ବ୍ୟାସ ପ୍ରିଣ୍ଟ ମିଡିଆ ସଂଘର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବ୍ୟାସ ପ୍ରିଣ୍ଟ ମିଡିଆ ସଂଘର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ l ଅଗ୍ରଣୀ ସାମ୍ବାଦିକ ସଂଗଠନ ବ୍ୟାସ ପ୍ରିଣ୍ଟ ମିଡିଆ ଆସୋସିଏସନର ସପ୍ତମ ବାର୍ଷିକ ଉତ୍ସବ ରବିବାର ପୂର୍ବାହ୍ନ ରେ ସଂଘ ସଭାପତି ଶରତ ପଥାଳଙ୍କ ସଭାପତିତ୍ୱରେ ବ୍ୟାସଦେବ ଟାଉନ ହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ଉପଦେଷ୍ଟା ହାରଧନ ବାନାର୍ଜୀ ସ୍ୱାଗତ ଭାଷଣଓ ଅତିଥି ପରିଚୟ ଦେଇଥିଲେ। ସଂଘର ସାଧାରଣ ସମ୍ପାଦକ ଡ଼.ଚିନ୍ତାମଣି ପାଢ଼ୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ l ହସ୍ତଶିଳ୍ପ ଓ ବୟନଶିଳ୍ପ ମନ୍ତ୍ରୀ ତଥା ସୁକିନ୍ଦା ବିଧାୟକ ପ୍ରଦୀପ ବଳସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାମ୍ବାଦିକମାନେ ସତ୍ୟ ଓ ନିର୍ଭିକ ସମ୍ବାଦ ପରିବେଷଣ କରିବାକୁ ପରାମର୍ଶ ଦେଇଥିଲେ l ସାମ୍ବାଦିକତା ଏକ ବୃତ୍ତି ନୁହେଁ ଏହା ଏକ ବ୍ରତ, ଯାଜପୁରକୁ ଏକ ବିକଶିତ ଜିଲ୍ଲା ଭାବରେ ଗଢି ତୋଳିବା ପାଇଁ ମୁଁ ସମ୍ପୂର୍ଣ୍ଣ ଚେଷ୍ଟିତବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଥିଲେ l ବିଶିଷ୍ଟ ଅତିଥି ଭାବେ କୋରାଇ ବିଧାୟକ ଆକାଶ ଦାସ ନାୟକ ଯୋଗଦେଇ ସାମ୍ବାଦିକଙ୍କ ଗୋଟିଏ ଲେଖା ଓ ଫଟୋ ଭିଏତନାମା ଆମେରିକା ଯୁଦ୍ଧ ବନ୍ଦ କରିଦେଇଥିଲା ବୋଲି କହିଥିଲେ l

ମୁଖ୍ୟବକ୍ତା ଭାବେ ବଡଖବର ଓ ସମାଲୋଚନା ଖବରକାଗଜର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଯୋଗଦେଇ ସାମ୍ବାଦିକମାନେ କୌଣସି ପରିସ୍ଥିତରେ ନିଜ କଲମକୁ ବିକ୍ରି କରିବା ବା ସରକାରଙ୍କ ସହିତ ସାଲିସ କରି ଅନୁଗୃହିତ ହେବା ସାମ୍ବାଦିକତା ବୃତ୍ତି ପାଇଁ କଳଙ୍କ ବୋଲି କହିଥିଲେ l ସମ୍ମାନିତ ଅତିଥି ଭାବେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ ଯୋଗଦେଇ ସମ୍ବିଧାନର ଚତୁର୍ଥ ସ୍ତମ୍ବ ପାଇଁ ଆମେ ବଞ୍ଚିଛୁ ଓ ପ୍ରକୃତ ସାମ୍ବାଦିକତା ମଣିଷ ଜୀବନରେ ପ୍ରାଣ ପ୍ରତିଷ୍ଠା କରେ ବୋଲି କହିଥିଲେ l ଏକ ସ୍ଥାୟୀ ଘର ପାଇଁ ପ୍ରିଣ୍ଟ ମିଡ଼ିଆର ଦାବିକୁ ଛ ମାସ ମଧ୍ୟରେ ପୂରଣ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନନ୍ଦ ପ୍ରତିଶୃତି ଦେଇଥିବାରୁ ସଂଘ ପକ୍ଷରୁ ତାଙ୍କୁ ସାଧୁବାଦ ଅର୍ପଣ କରାଯାଇଥିଲା l ଅନ୍ୟତମ ସମ୍ମାନିତ ଅତିଥି ବ୍ୟାସନଗର ପୌର ପରିଷଦ ଅଧ୍ୟକ୍ଷ ସୁବାସ ବଳ ଯୋଗଦେଇ ସହରରେ ସାମ୍ବାଦିକମାନେ ଆମ ଭାଇଚାରାକୁ ବଞ୍ଚାଇ ରଖିଛନ୍ତି ବୋଲି କହିଥିଲେ l ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶତାଧିକ ସାମ୍ବାଦିକ, ବୁଦ୍ଧିଜୀବୀ, ଆଇନଜୀବୀ, ସାହିତ୍ୟିକ, ବରିଷ୍ଠ ନାଗରିକ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଉତ୍ସବରେ ଯୋଗ ଦେଇଥିଲେ l

Leave a Reply

Your email address will not be published. Required fields are marked *