୍ଖଳା ଭୁଲିଲେ ସିଏ’ ଦୁଃଖେ’ ରହେ ଚିନ୍ତି,
                             ନାଶେ’ ଷଡ଼ରି’ପୁ ରେ।
ବିଧିର ବିଧାନ ମାନି ଚଳେ ଯେଉଁ ପ୍ରାଣୀ,
କର୍ମ ଧର୍ମ କରି ପାଳେ ସେ ଅମୃତବାଣୀ,
                              ନାଶେ ଷଡ଼ରିପୁ ରେ।

               (୧) କାମ

ଜୀବ ଜୀଇଁ ଥିବା ଯାଏଁ ମନେ ଥାଏ କାମ,
ବିଚାର କରି ଉଚିତ ହୁଅଇ ସକ୍ଷମ,
                              ନାଶେ ଷଡ଼ରିପୁ ରେ।
ଅଶେଷ କାମନା କରି ଆଚରିଲେ ମନ୍ଦ
ପଥ ହୁଡ଼ିଯାଏ ପାଏ ନାହିଁ ସେ ଆନନ୍ଦ,
                              ନାଶେ ଷଡ଼ରିପୁ ରେ।

            (୨) କ୍ରୋଧ

ମନକୁ ନ ରଖି ଶାନ୍ତ କରେ ଯିଏ କ୍ରୋଧ,
ହୃଦୟରେ ଭାବ ତାର ରହେ ନାହିଁ ଶୁଦ୍ଧ,
                             ନାଶେ ଷଡ଼ରିପୁ ରେ।
ତା’ ବୁଦ୍ଧି ବିବେକ ଜ୍ଞାନ ସବୁ ଯାଏ ହଜି,
ନିଜ ପକ୍ଷ ରଖି ତର୍କେ ଗର୍ବରେ ଗରଜି,
                              ନାଶେ ଷଡ଼ରିପୁ ରେ।

              (୩) ଲୋଭ

ଆବଶ୍ୟକଠାରୁ ବେଶି ଖୋଜିବା ହିଁ ଲୋଭ,
ସନ୍ତୁଷ୍ଟ ହୁଏ ନାହିଁ ସେ ଦେଖେ ଖାଲି ଲାଭ,
                              ନାଶେ ଷଡ଼ରିପୁ ରେ।
ପୂର୍ଣ୍ଣ କରିବାକୁ ଆଶା କରେ କୁମନ୍ତ୍ରଣା,
ପରିଣାମେ ଭୋଗିଥାଏ କଷ୍ଟ ଯନ୍ତ୍ରଣା,
                               ନାଶେ ଷଡ଼ରିପୁ ରେ।

              (୪) ମୋହ

ଆସକ୍ତି ରଖି ଅଶେଷ ଧାଏଁ ତାର ପଛେ,
ଇନ୍ଦ୍ରିୟ ଲାଳସା ଲାଗି ରହିଥାଏ ମିଛେ,
                               ନାଶେ ଷଡ଼ରିପୁ ରେ।
କରି ଛଳ ପାଞ୍ଚେ ମନ୍ଦ ମୋହେ ଖୋଜେ ସୁଖ,
ଭୋଗ ବିଳାସେ ରହି ସେ ପାଏ ବହୁ ଦୁଃଖ,
                               ନାଶେ ଷଡ଼ରିପୁ ରେ।

             (୫) ମଦ

ଉନ୍ମାଦେ ମତ୍ତ ରହିବା ଅଟଇ ଯେ ମଦ,
ନାନା ନିଶା ଦ୍ରବ୍ୟ ଖାଇ ହୁଏ ବରବାଦ,
                              ନାଶେ ଷଡ଼ରିପୁ ରେ।
ଅର୍ଥକୁ କରି ଅନର୍ଥ କରେ ଅହଂକାର,
ନିଜ ସ୍ଵାର୍ଥ ପାଇଁ ସିଏ ହୁଏ ହରବର,
                              ନାଶେ ଷଡ଼ରିପୁ ରେ।

            (୬) ମାତ୍ସର୍ଯ୍ୟ/ମତ୍ସର୍ଯ୍ୟ

ଅନ୍ୟ ପ୍ରତି ଈର୍ଷା ଭାବ ରଖିବା ମାତ୍ସର୍ଯ୍ୟ,
ଦେଖି କାହା ଶିରୀ ସିଏ ହୁଅଇ ଆଶ୍ଚର୍ଯ୍ୟ,
                             ନାଶେ ଷଡ଼ରିପୁ ରେ।
ପରଶ୍ରୀକାତର ଗୁଣେ କରିଥାଏ ହିଂସା,
ଅକୃତକାର୍ଯ୍ୟ ହୋଇ ସେ ଭୋଗଇ ଦୁର୍ଦ୍ଦଶା,
                             ନାଶେ ଷଡ଼ରିପୁ ରେ।

ଷଡ଼ରିପୁ ବଶେ ଥିଲେ ଲକ୍ଷ୍ୟ ହୁଏ ଭ୍ରଷ୍ଟ,
ସ୍ଵଭାବ ଚରିତ୍ର ତାର ହୋଇଯାଏ ନଷ୍ଟ,
                            ନାଶେ ଷଡ଼ରିପୁ ରେ।
ମଣିଷର ରିପୁ ମନ୍ଦ ଗୁଣ ଆଣଇ ବିପତ୍ତି,
ସୁଧାରି ପାରିବ କିଏ କରିଲେ ଆପତ୍ତି ?
                            ନାଶେ ଷଡ଼ରିପୁ ରେ।

       କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨

Leave a Reply

Your email address will not be published. Required fields are marked *