ବାଲୁଖଣ୍ଡ ଅଭୟାରଣ୍ୟରେ ପୁଣି ଶୋଭା ବଢାଇଲେ ବିରଳ କୃଷ୍ଣସାର ମୃଗ
# କୋଣାର୍କ,୧୯.୦୬- ପୁର୍ବରୁ ବିରଳ ପ୍ରଜାତିର କୃଷ୍ଣସାର ମୃଗ ପାଇଁ ପ୍ରସିଦ୍ଧି ଲାଭ କରିଥିବା ପୁରୀ ଜିଲ୍ଲାର ବାଲୁଖଣ୍ଡ ଅଭୟାରଣ୍ୟରେ ବିରଳ କୃଷ୍ଣସାର ମୃଗ ପୁଣି ଶୋଭା ବଢାଇଛନ୍ତି।

ବନ ବିଭାଗର ପ୍ରୟାସରେ ପ୍ରାଥମିକ ପର୍ଯ୍ୟାୟରେ ୧୦ଟି ମୃଗ ଆସି ଅବସ୍ଥାନ କରିଛନ୍ତି। ପ୍ରାୟ ଦେଢ଼ କୋଟି ଟଙ୍କା ବ୍ୟୟ ଅଟକଳରେ କୋଣାର୍କ ନିକଟସ୍ତ କୁରୁଜଙ୍ଗ ସେକସନ୍ ଖଣ୍ଡିଆନଈ ନିକଟରେ ୫ଏକର ଜମିରେ ପୁର୍ବରୁ ହରିଣ ମାନଙ୍କ ପ୍ରସ୍ତୁତ ହୋଇଥିବା ସଫାରୀରେ ମଙ୍ଗଳବାର ରାତିରେ ଛଡ଼ା ଯାଇଛି। ସେମାନଙ୍କ ପାଇଁ ଗ୍ୟାଲେରୀ, ଘାସ, ପାନୀୟ ଜଳ , ସୁରକ୍ଷା ବ୍ୟବସ୍ଥା ସହ ସିସିଟିଭି ଜରିଆରେ ଗତିବିଧି ଲକ୍ଷ୍ୟ ନେଇ ଉତ୍ତମ ବ୍ୟବସ୍ଥା କରାଯାଇଛି। ଗଞ୍ଜାମ ଗୁମୁସୁର ଓ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ୪ଟି ଅଣ୍ଡିରା ଓ ୬ଟି ମାଇ ପ୍ରଜାତିର କୃଷ୍ଣସାର ମୃଗ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଅଣାଯାଇ ସୁରକ୍ଷିତ ଭାବେ ଛଡା ଯାଇଛି। ସେମାନଙ୍କୁ ପ୍ରଥମେ ନିରୀକ୍ଷଣ ଓ ସୁରକ୍ଷିତ ଭାବେ ରଖାଯିବ। ପରିବେଶ ସହ ଖାପ ଖୁଆଇଲେ ସେମାନଙ୍କୁ ଅଭୟାରଣ୍ୟ ମଧ୍ୟକୁ ଛଡାଯିବା ନେଇ ବନ ବିଭାଗ ପକ୍ଷରୁ ଜିଲ୍ଲା ବନଖଣ୍ଡ ଅଧିକାରୀ ବିବେକ କୁମାର କହିଛନ୍ତି। ସେମାନଙ୍କ ପାଇଁ ପରିବେଶ ଉପଯୋଗୀ ରହିଲେ ଆବଶ୍ୟକ ସ୍ଥଳେ ଅଧିକ ସଂଖ୍ୟକ କୃଷ୍ଣସାର ମୃଗ ବାଲୁଖଣ୍ଡ ଅଭୟାରଣ୍ୟରେ ଅବସ୍ଥିତ କରାଯିବ ବୋଲି କୋଣାର୍କ ରେଞ୍ଜ ଅଧିକାରୀ ସୁଦର୍ଶନ ଦେହୁରୀ ସୁଚନା ଦେଇଛନ୍ତି। ପୁରୀ ଜିଲ୍ଲା ବାଲୁଖଣ୍ଡ ଅଭୟାରଣ୍ୟରୁ ବିରଳ ପ୍ରଜାତିର କୃଷ୍ଣସାର ମୃଗ ବିଲୁପ୍ତ ହୋଇଯାଇଥିଲେ, ଏହି ୧୦ଟି ସହିତ ଆଗାମୀ ଦିନରେ ଅଧିକ ମୃଗ ଏଠାକୁ ସ୍ଥାନାନ୍ତର କରିବାକୁ ନିବେଦନ କରିବା ସହିତ ରାଜ୍ୟ ସରକାରଙ୍କ ବନ ବିଭାଗ ପକ୍ଷରୁ ଏପରି ଐତିହାସିକ ପ୍ରୟାସକୁ ଭୂୟୟସି ପ୍ରଶଂସା କରିବା ସହ ସାଧୁବାଦ ଜଣାଇଛନ୍ତି ପ୍ରକୃତିବନ୍ଧୁ ପୁରସ୍କାରପ୍ରାପ୍ତ ପରିବେଶପ୍ରେମୀ ଜ୍ଞାନ ରଞ୍ଜନ ବିଶ୍ଵାଳ।
