କୁମାର କବି ଅରକ୍ଷିତ ପ୍ରଧାନଙ୍କ ୮୬ ତମ ଜୟନ୍ତୀ ଉତ୍ସବ

ବ୍ରହ୍ମଗିରି ତା୨୩/୦୧ – ଓଡ଼ିଶାର ବିଶିଷ୍ଟ ବରପୁତ୍ର, ଯଶୋଦୀପ୍ତ କବି ଓ ସାହିତ୍ୟିକ ତଥା ସାରସ୍ଵତ ସାଧକ କୁମାର କବି ଅରକ୍ଷିତ ପ୍ରଧାନଙ୍କ ସ୍ମୃତିରେ ଗୋଖରା ସ୍ଥିତ ମୃତ୍ୟୁଞ୍ଜୟ କଲ୍ୟାଣ ମଣ୍ଡପ ଠାରେ ୮୬ ତମ ଜନ୍ମୋତ୍ସବ ପାଳନ ହୋଇଯାଇଛି।ଏହି ଉତ୍ସବରେ ତରୁଣକବି ଦାମୋଦର ପରିଡ଼ା ଅଧ୍ୟକ୍ଷତା କରିଥିଲେ। କୁମାର କବି ଫାଉଣ୍ଡେସନ ଓ ସମ୍ବାଦ ସାହିତ୍ୟ ଘର ବ୍ରହ୍ମଗିରି ତରଫରୁ ଆୟୋଜିତ ଏହି ଜନ୍ମୋତ୍ସବରେ ପ୍ରାରମ୍ଭରେ କୁମାର କବି ଫାଉଣ୍ଡେସନ ସମ୍ଫାଦକ ଅଧିବକ୍ତା ଦିଗମ୍ବର ବେହେରା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଏଥିରେ ବହୁ ଲେଖକ, ସମାଜସେବୀ ଓ ସଂସ୍କୃତି ଗବେଷକ ଯୋଗଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ସଂସ୍କୃତି ଗବେଷକ ଲେଖକ ନୀଳମଣି ସୁଆର କୁମାର କବିଙ୍କୁ ସ୍ୱାଭିମାନୀ ଓ ନିର୍ଭିକ ସାହିତ୍ୟିକ ଭାବେ ବର୍ଣନା କରିଥିଲେ। ସାହିତ୍ୟିକ ବନମାଳୀ ଜେନା କହିଥିଲେ ଯେ କୁମାର କବି ତାଙ୍କ ସାହିତ୍ୟ ମାଧ୍ୟମରେ ସାମାଜିକ ସଂସ୍କାର ଓ ସାଂସ୍କୃତିକ ସଚେତନତା ସୃଷ୍ଟି କରୁଥିଲେ। ତାଙ୍କୁ ମରଣୋତ୍ତର ପଦ୍ମଶ୍ରୀ ସମ୍ମାନ ପ୍ରଦାନ ପାଇଁ ସବୁ ସ୍ତରରେ ଉଦ୍ୟମ କରିବାକୁ ସେ ପ୍ରସ୍ତାବ ଦେଇଥିଲେ। ଉତ୍ସବରେ ଅଧ୍ୟାପକ ସୁଶାନ୍ତ କୁମାର ଜେନା ଯୋଗଦେଇ କୁମାର କବିଙ୍କ ଜନ୍ମୋତ୍ସବକୁ ରାଜ୍ୟସ୍ତରୀୟ କରିବା ସହିତ ତାଙ୍କ ସାହିତ୍ୟ କୃତିକୁ ଓଡ଼ିଶା ସାହିତ୍ୟ ଏକାଡେମୀ ଗ୍ରନ୍ଥାବଳୀ ଆକାରରେ ପ୍ରକାଶ କରିବାକୁ ମନ୍ତବ୍ୟ ରଖିଥିଲେ। କୁମାର କବିଙ୍କ ଜୀବନୀ ଓ କୃତିକୁ ସଂରକ୍ଷିତ କରି ରଖିବାକୁ ଭଜନତୀର୍ଥ ଭାଗିରଥି ଦଳାଇ କହିଥିଲେ। ତାଙ୍କ ସାଧନା ପୀଠକୁ ଐତିହ୍ୟ ସ୍ଥଳୀରେ ପରିଣତ କରିବାକୁ ସେ ସଭାରେ ପ୍ରସ୍ତାବ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ତ୍ରିଲୋଚନ ଦଳାଇ, ସମାଜସେବୀ ମେରୁଚରଣ ବେହେରା,ଯୁବନେତା ପ୍ରକାଶ ଚନ୍ଦ୍ର ମହାନ୍ତି, ସମାଜସେବୀ ପ୍ରହଲ୍ଲାଦ ପରିଡ଼ା କୁମାର କବି ଅରକ୍ଷିତ ପ୍ରଧାନଙ୍କର ସାହିତ୍ୟ ରେ ମାନବୀୟ ଆବେଦନ, ଆଧ୍ୟାତ୍ମିକ ଉତ୍ତରଣ ସହିତ ସାମାଜିକ ସଂସ୍କାର ଥିଲା ବୋଲି କହିଥିଲେ। ସଭାପତି ଦାମୋଦର ପରିଡ଼ା କୁମାର କବିଙ୍କୁ କାଳଜୟୀ ସାରସ୍ଵତ ସାଧକ ଓ ଅନନ୍ୟ ବାଗ୍ମୀ ପୁରୁଷ ଭାବେ ବର୍ଣନା କରି ତାଙ୍କ କାଳଜୟୀ ପୁସ୍ତକ ସମୁହର ଅନ୍ୟାନ୍ୟ ଭାଷାରେ ଅନୁବାଦ କରିବାକୁ କହିଥିଲେ। କୁମାର କବିଙ୍କ ସୁପୁତ୍ର ଆଲୋକ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଶରତଚନ୍ଦ୍ର ପ୍ରଧାନ, ମଞ୍ଜୁଲତା ଦେବୀ,କୁଙ୍କୁମ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *