ଡେରାଡୁନରେ ଅଷ୍ଟମ ରାଷ୍ଟ୍ରୀୟ ପୋଷଣ ମାସ ଉଦଯାପିତ

ଡେରାଡୁନରେ ଅଷ୍ଟମ ରାଷ୍ଟ୍ରୀୟ ପୋଷଣ ମାସ ଉଦଯାପିତ

2047 ସୁଦ୍ଧା ସୁପୋଷିତ ଭାରତ ଗଠନ ପାଇଁ ଆହ୍ୱାନ
ପୋଷଣ ମାସ 2025ରେ ଦେଶବ୍ୟାପୀ 20 କୋଟିରୁ ଅଧିକ କାର୍ଯ୍ୟକ୍ରମ ଆୟୋଜିତ
ପୋଷଣ ସଚେତନତା ଏବଂ ଅଭ୍ୟାସଗତ ପରିବର୍ତ୍ତନ ପାଇଁ ପୋଷଣ ମାସ ଜନ ଆନ୍ଦୋଳନରେ ପରିଣତ ହୋଇଛି: ସାବିତ୍ରୀ ଠାକୁର
ସାରା ଭାରତରେ 14 ଲକ୍ଷ ଅଙ୍ଗନୱାଡ଼ି କେନ୍ଦ୍ର ଜରିଆରେ 10 କୋଟିରୁ ଅଧିକ ହିତାଧିକାରୀଙ୍କୁ ସେବା ପ୍ରଦାନ

ଡେରାଡୁନ, 17 ଅକ୍ଟୋବର:

ଉତ୍ତରାଖଣ୍ଡର ଡେରାଡୁନ ଠାରେ ଶୁକ୍ରବାର ଅଷ୍ଟମ ରାଷ୍ଟ୍ରୀୟ ପୋଷଣ ମାସ ଉଦଯାପିତ ହୋଇଯାଇଛି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର ସମାରୋହରେ ଯୋଗ ଦେଇ କହିଛନ୍ତି, ପୋଷଣ ସଚେତନତା, ଜନଭାଗିଦାରୀ ଏବଂ ଅଭ୍ୟାସଗତ ପରିବର୍ତ୍ତନ ଜରିଆରେ ରାଷ୍ଟ୍ରୀୟ ପୋଷଣ ମାସ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି । ଏହି କାର୍ଯ୍ୟକ୍ରମରେ ଉତ୍ତରାଖଣ୍ଡ ସରକାରଙ୍କ ମନ୍ତ୍ରୀ ରେଖା ଆର୍ଯ୍ୟା, ଗଣେଶ ଯୋଶୀ, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଲବ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।
କେନ୍ଦ୍ର ମନ୍ତ୍ରୀ ଶ୍ରୀମତୀ ଠାକୁର କହିଥିଲେ, 8 ମାର୍ଚ୍ଚ 2018ରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ରାଷ୍ଟ୍ରୀୟ ପୋଷଣ ମାସ ଅଭିଯାନ ‘ସଶକ୍ତ ମହିଳା, ସୁପୋଷିତ’ ଭାରତ ଗଠନ ଲକ୍ଷ୍ୟ ନେଇ ବିଭିନ୍ନ ମନ୍ତ୍ରଣାଳୟ ଏବଂ ନାଗରିକଙ୍କ ଭାଗିଦାରୀ ମାଧ୍ୟମରେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଆଜିର ସୁପୋଷିତ ଶିଶୁ 2047ର ସୁପୋଷିତ ନାଗରିକ ବୋଲି ସେ ମତ ବ୍ୟକ୍ତ କରିଥିଲେ।
ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଲବ ଅଗ୍ରୱାଲ କହିଥିଲେ, 36ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର 14 ଲକ୍ଷ ଅଙ୍ଗନୱାଡି କେନ୍ଦ୍ର ମାଧ୍ୟମରେ, ଶିଶୁ, ଗର୍ଭବତୀ ମହିଳା, ସ୍ତନ୍ୟପାନକାରୀ ମାଆ ଏବଂ କିଶୋରୀଙ୍କ ସମେତ 10 କୋଟିରୁ ଅଧିକ ହିତାଧିକାରୀଙ୍କୁ ସେବା ଯୋଗାଇ ଦିଆଯାଉଛି। ପୋଷଣ ଟ୍ରାକର ଆପ୍ ସେବା ପ୍ରଦାନ ଏବଂ ହିତାଧିକାରୀ ପରିଚାଳନାରେ ବିପ୍ଳବ ଆଣିଛି ବୋଲି ସେ କହିଥିଲେ। ପୋଷଣ ମାସ 2025 ଅଧୀନରେ ରାଷ୍ଟ୍ରବ୍ୟାପୀ 20 କୋଟିରୁ ଅଧିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମରେ ସୂଚନା ଦିଆଯାଇଥିଲା। NFHS-5 ତଥ୍ୟ ଅନୁଯାୟୀ, ଭାରତରେ ପ୍ରମୁଖ କୁପୋଷଣ ସୂଚକାଙ୍କରେ ଉଲ୍ଲେଖନୀୟ ହ୍ରାସ ଘଟିଛି। କୁପୋଷଣ ହାର 38.4% ରୁ 35.5% କୁ ହ୍ରାସ ପାଇଛି, ଏବଂ କମ୍ ଓଜନ ସମସ୍ୟା 35.8% ରୁ 32.1% କୁ ହ୍ରାସ ପାଇଛି।
13 ଲକ୍ଷରୁ ଅଧିକ ଅଙ୍ଗନୱାଡି କର୍ମୀଙ୍କୁ ଆପ୍ ସହିତ ସଂଯୁକ୍ତ ସ୍ମାର୍ଟଫୋନ୍ ସହିତ ସଜ୍ଜିତ କରାଯାଇଛି, ଯାହା ସଠିକ୍ ତଥ୍ୟ ଏବଂ ସମୟାନୁସାରେ ପୁଷ୍ଟିସାର ଯୋଗାଣ ସୁନିଶ୍ଚିତ କରୁଛି। ପ୍ରାୟ 13.87 ଲକ୍ଷ କେନ୍ଦ୍ରକୁ ଅଭିବୃଦ୍ଧି ମନିଟରିଂ ଉପକରଣ ମଧ୍ୟ ଯୋଗାଇ ଦିଆଯାଇଛି। ସେ ଆହୁରି କହିଥିଲେ 2 ଲକ୍ଷ ଅଙ୍ଗନୱାଡ଼ି କେନ୍ଦ୍ରକୁ ସକ୍ଷମ ଅଙ୍ଗନୱାଡ଼ି କେନ୍ଦ୍ରରେ ପରିଣତ କରାଯାଇଛି। ଏଠାରେ ବିଶୁଦ୍ଧ ପାନୀୟ ଜଳ, ପରିମଳ, ଅଧ୍ୟୟନ ସାମଗ୍ରୀ ଏବଂ ଡିଜିଟାଲ ଉପକରଣ ରହିଛି ଏହା 2047 ସୁଦ୍ଧା ବିକଶିତ ଭାରତ ପାଇଁ ମୂଳଦୁଆ ସ୍ଥାପନ କରିବ ବୋଲି ଅତିରିକ୍ତ ସଚିବ ଶ୍ରୀ ଅଗ୍ରୱାଲ କହିଥିଲେ।

Leave a Reply

Your email address will not be published. Required fields are marked *