ଭଦ୍ରକ ରେ ୯୧ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ l

ଭଦ୍ରକ ରେ ୯୧ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ l ଓଡ଼ିଶା ପୋଲିସର ମୂଳ ମନ୍ତ୍ର ହେଉଛି “ସେବା ଓ ସୁରକ୍ଷା”। ଏହା କେବଳ ଏକ ଶବ୍ଦ ନୁହେଁ, ଏହା ଆମର ପରିଚୟ। ଆଗାମୀ ଦିନରେ ଓଡ଼ିଶାକୁ ଏକ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ନିଶାମୁକ୍ତ ରାଜ୍ୟରେ ପରିଣତ କରିବା ପାଇଁ ଓଡ଼ିଶା ପୋଲିସ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରୁଛି ବୋଲି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି l କଟକର ବକ୍ସିବଜାରସ୍ଥିତ ରିଜର୍ଭ ପୋଲିସ ପଡିଆରେ ଆୟୋଜିତ ଓଡ଼ିଶା ପୋଲିସର ୯୧ତମ ପ୍ରତିଷ୍ଠା ଦିବସ ଅବସରରେ ଡିଜିପି ଶ୍ରୀ ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏହାସହ ପୋଲିସ ସେବାରେ ଉଲ୍ଲେଖନୀୟ କୃତିତ୍ୱ ପ୍ରଦର୍ଶନ କରିଥିବା ଅଧିକାରୀ ଓ କର୍ମଚାରୀଙ୍କୁ ପୁରସ୍କୃତ କରିଥିଲେ। ଏହି ଅବସରରେ ସେ ପ୍ରଥମେ ସହିଦ ପୋଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସେମାନଙ୍କ ପରିବାରଙ୍କୁ ସମବେଦନା ଜଣାଇଥିଲେ।୧ ଏପ୍ରିଲ ୧୯୩୬ ମସିହାରେ ନୂତନ ଓଡ଼ିଶା ପ୍ରଦେଶ ଗଠନ ସହ ଓଡ଼ିଶା ପୋଲିସର ସ୍ଥାପନା ହୋଇଥିଲା। ଗତ ୯୧ ବର୍ଷର ଏହି ଯାତ୍ରା ସଂଘର୍ଷ, ସମର୍ପଣ ଓ ସଫଳତାର ଏକ ଗୌରବମୟ ଅଧ୍ୟାୟ ବୋଲି ଡିଜିପି ଉଲ୍ଲେଖ କରିଥିଲେ।ଏହି ଅବସରରେ ଡିଜିପି ମାଓବାଦୀ ଦମନ କ୍ଷେତ୍ରରେ ଓଡ଼ିଶା ପୋଲିସର ସଫଳତା ସମ୍ପର୍କରେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ, ଅନେକ ଦୁର୍ଦ୍ଦାନ୍ତ ମାଓବାଦୀଙ୍କୁ ନିପାତ କରାଯାଇଥିବା ସହ ବହୁ ସଂଖ୍ୟକ ମାଓବାଦୀ ମୁଖ୍ୟ ସ୍ରୋତରେ ଫେରିଛନ୍ତି। ୨୦୨୫ ରୁ ଏଯାବତ ଓଡ଼ିଶା ପୋଲିସ ୨୭ ଜଣ ଦୁର୍ଦ୍ଦାନ୍ତ ମାଓବାଦୀଙ୍କୁ ନିପାତ କରାଯାଇଛି। ଏହାସହ ୭୨ ଜଣ ମାଓବାଦୀ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି। ସରକାରଙ୍କ ‘ଆତ୍ମସମର୍ପଣ ଓ ପୁନର୍ବାସ ଯୋଜନା’ ଏଥିରେ ମୁଖ୍ୟ ଭୂମିକା ନେଇଛି ବୋଲି ସେ ମତବ୍ୟକ୍ତ କରିଥିଲେ। ସାଇବର ଅପରାଧକୁ ଆଜିର ଯୁଗର ଏକ ଗୁରୁତର ଚ୍ୟାଲେଞ୍ଜ ଭାବେ ଉଲ୍ଲେଖ କରି ସେ କହିଥିଲେ ଯେ, ଓଡ଼ିଶା ପୋଲିସ AI ଓ ଡାଟା ଆନାଲିଟିକ୍ସ ପରି ଆଧୁନିକ ପ୍ରଯୁକ୍ତିର ସହାୟତାରେ ସଫଳତାର ସହିତ ଏହାର ମୁକାବିଲା କରୁଛି।

Leave a Reply

Your email address will not be published. Required fields are marked *