ପୁଟିନଙ୍କୁ ଭେଟିବା ପରେ ବେଲାରୁଷ ରାଷ୍ଟ୍ରପତି ହସ୍ପିଟାଲରେ ଭର୍ତ୍ତି: ଜହର ଦିଆଯାଇଥିବା ଆଶଙ୍କା

ମସ୍କୋ,୨୯।୫ : ବେଲାରୁଷର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍‌ ଲୁକାଶେଙ୍କୋଙ୍କୁ ଗୁରୁତର ଅବସ୍ଥାରେ ମସ୍କୋର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବା ପାଇଁ ଲୁକାଶେଙ୍କୋ ମସ୍କୋରେ ପହଞ୍ଚିଥିଲେ କିନ୍ତୁ ପୁଟିନଙ୍କ ସହିତ ସାକ୍ଷାତ ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା, ପରେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ବେଲାରୁଷର ବିରୋଧୀ ଦଳର ନେତା ଭାଲେରୀ ସେପକାଲୋ କହିଛନ୍ତି ଅସୁସ୍ଥତା ପରେ ଲୁକାଶେଙ୍କୋଙ୍କୁ ମସ୍କୋର ସେଣ୍ଟ୍ରାଲ କ୍ଲିନିକାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ କହିଛନ୍ତି ଲୁକାଶେଙ୍କୋ ଏବଂ ପୁଟିନଙ୍କ ମଧ୍ୟରେ ଏକ ବନ୍ଦ ଦ୍ୱାର ବାର୍ତ୍ତାଳାପ ହୋଇଥିଲା, ଯାହା ପରେ ଲୁକାଶେଙ୍କୋଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ସେପକାଲୋ କହିଛନ୍ତି ରୁଷିଆର ବରିଷ୍ଠ ଡାକ୍ତରମାନେ ଲୁକାଶେଙ୍କୋଙ୍କ ଚିକିତ୍ସା କରୁଛନ୍ତି କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ରହିଛି। ଲୁକାଶେଙ୍କୋଙ୍କ ରକ୍ତ ସଫା କରିବାର ପ୍ରକ୍ରିୟା ଚାଲିଛି। ସାଧାରଣତଃ ଜହର ଶରୀରରେ ପହଞ୍ଚିବା ପରେ ରକ୍ତ ସଫା କରିବାର ପ୍ରକ୍ରିୟା କରାଯାଇଥାଏ। ଏହି କାରଣରୁ ଲୁକାଶେଙ୍କୋଙ୍କୁ ଜହର ଦେବା ବିଷୟରେ ଆଶଙ୍କା ପ୍ରକାଶ ପାଇଛି। ଏନେଇ ଆଲୋଚନା ହେଉଛି। ଯଦିଓ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ କିଛି କୁହାଯାଇ ନାହିଁ ।

ବେଲାରୁଷର ରାଷ୍ଟ୍ରପତି ଲୁକାଶେଙ୍କୋ ପୁଟିନଙ୍କ ଅତି ନିକଟତର ବୋଲି ବିବେଚନା କରାଯାଏ। ଏହାପୂର୍ବରୁ ଲୁକାଶେଙ୍କୋ ରୁଷିଆର ବିଜୟ ଦିବସ ପରେଡରେ ମଧ୍ୟ ଭାଗ ନେଇଥିଲେ। ଯଦିଓ ପ୍ୟାରେଡ ଶେଷ ହେବା ମାତ୍ରେ ସେ ନିଜ ଦେଶକୁ ଫେରି ଯାଇଥିଲେ। ଦୀର୍ଘ ଦିନ ଧରି ଲୁକାଶେଙ୍କୋଙ୍କ ସ୍ବାସ୍ଥ୍ୟ ମଧ୍ୟ ଖରାପ ଚାଲିଛି। ଯଦିଓ ଲୁକାଶେଙ୍କୋ ଦାବି କରିଛନ୍ତି ସବୁ ଠିକ ଅଛି ଏବଂ ସେ ଶୀଘ୍ର ସୁସ୍ଥ ହୋଇଯିବେ।

ରବିବାର ରୁଷିଆର ଏକ ମିଡିଆ ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ଲୁକାଶେଙ୍କୋ କହିଛନ୍ତି ୟୁନିଅନ ଷ୍ଟେଟ ବେଲାରୁଷ ଏବଂ ରୁଷିଆ ସହିତ ସହଯୋଗୀଥିବା ଦେଶମାନଙ୍କୁ ଆଣବିକ ଅସ୍ତ୍ର ଦିଆଯିବ। ଏହାପୂର୍ବରୁ ଲୁକାଶେଙ୍କୋ ଦାବି କରିଥିଲେ ରୁଷିଆରୁ ତାଙ୍କ ନିକଟକୁ କିଛି ରଣନୈତିକ ଗୁରୁତ୍ୱପୂର୍ଣ୍ଣ ଆଣବିକ ଅସ୍ତ୍ର ହସ୍ତାନ୍ତର ଆରମ୍ଭ ହୋଇଛି। ଏ ବାବଦରେ ଦୁଇ ଦେଶ ମଧ୍ୟରେ ଏକ ଚୁକ୍ତିନାମା ମଧ୍ୟ ସ୍ବାକ୍ଷରିତ ହୋଇଛି।

Leave a Reply

Your email address will not be published. Required fields are marked *