ବ୍ୟାନର ଚିରା ଘଟଣାକୁ ନେଇ ସାମ୍ବାଦିକ ସମ୍ମିଳନୀ ଡାକିଲେ ବିଜେପି ନେତା
ଯାଜପୁର ରୋଡ଼ କୋପଣ୍ଡ ସ୍ଥିତ ବିଜେପି କାର୍ଯ୍ୟାଳୟର ମୁଖ୍ୟ ବ୍ୟାନରକୁ ଦୁର୍ବୃତ୍ତମାନେ ଗତ ୧୪ ତାରିଖ ରାତିରେ ଚିରିବାକୁ ନେଇ କୋରେଇ ବିଜେପିର ଜିଲ୍ଲା କୃଷକ ମୋର୍ଚ୍ଚା ସମ୍ପାଦକ ନିତ୍ୟାନନ୍ଦ ମହାଳିକ ଓ ସାଥୀମାନେ ଯାଜପୁରରୋଡ୍ ଥାନାରେ ଗତ ୧୫ ତାରିଖରେ ଅଭିଯୋଗ କରିଥିଲେ l ଏହି ଘଟଣାର ସିସିଟିଭି ଫୁଟେଜ୍ ମଧ୍ୟ ପୁଲିସକୁ ହସ୍ତାନ୍ତର କରାଯାଇଥିଲା l ଥାନାଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ତଦନ୍ତ ମଧ୍ୟ କରିଛନ୍ତି l ଘଟଣାକୁ ୪ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ଅଦ୍ୟାବଧି ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିପାରି ନାହିଁ l ନିର୍ବାଚନ ସମୟରେ ଏପରି ଏକ ଘଟଣା ଅତ୍ୟନ୍ତ ଦୁଃଖଦାୟକ ଏବଂ ନିନ୍ଦନୀୟ ବୋଲି ବିଜେପି ଯୁବନେତା ଇଂ ଆଲେକଜାଣ୍ଡାର ଦାସ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି l ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତାମାନେ ଦାବି କରିଛନ୍ତି
