ଅଷ୍ଟସିଦ୍ଧି/ ଅଷ୍ଟ ଐଶ୍ଵର୍ଯ୍ୟ

                ଅଷ୍ଟସିଦ୍ଧି/ ଅଷ୍ଟ ଐଶ୍ଵର୍ଯ୍ୟ
              ( ରାଗ — ଚିନ୍ତାଦେଶାକ୍ଷ )

     🖊️କବିରତ୍ନ ନୂତନ କୁମାର ବେହେରା

ଭବେ ମାନବ ଜୀବନ’  ଅଟେ ଅମୂଲ୍ୟ’,
     ସୃଷ୍ଟିରେ କେ ପ୍ରାଣୀ ନୁହେଁ’  ତା’ ସାଥେ ତୁଲ୍ୟ’।
କର୍ମେ ତାର ରହିଥିଲେ  ସେ ଏକନିଷ୍ଠ,
                 ପାର୍ଥିବ ଜଗତେ ସିଏ ହୁଅଇ ଶ୍ରେଷ୍ଠ।
ସାଧନାର ମାର୍ଗେ ରହି  ଯେ ପାରେ ସାଧି,
             ତା’ ବାଧା ବିଘ୍ନ ଘୁଞ୍ଚାଇ  ପାଏ ସେ ସିଦ୍ଧି।
ସିଦ୍ଧି ମଧ୍ୟେ ଅଷ୍ଟସିଦ୍ଧି  ଅଷ୍ଟ ଐଶ୍ଵର୍ଯ୍ୟ,
            ପ୍ରାପ୍ତିରେ ମାନବ କରେ  ତାହାର କାର୍ଯ୍ୟ।
ବିବେକେ ବିଚାରି ପାଳେ  ଯେ ସତ୍ୟ ନ୍ୟାୟ,
                  ଷଡ଼ରିପୁକୁ ନାଶି ସେ  ହୁଏ ନିର୍ଭୟ।
ମନକୁ ରଖି ସର୍ବଦା  ସ୍ଵଚ୍ଛ ନିର୍ମଳ,
                 ଭବିଷ୍ୟତକୁ ତାହାର  କରେ ଉଜ୍ଜ୍ବଳ।
ଯୋଗ ସାଧନେ ସାଧକ  ଅରଜେ ଜ୍ଞାନ,
              ତା’ ବଳରେ କରେ ସିଏ  ଆତ୍ମ ଦର୍ଶନ।
ଜୀବ ଧ୍ୟାନେ ପରମଙ୍କୁ  କରେ ସାକ୍ଷାତ,
                ସୂକ୍ଷ୍ମ ଜ୍ଞାନରୁ କରଇ  ଯେତେ ଉଚିତ।
ଅଷ୍ଟସିଦ୍ଧି ପାଇ ସିଏ  ହୁଏ ବିଶେଷ,
                   ସାରା ଜଗତ ତାକୁ  କରେ ବିଶ୍ଵାସ।
ସେ ଅଷ୍ଟସିଦ୍ଧି ତାହାର  କର୍ମର ଫଳ,
                  ଅକ୍ଷୁଣ୍ଣ ଥାଇ ସତତ  କରେ ମଙ୍ଗଳ।
‘ ଅଣିମା ‘ ପ୍ରାପ୍ତିରେ ହୁଏ  ସ୍ଥୂଳରୁ ସୂକ୍ଷ୍ମ,
                ଅସାଧ୍ୟ ସାଧନେ ସିଏ  ରହେ ସକ୍ଷମ।
‘ ଲଘିମା ‘ ରେ ହୁଅଇ ସେ  ଚିନ୍ତା ରହିତ,
              ‘ ମହିମା ‘ ର ଶକ୍ତି ବଳେ  କରଇ ହିତ।
‘ ବ୍ୟାପ୍ତି ‘ ରେ ସର୍ବତ୍ର ଯାଇ  ରଖେ ସଂପର୍କ,
          ‘ ପ୍ରାକାମ୍ୟ ‘ ରେ କରେ ସବୁ  ରହି ସତର୍କ।
‘ ଈଶିତା ‘ ଈଶ୍ଵର ପ୍ରାପ୍ତି  ହୁଏ ସମ୍ଭବ,
              ‘ ବଶିତା ‘ ଗୁଣରେ ବଶ  ହୁଅନ୍ତି ଜୀବ।
‘ କାମାବଶାୟିତା ‘ ଶକ୍ତି  ଇଚ୍ଛା ପୂରଣେ,
                ସବୁ ଇନ୍ଦ୍ରିୟ ରୁହନ୍ତି  ତା’ ନିୟନ୍ତ୍ରଣେ।
ଏ ଅଷ୍ଟସିଦ୍ଧି ସହିତ  ଆଉ ଦଶଟି
                 ସିଦ୍ଧି ପାଇଲେ ସଫଳ  ହୁଅଇ ସୃଷ୍ଟି।
ଅଷ୍ଟାଦଶ ସିଦ୍ଧି ପ୍ରାପ୍ତେ  ପ୍ରଜ୍ଞ ସାଧକ,
                ହୁଅଇ ଜୀବନ ମୁକ୍ତ  ରହେ ନିର୍ଭୀକ।
ମାନବ ସଂସାରେ ଜନ୍ମେ  ଲକ୍ଷ୍ୟ ପୂରଣେ,
             ପ୍ରଭୁଙ୍କ ସ୍ତୁତିରେ ରହେ  ତାଙ୍କ ଶରଣେ।

           କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *