ପ୍ରଦର୍ଶନୀ କ୍ରିକେଟ ମ୍ୟାଚରେ ଗଣମାଧ୍ୟମ ଏକାଦଶ ବିଜୟୀ

ପୁରୀ,୨୬/୧: ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମଠାରେ ଜିଲ୍ଲା ପ୍ରଶାସନ ଏକାଦଶ ଓ ଗଣମାଧ୍ୟମ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ରୋମାଞ୍ଚକର ମ୍ୟାଚରେ ଜିଲ୍ଲା ପ୍ରଶାସନ ଏକାଦଶକୁ ୮ ରନରେ ଗଣମାଧ୍ୟମ ଏକାଦଶ ପରାସ୍ତ କରିଥିଲା। ଟସ ଜିତି ବ୍ୟାଟିଂ ନେଇଥିବା ଗଣମାଧ୍ୟମ ଏକାଦଶ ନିର୍ଦ୍ଧାରିତ ୧୫ ଓଭରରେ ୧୨୮ ରନ କରିଥିବା ବେଳେ ପ୍ରଶାସନ ଏକାଦଶ ସମାନ ଓଭର ଖେଳି ୧୨୦ ରନ କରି ପାରିଥିଲା। ଗଣମାଧ୍ୟମ ଏକାଦଶର ଶିବପ୍ରସାଦ ଦାସ ୫୩ ରନ କରିଥିବା ବେଳେ ସୁମନ୍ତ ପରିଡା ୧୫ ରନ କରିଥିଲେ। ପ୍ରଶାସନ ଏକାଦଶ ପକ୍ଷରୁ ମନୋଜ ବେହେରା ୨ ୱିକେଟ ନେଇଥିବା ବେଳେ ଜ୍ୟୋତି ଶଙ୍କର ମହାପାତ୍ର, ଅକ୍ଷୟ, ଭାସ୍କର ରାଓ ଓ ରାଜେନ୍ଦ୍ର ପାତ୍ର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ପ୍ରଶାସନ ଏକାଦଶ ପକ୍ଷରୁ ଭାସ୍କର ରାଓ ୪୫ ରନ କରିଥିବା ବେଳେ ସରୋଜ କୁମାର ସ୍ୱାଇଁ ୧୮ ରନ କରିଥିଲେ। ଗଣମାଧ୍ୟମ ଏକାଦଶ ପକ୍ଷରୁ ପକ୍ଷରୁ ସୁକାନ୍ତ ସ୍ୱାଇଁ ୪ଟି, ଅକ୍ଷୟ ମିଶ୍ର ୩ଟି, ପ୍ରିତମ ଦାସ ଓ ଶିବ ପ୍ରସାଦ ଦାସ ୧ଟି ଲେଖାଏଁ ୱିକେଟ ନେଇଥିଲେ। ବିଜୟୀ ଓ ରନର୍ସଅପ୍ ଦଳକୁ ଭାରପ୍ରାପ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ ସମ୍ବର୍ଦ୍ଧିତ କରିଥିଲେ। ଗଣମାଧ୍ୟମ ଏକାଦଶର ସୁକାନ୍ତ ସ୍ୱାଇଁ ବୋଲିଂ ଓ ବ୍ୟାଟିଂରେ ଶ୍ରେଷ୍ଠତା ପ୍ରଦର୍ଶନ କରି ମ୍ୟାନ ଅଫ୍ ଦି ମ୍ୟାଚ୍ ହୋଇଥିଲେ। ସର୍ବାଧିକ ରନ୍ ସହ ଅର୍ଦ୍ଧଶତକ ପାଇଁ ଶିବପ୍ରସାଦ ଦାସଙ୍କୁ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଟ୍ରଫି ପ୍ରଦାନ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ପ୍ରମୁଖ ଖେଳରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ ସାହୁ ଓ ପୂର୍ବତନ କ୍ରୀଡା ସଂସଦର ଉପସଭାପତି ରାମଚନ୍ଦ୍ର ଦାସମହାପାତ୍ର, ସମ୍ପାଦକ ରବିଶଙ୍କର ପ୍ରତିହାରୀ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ। ମ୍ୟାଚରେ ସହଯୋଗ ଓ ଧାରା ବିବରଣୀ ରଞ୍ଜିତ ମିଶ୍ର ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *