ହିତାଧିକାରୀଙ୍କୁ ବିଜୁ ପକ୍କା ଘର ଶେଷ କିସ୍ତି ମିଳିନଥିବା ଅଭିଯୋଗ
ଯୋଡ଼ା :୨୫/୯ ଯୋଡ଼ା ବ୍ଲକ ଅନ୍ତର୍ଗତ ଅଂସେଇକଳା ଗ୍ରାମପଞ୍ଚାୟତ ର ସାନବଡ଼ବିଲ ଗ୍ରାମର ମିଲୁ ଓରାମ ବିଜୁ ପକ୍କା ଘର ନିର୍ମାଣ ସମୂର୍ଣ୍ଣ କରିବାର ଦୀର୍ଘ ୬ ବର୍ଷ ପରେ ବି ଶେଷ କିସ୍ତି ଟଙ୍କା ଦାୟିତ୍ୱରେ ଥିବା ଜନୈକ କନିଷ୍ଠ ଯନ୍ତ୍ରୀ ଦେଇ ନ ଥିବା ଆଜି ଅଭିଯୋଗ କରିଛନ୍ତି । ଯୋଡ଼ା ବ୍ଲକ ବିଡ଼ିଓ ଓ ଅଧ୍ୟକ୍ଷ ଙ୍କୁ ଏ ନେଇ ଅଭିଯୋଗ କରିଛନ୍ତି ଯେ, ଗତ ୦୧/୦୭/୨୦୧୬ ମସିହାରେ ବିଜୁ ପକ୍କା ଘର ପାଇବାର ଯୋଗ୍ୟ ହିତାଧିକାରୀ ରୂପେ ଚୟନ କରାଯାଇ ବିଜୁ ପକ୍କାଘର ନିର୍ମାଣ ନିମନ୍ତେ ୧ ଲକ୍ଷ ୩୦ ହଜାର ଟଙ୍କା ର କାର୍ଯ୍ୟାଦେଶ ଦିଆଯାଇଥିଲା । ପକ୍କାଘର ନିର୍ମାଣ ନିମନ୍ତେ ତାଙ୍କୁ ତିନୋଟି କିସ୍ତିରେ ଏକଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ଘର କାର୍ଯ୍ୟ ସମ୍ପୁର୍ଣ୍ଣ କରିବା ପାଇଁ ଶେଷ କିସ୍ତି ଆଉ ୩୦ ହଜାର ଟଙ୍କା ଦେବା ସମୟରେ ବ୍ଲକ ପକ୍ଷରୁ ତାଙ୍କର କାର୍ଯ୍ୟାଦେଶ କୁ ବାତିଲ କରି ଜନୈକ କନିଷ୍ଠ ଯନ୍ତ୍ରୀ ନାମରେ କାର୍ଯ୍ୟାଦେଶ ଦିଆଯାଇଥିଲା । କନିଷ୍ଠ ଯନ୍ତ୍ରୀ ଜଣକ ଘର୍ ନିର୍ମାଣ ସମ୍ପୂର୍ଣ୍ଣ କରିବା ପରେ ଶେଷ କିସ୍ତି ୩୦ ହଜାର ଟଙ୍କା ମିଳିବ ବୋଲି ମିଲୁ ଙ୍କୁ କହିଥିଲେ । ଘର ନିର୍ମାଣ କାର୍ଯ୍ୟ ମିଲୁ ସମ୍ପୁର୍ଣ୍ଣ ହେବା ପରେ କନିଷ୍ଠ ଯନ୍ତ୍ରୀ ଜଣକ ଘର୍ ର ଫୋଟ ଉଠାଇ ନେଇ ସମୟ ଗଡ଼େଇ ଚାଲିଛନ୍ତି । ଏକ ଖଣି କମ୍ପାନୀକୁ ବିଲ ଯାଇଛି ବିଲ ଆସିଲେ ଶେଷ କିସ୍ତି ଟଙ୍କା ମିଳିବ ବୋଲି ତାଙ୍କୁ କହୁଥିବା ସେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଯୋଡ଼ା ବିଡ଼ିଓ ଜଗନ୍ନାଥ ହନୁମାନ କହିଛନ୍ତି ଯେ କନିଷ୍ଠ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ଥିବାରୁ ଶେଷ କିସ୍ତି ଟଙ୍କା ତାଙ୍କୁ ପ୍ରଦାନ କରାଯାଇଛି । ହିତାଧିକାରୀ ଙ୍କ ଅଭିଯୋଗ ଉପରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି କହିଥିଲେ । ସେହିପରି ଏ ନେଇ ଯୋଡ଼ା ବ୍ଲକ ଅଧ୍ୟକ୍ଷ କବିନ୍ଦ୍ର ନାଏକ କହିଛନ୍ତି ଯେ, ସଂପୃକ୍ତ କନିଷ୍ଠ ଯନ୍ତ୍ରୀ ଙ୍କ ଅନ୍ୟତ୍ର ବଦଳି ହୋଇ ଯାଇଥିବାରୁ ତାଙ୍କ ସହିତ ଯୋଗାଯୋଗ ହୋଇ ପରୁ ନାହି । ଯୋଗାଯୋଗ ହେଲେ ଏହି ଅଭିଯୋଗ ତାଙ୍କୁ ଅବଗତ କରେଇବେ ବୋଲି କହିଛନ୍ତି ।
ଯୋଡ଼ାରୁ ଭଗବାନ ଗିରିଙ୍କ ରିପୋର୍ଟ
