ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟ , ଉଦଳାରେ ୮୯ ତମ ଶିବ ଜୟନ୍ତୀ ପାଳିତ
ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଉଦଳା ସେବାକେନ୍ଦ୍ର ତରଫରୁ ୮୯ ତମ ଶିବ ଜୟନ୍ତୀ ମହୋତ୍ସବ ଉଦଳା ସ୍ଥିତ ସ୍ଥାନୀୟ ସେବାକେନ୍ଦ୍ର ଆତ୍ମ ଦର୍ଶନ ଭବନ ଠାରେ ପାଳିତ ହୋଇଯାଇଛି l ସେବାକେନ୍ଦ୍ର ସଞ୍ଚାଳିକା ବ୍ରହ୍ମା କୁମାରୀ ଦମୟନ୍ତୀ ଭଉଣୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଆଧ୍ଯାତ୍ମିକ କାର୍ଯ୍ଯକ୍ରମରେ ମୁଖ୍ଯ ଅତିଥି ଭାବେ ଭଉଣୀ ପ୍ରମିଳା ପଣ୍ଡା ମୋହୋଦୟା ଏବଂ ସମ୍ମାନୀୟ ଅତିଥି ଭାବେ ଭ୍ରାତା ଦିଲ୍ଲୀପ କୁମାର ଦିକ୍ଷୀତ , ବ୍ରାହ୍ମଣ ସଂଗଠନର ମୁଖ୍ୟ ଭ୍ରାତା ସତ୍ୟବ୍ରତ ମିଶ୍ର ଯୋଗଦେଇ ସଫଳ କରାଇବା ସହିତ ଶିବଝଣ୍ଡା ଉତ୍ତୋଳନ ମଧ୍ୟ ହେଇଥିଲା। ଆଧ୍ଯାତ୍ମିକତା ଦ୍ବାରା ପରିବାର ଓ ସମାଜରେ ସଦଭାବ ଓ ଭାଇଚାରା ସୁଦୃଢ଼ ହେଇପାରିବ ଓ ସ୍ବ-ପରିବର୍ତ୍ତନ ଦ୍ବାରା ହିଁ ସୁଖି ସମାଜର ପରିକଳ୍ପନା ସାକାର ହୋଇପାରିବ ଓ ବିଶ୍ବର ପରିବର୍ତ୍ତନ ସମ୍ଭବ ହୋଇପାରିବ ବୋଲି ମୁଖ୍ଯ ଅତିଥି ତାଙ୍କ ଅଭିଭାଷଣରେ ବ୍ଯକ୍ତ କରିଥିଲେ। ପ୍ରାରମ୍ଭରେ ସଞ୍ଚାଳିକା ଦମୟନ୍ତୀ ଭଉଣୀ ତାଙ୍କ ଅଭିଭାଷଣ ମାଧ୍ୟମରେ ଶିବରାତ୍ରିର ଆଧ୍ଯାତ୍ମିକ ରହସ୍ଯ ଓ ଉପବାସର ମହତ୍ତ୍ବ ପ୍ରଦାନ କରିଥିଲେ l “ବିଶ୍ଵଶାନ୍ତି ପାଇଁ ପ୍ରଥମେ ସ୍ବ-ଆତ୍ମା ରୂପି ଦୀପଶିଖାକୁ ଉଜାଗର କରି ନିଜେ ଶାନ୍ତିରେ ସହାବସ୍ଥାନ କରିବା ଆବଶ୍ଯକ,” ଏହି ବିଚାର ଧାରାରେ ସମସ୍ତେ ତିନି ଥର ଓମ୍ ଧ୍ଵନି କରି ସାରା ବିଶ୍ବ କୁ ଶାନ୍ତିର ଯୋଗଦାନ ଦେଇଥିଲେ। ଉପସ୍ଥିତ ସମସ୍ତ ଜନତା ଶିବଝଣ୍ଡା ତଳେ ସ୍ବ-ପରିବର୍ତ୍ତନର ସଂକଳ୍ପ ନେଇ ସମବେତ ପ୍ରତିଜ୍ଞାବଦ୍ଧ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଉଦଳା ତଥା ଆଖପାଖରୁ ବହୁ ବୁଦ୍ଧିଜୀବୀଗଣ ଓ ଆଧ୍ଯାତ୍ମିକ ପ୍ରେମୀ ଭାଇ ଭଉଣୀ ଯୋଗ ଦେଇଥିଲେ l ଶେଷରେ ଉଦଳାର ମୁଖ୍ୟ ସଂଚାଳିକା ବ୍ରହ୍ମା କୁମାରୀ ଦମୟନ୍ତୀ ଭଉଣୀ ବକ୍ତବ୍ଯ ମାଧ୍ୟମରେ ସମସ୍ତ ଶୁଭେଚ୍ଛୁ, ବୁଦ୍ଧିଜୀବୀ, ଅତିଥି, ଆଧ୍ଯାତ୍ମିକ ପ୍ରେମୀ ଭାଇ ଭଉଣୀଙ୍କୁ ସମାଜ ପରିବର୍ତ୍ତନର ଉକ୍ତ ଧାରାରେ ସାମିଲ ହେବାକୁ ଆହ୍ବାନ ଜଣାଇ ଥିଲେ l ଏହି କାର୍ଯ୍ୟକ୍ରମକୁ ସଂସ୍ଥାର ସମସ୍ତ ବ୍ରହ୍ମା କୁମାର ଓ କୁମାରୀ ସମେତ ଅନ୍ୟ ଭାଇ ଭଉଣୀମାନେ ଯୋଗ ଦେଇ ସଫଳ କରାଇଥିଲେ l ଶେଷରେ ବ୍ରହ୍ମା ଭୋଜନ ସେବନ କରି ବିଶ୍ବ କଲ୍ୟାଣ ର ମହତ ଭାବନା ରଖି ନିଜ ନିଜ ସ୍ଥାନକୁ ଯାଇଥିଲେ ।
