ଛାତ୍ରଛାତ୍ରୀଙ୍କ ପୋଷାକ ବଣ୍ଟନରେ ଦୁର୍ନୀତି: ସରକାରୀ ଅନୁଦାନ ବାଟମାରଣା

କଳାହାଣ୍ଡି:୨୪/୮: ବିଭିନ୍ନ କାରଣ ପାଇଁ ସବୁବେଳେ ଚର୍ଚ୍ଚାର ପରିଧି ମଧ୍ୟକୁ ଆସି ଯାଇଥାଏ ଲାଞ୍ଜିଗଡ଼ ବ୍ଲକ। କିଛି ଦିନ ହେଲା ଏହି ବ୍ଲକର ଶିକ୍ଷା ବିଭାଗର ଅନିୟମିତତା ଓ ଦୁର୍ନୀତି ସାରା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି। ବନ୍ଧପାରୀ ସ୍କୁଲ ହଷ୍ଟେଲ ଛାତ୍ରୀମାନଙ୍କ ଟଙ୍କା ହଡପ ଅଭିଯୋଗରେ, ହରଡ଼ ଘଟଣାରେ ପଡିଛନ୍ତି ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ। ଏହାକୁ ଗୁରୁତର ସହ ବିଚାର କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ। ବର୍ତ୍ତମାନ ସେହି ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳି ହୋଇଛି ଏବଂ ଏହି ଘଟଣାର ତଦନ୍ତ ଜାରି ରହିଛି। ଏପଟେ ଲାଞ୍ଜିଗଡ଼ ବ୍ଲକର ସ୍କୁଲ ମାନଙ୍କୁ ଯୋଗାଇ ଦିଆଯାଇଥିବା ବିଭିନ୍ନ ସାମଗ୍ରୀରେ ବହୁତ ବଡ଼ ଧରଣର ଘୋଟାଲା ହୋଇଥିବା ଚର୍ଚ୍ଚା ହେଉଛି। ଅଗଷ୍ଟ ମାସରୁ ବିଦ୍ୟାଳୟ ମାନଙ୍କରେ ପୋଷାକ ବଣ୍ଟନ ଚାଲିଛି। ତେବେ ଏହି ପୋଷାକ ବଣ୍ଟନ ଅନ୍ତରାଳେ ଥିବା ଭାଗବଣ୍ଟା ବାଟରେ ପଡି ହାଟରେ ଗଡିବାକୁ ଯାଉଛି। ପୂର୍ବ ବର୍ଷ ମାନଙ୍କରେ ମଧ୍ୟ ପୋଷାକ ଯୋଗାଣରେ ଦୁର୍ନୀତି ହୋଇଛି, କିନ୍ତୁ ଏବର୍ଷ ଏହା ସୀମା ସରହଦ ପାର ହୋଇଯାଇଥିବା ଚର୍ଚ୍ଚା ଲାଗି ରହିଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଦୁଇହଳ ଲେଖାଏଁ ପୋଷାକ ସହିତ ହଳେ ଜୋତା ଯୋଗାଇ ଦେଉଛନ୍ତି ସରକାର। ଏହି ପୋଷାକ ଓ ଯୋତା ବାବଦକୁ ସରକାର ଯେଉଁ ଆର୍ଥିକ ସହାୟତା ଦେଉଛନ୍ତି ସେଥିରେ ବ୍ଲକ୍ ଶିକ୍ଷା ବିଭାଗ ପଦାଧିକାରୀ, ସ୍କୁଲ କତୃପକ୍ଷ ଓ ଦୋକାନୀମାନେ ମିଳିମିଶି ଚଳୁ କରୁଥିବା ଅଭିଯୋଗ ହେଉଛି। ଲାଞ୍ଜିଗଡ଼ ବ୍ଲକର ୧୦ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ପାଇଁ ଆସୁଥିବା ଅନୁଦାନର ଖୁଲମଖୁଲା ବାଟମାରଣା ହେଉଥିବା ଅଭିଯୋଗ ହେଉଛି। ଲାଞ୍ଜିଗଡ଼ ବ୍ଲକର ବିଶ୍ବନାଥପୁର, ଲାଞ୍ଜିଗଡ଼ ଓ ଲାଞ୍ଜିଗଡ଼ ରୋଡରେ କପଡା ଦୋକାନ ଥିବାବେଳେ ସେସବୁ ଦୋକାନରୁ ପୋଷାକ ନ ଆଣି ଅନ୍ୟ ଜାଗାରୁ ସ୍କୁଲ ୟୁନିଫର୍ମ ଆସି ବିତରଣ କରାଯାଉଛି। ରୁପ୍ରାରୋଡରେ ଥିବା କପଡ଼ା ଦୋକାନୀ, ସ୍ଥାନୀୟ ସ୍କୁଲ ଗୁଡିକର କେତେକ ପ୍ରଧାନଶିକ୍ଷକ ଓ ଲାଞ୍ଚୁଆ ସିଆରସିସି ନିମ୍ନମାନର ପୋଷାକପତ୍ର ଯୋଗାଇ ସରକାରୀ ଅନୁଦାନକୁ ହଡ଼ପ କରୁଥିବା ଅଭିଯୋଗ ହେଉଛି। ସେହିପରି ଭାବେ ଫିକ୍ସିଂ ହୋଇ ଅମ୍ବାଦୋଲା ବ୍ୟବସାୟୀଙ୍କ ଠାରୁ ଆସିଥିବା ଡ୍ରେସ୍ ଓ ଜୋତା ଅତି ନିକୃଷ୍ଟ ଧରଣର ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଅମ୍ବାଦୋଲା ଓ ରୁପ୍ରାରୋଡ ବ୍ୟବସାୟୀମାନେ ଯୋଗାଉଥିବା ପୋଷାକ ହଳ ପ୍ରତି ୭୦ ଟଙ୍କା ଓ ଜୋତା ମଧ୍ୟ ୭୦ ଟଙ୍କା ମଧ୍ୟରେ ହୋଇଥାଇପାରେ ବୋଲି ଆଲୋଚନା ହେଉଛି। ଏପଟେ ପ୍ରତି ଛାତ୍ରଛାତ୍ରୀଙ୍କୁ ଦୁଇହଳ ସ୍କୁଲ ୟୁନିଫର୍ମ ୪୦୦ ଟଙ୍କା ଏବଂ ହଳେ ଯୋତା ପାଇଁ ୨୦୦ ଏଭଳି ମୋଟ ୬୦୦ ଟଙ୍କା ଅନୁଦାନ ଆସୁଛି। ଲାଞ୍ଜିଗଡ଼ ବ୍ଲକରେ ଅନେକ କପଡା ଦୋକାନ ଥିବାବେଳେ ରୁପ୍ରାରୋଡ, ଅମ୍ବାଦୋଲା ଓ ଭବାନୀପାଟଣା ବ୍ୟବସାୟିଙ୍କ ଠାରୁ କାହିଁକି କପଡ଼ା କିଣାଯାଉଛି ବୋଲି ଅଭିଭାବକମାନଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରତିବର୍ଷ ରୁପ୍ରାରୋଡ ଓ ଅମ୍ବାଦୋଲା ପୋଷାକ ନିମ୍ନମାନର ବୋଲି ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଅଭିଯୋଗ କରିଆସୁଥିଲେ ମଧ୍ୟ ପୁଣି ରୁପ୍ରାରୋଡ ଓ ଅମ୍ବାଦୋଲା ବ୍ୟବସାୟିକ ପାଖକୁ କାହିଁକି ବିଦ୍ୟାଳୟ କତୃପକ୍ଷ ପୋଷାକପତ୍ର ପାଇଁ ଯାଇଥାନ୍ତି। ତାହା ସଂଦେହ ଘେରରେ ରହୁଛି। ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ଲାଗି ପୋଷାକ ପତ୍ର କିଣାରେ ବ୍ୟବସାୟୀ ମାନେ ଶିକ୍ଷା ବିଭାଗ କର୍ମଚାରୀଙ୍କୁ ପିସି ଦେଉଛନ୍ତି ବୋଲି କେତେକ ବ୍ୟବସାୟୀ ଜୋର ଦେଇ କହୁଛନ୍ତି । ଲାଞ୍ଜିଗଡ଼ ବ୍ଲକରେ ପ୍ରତିବର୍ଷ ପ୍ରାୟ ୭୦ ଲକ୍ଷ ଉର୍ଦ୍ଧ୍ବ ମୂଲ୍ୟର ପୋଷାକ ଓ ଜୋତା ବଣ୍ଟନ କରାଯାଉଥିବାରୁ ଏହି ଅନୁଦାନର ଉପଯୁକ୍ତ ବିନିଯୋଗ ହେଉଛିକି ନାହିଁ ସେନେଇ ଜିଲ୍ଲା ପ୍ରଶାସନ ତଦାରଖ କରିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।କପଡ଼ା ବ୍ୟବସାୟୀମାନେ ବିଦ୍ୟାଳୟ ଗୁଡ଼ିକୁ କୋଟେସନ୍ ଦେଇଥାନ୍ତି। ନାମକୁ ବିଦ୍ୟାଳୟର ପରିଚାଳନା କମିଟି ରହିଥିଲେ ମଧ୍ୟ ପ୍ରଧାନଶିକ୍ଷକ ମାନେ ହିଁ ସବୁକିଛି କରୁଥିବା ଜଣାପଡିଛି। କେତେକ ସିଆରସିସିଙ୍କ ମାଧ୍ୟମରେ ପ୍ରଧାନଶିକ୍ଷକ ମାନଙ୍କୁ ଆକର୍ଷଣୀୟ ପିସିର ପ୍ରଲୋଭନ ଦେଇ ନିଜଠୁ ସାମଗ୍ରୀ ନେବାପାଇଁ ଦୋକାନୀ ମାନେ ଏକ ପ୍ରକାର ବାଧ୍ୟ କରିଥାନ୍ତି। ରୁପ୍ରାରୋଡ ଓ ଅମ୍ବାଦୋଲାର ନିର୍ଦ୍ଦିଷ୍ଟ କେତେଜଣ ଦୋକାନୀ ହିଁ ପ୍ରତିବର୍ଷ ଲାଞ୍ଜିଗଡ଼ ବ୍ଲକର ପ୍ରାୟ ସମସ୍ତ ବିଦ୍ୟାଳୟକୁ ପୋଷାକ ଯୋଗାଇଥାନ୍ତି। ଆଉ ପୋଷାକ ମାନ୍ୟତା ପରିକ୍ଷଣ କମିଟି ପୋଷାକ ବଣ୍ଟନର ଟେର ମଧ୍ୟ ପାଇନଥାଏ। ପୋଷାକ ବଣ୍ଟା ହେଲେ ପ୍ରତି ଛାତ୍ରଛାତ୍ରୀ ୬୦୦ ଟଙ୍କାରୁ ମାତ୍ର ୨୦୦ ଟଙ୍କା ମୂଲ୍ୟରେ ନିମ୍ନମାନର ସାମଗ୍ରୀ ପାଉଛନ୍ତି। ଏଥିପ୍ରତି ଲାଞ୍ଜିଗଡ଼ ବିଧାୟକ ଓ ଜିଲ୍ଲାପାଳ ଦୃଷ୍ଟି ଦେଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଅଭିଭାବକ ମହଲରୁ ଦାବି ହେଉଛି।

ରିପୋର୍ଟ- ତୁଳମଣି ନାଗ, କଳାହାଣ୍ଡି

Leave a Reply

Your email address will not be published. Required fields are marked *