ଫାଲଗୁନ ଶୁକ୍ଲ ଚତୁର୍ଦ୍ଦଶୀ ଦିନ ଶ୍ରୀମନ୍ଦିରରେ ଅଗ୍ନି ଉତ୍ସବ ପାଳିତ
ଫାଲଗୁନ ଶୁକ୍ଲ ଚତୁର୍ଦ୍ଦଶୀ ଦିନ ଶ୍ରୀମନ୍ଦିରରେ ଅଗ୍ନି ଉତ୍ସବ ପାଳିତ ହୁଏ। ନୃସିଂହ ଅବତାର ରେ ଭକ୍ତ ପ୍ରହଲ୍ଲାଦ ଉଦ୍ଧାର ର ସ୍ମୃତି ରେ ଏହି ଅଗ୍ନି ଉତ୍ସବ ହେଉଥିବାର ମନେହୁଏ। ହିରଣ୍ୟକଶିପୁ ର ଭଉଣୀ ହୋଲିକାକୁ ଭସ୍ମକରି ପ୍ରହଲ୍ଲାଦ କୁ ଉଦ୍ଧାର କରିବା ବିଷୟରେ ଆମେ ସମସ୍ତେ ଜାଣିଛେ। ଏହାକୁ ପ୍ରାୟତଃ ମେଣ୍ଢା ପୋଡ଼ି ବା ମେଣ୍ଢା କୁଡ଼ିଆ ପୋଡି ଭାବରେ ମଧ୍ୟ ଲୋକମାନେ କହିଥାନ୍ତି। ଭଗବାନ ବିଷ୍ଣୁ, ମେଢ୍ର ନାମକ ଅସୁର କୁ ବଦ୍ଧ କରି ତା’ର ଗୃହ ଦାହ କରିଥିବାରୁ ଏହାକୁ ମେଣ୍ଢା ପୋଡ଼ି କହିବାର ଯଥାର୍ଥତା ମନେ ହୁଏ । ଏବେ କିଛି ବର୍ଷ ହେଲାଣି ଦୋଳଗୋବିନ୍ଦ ଙ୍କ ର ଏହି ଅଗ୍ନି ଉତ୍ସବ କୁ ଦୋଳବେଦୀ ପରିସରରେ ମାରଓ୍ଵାଡି ସମ୍ପ୍ରଦାୟର ଲୋକଙ୍କ ଦ୍ଵାରା ହୋଉଥିବାର ଲକ୍ଷ୍ୟ କରା ଯାଉଛି। ତେବେ ବରିଷ୍ଠ ସଦସ୍ୟ ମାନେ କହିପାରିବେ ଯେ, ଏହି ପ୍ରଥା ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକଙ୍କ ଦ୍ଵାରା କେବେ ଓ କେମିତି ଆରମ୍ଭ ହେଲା।

ଦୋଳବେଦୀ ରେ ପହଞ୍ଚିବା ପରେ ପୂଜାପଣ୍ଡା ଓ ମୁଦିରସ୍ତ ଙ୍କ ଦ୍ଵାରା ପୂଜାର୍ଚ୍ଚନା ପରେ ଅଗ୍ନି ସଂଯୋଗ ହୋଇଥାଏ। ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ଙ୍କ ବିମାନ ସହିତ ପଞ୍ଚୁପାଣ୍ଡବ (ଜମେଶ୍ଵର, ଲୋକନାଥ, କପାଳ ମୋଚନ, ମାର୍କଣ୍ଡେଶ୍ୱର, ନୀଳକଣ୍ଠେଶ୍ଵର)ମଧ୍ୟ ଏହି ଅଗ୍ନି ଉତ୍ସବ ରେ ସାତ ଥର ଅଗ୍ନି ପ୍ରଶିକ୍ଷଣ କରନ୍ତି।ପ୍ରକୃତରେ କୁଟାକାଠି ଆଦି ଆବର୍ଜନା ଓ ଗୋବର ଘସି ଆଦି ଯାହାସବୁ ହୋଲିକା ଦହନ ବେଳେ ପ୍ରୟୋଗ ହୁଏ ସେଗୁଡ଼ିକ ହେଉଛି ମଣିଷର କୁଅଭ୍ୟାସ, ନିରାଶା, ଅଶାନ୍ତି, ଭୟ, ଆଳସ୍ୟ, କଟୁତା, ପାପ ବିକାର ଆଦିର ପ୍ରତୀକ।ଇଶ୍ଵରୀୟ ଜ୍ଞାନ ହେଉଛି ଘୃତ ସଦୃଶ ଯାହାକି ଯୋଗ ରୂପକ ଅଗ୍ନିକୁ ପ୍ରଜ୍ଜ୍ୱଳିତ କରି ମଣିଷର କୁସଂସ୍କାର, ରୁଢ଼ିବାଦିତା, ଦାମ୍ଭିକତା ଓ ଈଶ୍ୱରବିମୁଖତା ରୂପୀ ହୋଲିକାକୁ ଭସ୍ମ କରି ଦିଏ। ଆଧ୍ୟାତ୍ମିକ ଅର୍ଥରେ ଏହା ହେଉଛି ପ୍ରକୃତ ହୋଲିକା ଦହନ ବା ଅଗ୍ନି ଉତ୍ସବ ବା ମେଣ୍ଢା କୁଡ଼ିଆ ପୋଡ଼ି ର ତାତ୍ପର୍ଯ୍ୟ। ଏହାଦ୍ବାରା ମନୁଷ୍ୟ ମନରେ ହର୍ଷ ଉଲ୍ଲାସ ସ୍ୱତଃ ଜାଗ୍ରତ ହୁଏ।
