ଖବର ପ୍ରକାଶ ପରେ ଚେତା ପଶିଲା…ବିଭାଗ ତରଫରୁ ମରାମତି କାର୍ଯ୍ୟ ଆରମ୍ଭ
ବନ୍ତ,୧/୮:ଗତ ଶୁକ୍ରବାର “କାଦବରାଙ୍ଗରେ ଫେଲ ମାରିଛି ଜଳ ଯୋଗାଣ ପ୍ରକଳ୍ପ “ଶୀର୍ଷକ ଖବର “ ନ୍ୟୁଜ”ରେ ପ୍ରକାଶ ପାଇବା ପରେ ଇତି ମଧ୍ୟରେ ବିଭାଗ ତରଫରୁ ପ୍ରକଳ୍ପ ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବାର ଜଣାପଡ଼ିଛି । ସୂଚନା ଅନୁଯାୟୀ; ଭଦ୍ରକ ଜିଲା ବନ୍ତ ବ୍ଲକ କାଦବରାଙ୍ଗ ପଂଚାୟତ ଅନ୍ତର୍ଗତ କାଦବରାଙ୍ଗ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ ବନ୍ଦ ହୋଇ ପଡ଼ିରହିଥିଲା । ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବା ଉଦ୍ଦେଶ୍ୟରେ ବିଭାଗ ତରଫରୁ ୨୦୧୩-୧୪ ଆର୍ଥିକ ବର୍ଷରେ ଅର୍ଥ ମଂଜୁର ହୋଇ କାଦବରାଙ୍ଗ ଗ୍ରାମର ୭,୮ ଓ ୯ ନଂ ୱାର୍ଡକୁ ପାଇପ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିଲା । ଏହି ପ୍ରକଳ୍ପ ୭ବର୍ଷ ତଳେ ନିର୍ମାଣ କରାଯାଇଥିଲା । ପ୍ରକଳ୍ପ ନିର୍ମାଣ ସମୟରେ ପାଖାପାଖି ୫୫ଟି ଷ୍ଟାଣ୍ଡପୋଷ୍ଟ ନିର୍ମାଣ କରାଯାଇଥିଲା । ବର୍ତ୍ତମାନ କାଁଭାଁ କେତୋଟି ପୋଷ୍ଟକୁ ଛାଡ଼ି ଦେଲେ ସବୁ ଅକାମୀ ହୋଇ ପଡ଼ିଛି । କାହାର ଟ୍ୟାପ୍ ନାହିଁ ତ କେଉଁଠି ପାଇପ୍ ନାହିଁ । ୪/୫ ମାସ ହେବ ଏଥିରେ ଜଳ ଯୋଗାଣବି ସଂପୂର୍ଣ୍ଣ ବନ୍ଦ ରହିଛିି । ଗତ ବର୍ଷ ଡ଼ିସେମ୍ବର ମାସରେ ଏହି ସମସ୍ୟାକୁ ନେଇ ବିଭାଗର ଦୃଷ୍ଟି ଆକର୍ଷଣ କରାଯିବା ପରେ ସେହି ମାସ ବିଭାଗ ତରଫରୁ ଏହାର ମରାମତି କରାଯାଇ କିଛି ଷ୍ଟାଣ୍ଡପୋଷ୍ଟକୁ କାର୍ଯ୍ୟକ୍ଷମ କରାଯାଇଥିଲେ ସୁଦ୍ଧା ରାସ୍ତା ନିର୍ମାଣ ସମୟରେ ବିଛା ଯାଇଥିବା ପାଇପଗୁଡ଼ିକ ନଷ୍ଟ ହୋଇଯାଇଥିଲା କିନ୍ତୁ ବିଭାଗ ପକ୍ଷରୁ ଏଥିନେଇ କୌଣସି ପଦକ୍ଷେପ ନିଆ ନ ଯିବାରୁ ତାହା କାର୍ଯ୍ୟକ୍ଷମ ହେବା ପରିବର୍ତ୍ତେ ବନ୍ଦ ହୋଇପଡ଼ିରହିଥିଲା । ଉକ୍ତ ସମସ୍ୟାକୁ ନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାରୁ ସେ ଏହି ସମସ୍ୟା ବିଷୟରେ ଅବଗତ ଥିବା କହିବା ସହ ରାସ୍ତା ନିର୍ମାଣ ସମୟରେ ବିଛା ଯାଇଥିବା ପାଇପ ସବୁ ନଷ୍ଟ ହୋଇଯାଇଛି । ନୂତନ ଭାବେ ଏହି ପ୍ରକଳ୍ପ ପାଇଁ ଟେଣ୍ଡର ପ୍ରକ୍ରିୟା ସରିଯାଇଛି । ଖୁବ୍ ଶିଘ୍ର ଏହାର କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରାୟ ୮ମାସ ହେବ ଗଣମାଧ୍ୟମ ପ୍ରତିନିଧିଙ୍କୁ କହି ଆସୁଥିଲେ । ଏଥିନେଇ ଖବର ପ୍ରକାଶ ପାଇବା ପରେ ଇତି ମଧ୍ୟରେ ବିଭାଗ ପକ୍ଷରୁ ମରାମତି କାର୍ଯ୍ୟ ଆରମ୍ଭ ହେବା ସହ ୫ଟି ବିଭିନ୍ନ ଜାଗାରେ ପାଇପ ସଂପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଥିବାରୁ ଜଳ ଯୋଗାଣରେ ବାଧା ଉପୁଜୁଛି ଏବଂ ଆଗାମୀ ୭ଦିନ ମଧ୍ୟରେ ଏହାର ମରାମତି କରାଯାଇ ଜଳଯୋଗାଣର ସୁବନ୍ଦୋବସ୍ତ କରାଯିବ ବୋଲି ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି ।
ରିପୋର୍ଟ:-ପୁନିଲ କୁମାର ସାମନ୍ତ, ।
