ଫକୀରପୁର ନଦୀବନ୍ଧରେ ବାଲି ଡିପୋ
ଆନନ୍ଦପୁର, ବୈତରଣୀ ନଦୀରେ ବେଆଇନ ବାଲିଘାଟ କରି ମାଫିଆମାନେ ଲକ୍ଷ ଲକ୍ଷ ଟଙ୍କାର ବାଲି ଚାଲାଣ କରୁଥିବାବେଳେ ବାଲି ମାଫିଆମାନେ ଫକୀରପୁର ନଦୀବନ୍ଧକୁ ବାଲି ଡିପୋ କରି ଦେଇଛନ୍ତି । ନଦୀରୁ ବାଲି ଉଠାଇ ଏଠାରେ ଗଚ୍ଛିତ ରଖୁଥିବାରୁ ରାସ୍ତାରେ ଗାଡ଼ି ଚଳାଚଳରେ ବ୍ୟାହତ ସୃଷ୍ଟି ହେଉଛି। ଏପରିକି ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସ ବି ଫସି ରହୁଛି। ଏମିତି ଏକ ଘଟଣା ମଙ୍ଗଳବାର ଅପରାହ୍ନରେ ଘଟିବାରୁ ସେଠାର ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ସରକାରଙ୍କ ନିଲାମ ବାଲିଘାଟ ବନ୍ଦ ରହିଥିବାବେଳେ ଫକୀରପୁର, ପଦ୍ମପୁର, ଟୁକୁଣା, କୁମୁଣିଆ, ପଞ୍ଚୁପଲ୍ଲୀରୁ ନିୟମିତ ଚୋରାରେ ବାଲି ଚାଲାଣ ହେଉଛି। ବିଶେଷ କରି ସନ୍ଧ୍ୟାପରେ ବାଲି ମାଫିଆଙ୍କ କାରବାର ଆରମ୍ଭ ହୋଇଯାଉଛି। ପଦ୍ମପୁର ଓ ପଞ୍ଚୁପଲ୍ଲୀରେ ସ୍ବତନ୍ତ୍ର ରାସ୍ତା ତିଆରିକରି ନଦୀରୁ ଟ୍ରାକ୍ଟର ଯୋଗେ ବାଲି ଚାଲାଣ ହେଉଛି । ଫକୀରପୁର ନିକଟରେ ଶ୍ରମିକମାନଙ୍କ ଦ୍ବାରା ବାଲି ଉତ୍ତୋଳନ କରାଇ ନଦୀବନ୍ଧରେ ଗଚ୍ଛିତ ରଖାଯାଉଛି। ପରେ ଟ୍ରାକ୍ଟର ଯୋଗେ ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଛି । ନଦୀବନ୍ଧରେ ଅନେକ ସମୟରେ ରାସ୍ତା ଉପରେ ଟ୍ରାକ୍ଟରରେ ବାଲି ଲୋଡ୍ କରାଯାଉଥିବାରୁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି । ଏହି ସମୟରେ ଚାରିଚକିଆ ଗାଡ଼ି ରାସ୍ତା ଅତିକ୍ରମ କରି ପାରୁ ନଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ମଙ୍ଗଳବାର ଅପରାହ୍ନରେ ରୋଗୀନେଇ ଯାଉଥିବା ଏକ ଆମ୍ବୁଲାନ୍ସ ଦୀର୍ଘସମୟ ଧରି ଅଟକି ରହିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା । ସବୁଠାରୁ ବଡ଼କଥା ହେଉଛି ରାଜସ୍ବ ବିଭାଗର କିଛି ଅସାଧୁ କର୍ମଚାରୀ ବାଲିମାଫିଆଙ୍କ ସହିତ ସାମିଲ ରହୁଥିବାରୁ ଅନେକ ସମୟରେ ଚଢାଉ କରାଯାଉଥିଲେ ମଧ୍ୟ ସେମାନେ ପୂର୍ବରୁ ଖବର ପାଇ ଖସି ଯାଉଛନ୍ତି। ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।
ରିପୋର୍ଟ- ଅଭିନ୍ନ ରଣା, ଆନନ୍ଦପୁର।
