ପଞ୍ଚମ ଦିନରେ ୯ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କଲେ
ପଞ୍ଚମ ଦିନରେ ୯ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କଲେ ପୁରୀ,୩/୫-ଚଳିତ ବିଧାନସଭା ନିର୍ବାଚନ ପାଇଁ ପୁରୀ ଜିଲ୍ଲାର ୪ଟି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ ଜାରି ରହିଛି । ନାମାଙ୍କନପତ୍ର ଦାଖଲର ପଞ୍ଚମ ଦିନରେ ୯ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି ।

୧୦୮ ବ୍ରହଗିରି ନିର୍ବାଚନ ମଣ୍ଡଳୀ ପାଇଁ ସ୍ବାଧୀନ ପ୍ରାର୍ଥୀ ଭାବେ ବିହାରୀବନ୍ଧୁ ପଲେଇ ଓ ବିଜେଡି ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବ୍ରହ୍ମଗିରିରୁ ହଜାର ହଜାର କର୍ମୀ ଓ ସମର୍ଥକଙ୍କ ସହ ବାଇକ ଶୋଭାଯାତ୍ରାରେ ଆସି ମା ବାଟମଙ୍ଗଳାଙ୍କୁ ଦର୍ଶନ କରି ପୁରୀରେ ଆସି ପହଞ୍ଚିଥିଲେ । ରାଜ୍ଯସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କ ସମେତ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ । ଖଙ୍ଖ ଚିହ୍ନ ଜିନ୍ଦାବାଦ, ଉମା ଭାଇ ଜିନ୍ଦାବାଦ, ନବୀନ ପଟ୍ଟନାୟକ ଜିନ୍ଦାବାଦ ସ୍ଲୋଗାନରେ ସହର ପ୍ରକମ୍ପିତ ହୋଇଥଲା ।

ରିଟର୍ଣ୍ଣିଂ ଅଧିକାରୀ ତଥା ମୁଖ୍ଯ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟ ରଞ୍ଜନ ପୃଷ୍ଟିଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପୁରୀ ବିଧାନସଭା ପାଇଁ ଆମ ଆଦମୀ ପାର୍ଟିର ସତ୍ଯଜିତ ମହାନ୍ତି ଓ ସ୍ବାଧୀନ ପ୍ରାର୍ଥୀ ସନ୍ତୋଷ କୁମାର ମଲ୍ଲିକ ଓ ସଞ୍ଜୀବ କୁମାର ମହାପାତ୍ର ରିଟର୍ଣ୍ଣିଂ ଅଧିକାରୀ ତଥା ଉପଜିଲ୍ଲାପାଳ ଗୋପୀନାଥ କୁଅଁରଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପିପିଲି ବିଧାନସଭା ପାଇଁ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରସାଦ ମହାରଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଦଳୀୟ ନେତା ଓ କର୍ମୀଙ୍କ ଗହଣରେ ପିପିଲିରୁ ଶୋଭାଯାତ୍ରା କରି ଆସି ପୁରୀରେ ପହଞ୍ଚିବା ଥିଲେ । ରାଜ୍ଯସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କ ସମେତ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ । ରିଟର୍ଣ୍ଣିଂ ଅଧିକାରୀ ତଥା ଅତିରିକ୍ତ ଉପଜିଲ୍ଲାପାଳ ନୀଳମାଧବ ଭୋଇଙ୍କ ନିକଟରେ ସେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସତ୍ଯବାଦୀ ବିଧାନସଭା ପାଇଁ ବିଜେପି ପ୍ରାର୍ଥୀ ଓମପ୍ରକାଶ ମିଶ୍ର ନାମାଙ୍କନପତ୍ର ପତ୍ର ଦାଖଲ କରିଛନ୍ତି । ଓମପ୍ରକାଶ ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ଜଙ୍କିଆ ଗଡସାହି ଛକ ଠାରୁ ଶୋଭାଯାତ୍ରା ବାହାର କରି ସାକ୍ଷୀଗୋପାଳ ଶ୍ରୀଗୋପୀନାଥ ଦେବଙ୍କ ମନ୍ଦିରରେ ଆର୍ଶୀବାଦ ନେଇଥିଲେ । ପରେ ସାକ୍ଷୀଗୋପାଳରୁ ହଜାର ହଜାର କର୍ମୀ ଓ ନେତାଙ୍କ ଗହଣରେ ବାଇକ ଶୋଭାଯାତ୍ରାରରେ ଆସି ରିଟର୍ଣ୍ଣିଂ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଶରତ କୁମାର ବେହେରାଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପୁରୀ ଲୋକସଭା ମହିଳା ମୋର୍ଚ୍ଚା ସଂଯୋଜିକା ରଞ୍ଜିତା ପାଢୀଙ୍କ ସମେତ ବରିଷ୍ଠ ବିଜେପି ନେତା ଉପସ୍ଥିତ ଥିଲେ । ସତ୍ଯବାଦୀର ବିଧାନସଭାର ଆସନ ପାଇଁ ସ୍ବାଧୀନ ପ୍ରାର୍ଥୀ କାମାକ୍ଷା ପ୍ରସାଦ ପ୍ରଧାନ ଓ ପବିତ୍ର ରାଉତରାୟ ନାମାଙ୍କନପତ୍ର ଦାଖଲ କରିଛନ୍ତି । ରିଟର୍ଣ୍ଣିଂ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଶରତ କୁମାର ବେହେରାଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପୁରୀ ଏସପି ପିନାକ ମଶ୍ର, ଅତିରିକ୍ତ ଏସପି ବିଷ୍ଣୁପ୍ରସାଦ ପତି,ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଶୀଲ ମିଶ୍ର, ସିଟି ଡିଏସପି ପ୍ରଶାନ୍ତ ସାହୁଙ୍କ ସମେତ ଅନ୍ଯାନ୍ଯ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।
