ବିନା ମୂଲ୍ୟରେ ଶାରୀରିକ ଓ ମାନସିକ ସୁସ୍ଥତା ହାସଲ ପାଇଁ ଯୋଗ ଏକମାତ୍ର ମାଧ୍ୟମ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଯୋଗ ଦିବସ
। ଆମ ଦେଶ ଭାରତ ତାର ନିଜର ଯେଉଁ ସଂସ୍କୃତି, ଐତିହ୍ୟ, ପରମ୍ପରା କୁ ନେଇ ସାରା ବିଶ୍ଵ ଆଗରେ ବିଶ୍ଵ ଗୁରୁ ଭାବେ ଉଭା ହୋଇଛି ସେ ଆଧାର ମଧ୍ୟରେ ଯୋଗ ହେଉଛି ଏକ ଅବିଚ୍ଛେଦ୍ୟ ଅଙ୍ଗ । କାହିଁ କେଉଁ କାଳରୁ ଆମ ମାଟି ସହ ଜଡ଼ିତ ଥିବା ଏହି ଯୋଗକୁ ଆପଣେଇ ମୁନିଋଷି ମାନେ ସୁସ୍ଥ, ଦୀର୍ଘଜୀବି ହୋଇପାରୁଥିଲେ । ଯୋଗ ମାଧ୍ଯମରେ ବିନା ମୂଲ୍ୟରେ ଶାରୀରିକ ଓ ମାନସିକ ସୁସ୍ଥତା ମିଳେ । ଯୋଗ ସମସ୍ତଙ୍କ ପାଇଁ ସକରାତ୍ମକ ମନୋଭାବ ଆଣିଥାଏ । ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଯୋଗ ଦିବସ ୨୦୨୪ ପାଳନ ଅବସରରେ ଯୋଗ ଦେଇଥିବା ଅତିଥିମାନେ ନିଜ ନିଜ ବକ୍ତବ୍ୟ ଜରିଆରେ ଯୋଗର ଉପକାରୀତା, ଆଜିର ଆଧୁନିକ ଜୀବନଶୈଳୀରେ ଯୋଗର ଆବଶ୍ୟକତା ନେଇ ଉପସ୍ଥିତ ଅଂଶଗ୍ରହଣକାରୀଙ୍କ ଉଦ୍ଦେଶ୍ୟରେ ଏହିପରି ଅନେକ ଉପାଦେୟ ବାର୍ଭା ପ୍ରାଦନ କରିଥିଲେ ଓ ଯୋଗାଭ୍ୟାସ ପ୍ରଦର୍ଶନରେ ଅତିଥିମାନେ ଅଂଶ ଗ୍ରହଣ କରିଥିଲେ ।ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ନେହେରୁ ଷ୍ଟାଡ଼ିୟମ୍ ପଡ଼ିଆରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଲୋକସଭା ସାସଂଦ ଅଭିମନ୍ୟୁ ସେଠୀ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର, ଏସ.ପି. ବରୁଣ୍ ଗୁଣ୍ଟୁପାଲି, ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ଗଡ଼ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଏହି ଯୋଗ ଦିବସ ପାଳନ ଉତ୍ସବରେ ଜିଲ୍ଲାର ବିଭିନ୍ନ ସ୍କୁଲ, କଲେଜ ର ଛାତ୍ରଛାତ୍ରୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତା, ସଦସ୍ୟ, ସରକାରୀ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧ ଆଦି ୫୦୦ ରୁ ଉର୍ଦ୍ଧ୍ବ ଲୋକ ଅଂଶ ଗ୍ରହଣ କରି ଯୋଗାଭ୍ୟାସ କରିଥିଲେ । ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ର ନିର୍ଦ୍ଦେଶ ଓ ମାର୍ଗଦର୍ଶିକା ଅନୁପାଳନ ଆଧାରରେ ସକାଳେ ଯୋଗଗୁରୁ ମାନଙ୍କ ପ୍ରଦର୍ଶନ ଅନୁଯାୟୀ ବିଭିନ୍ନ ଆସନ, ପ୍ରାଣାୟାମ୍, ପ୍ରାର୍ଥନା, ଶାରିପାଠ, ଶପଥପାଠ ଏକଘଣ୍ଟା ମଧ୍ଯରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଆୟୋଜନ ପରିସ୍ଖଳନାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଗଡ଼ନାୟକ, ଉପଜିଲ୍ଲାପାଳ ମନୋଜ ପାତ୍ର, ଭଦ୍ରକ ବି.ଡ଼ି.ଓ. ସୀତାକାନ୍ତ ରାଉତ, ତହସିଲଦାର ପ୍ରିୟଦର୍ଶୀ ସଂଗ୍ରାମ କେଶରୀ ଖୁଣ୍ଟିଆ, ଡି.ଏସ୍.ପି. ଅଂଶୁମାନ ଦ୍ବିବେଦୀ, ଅତିରିକ୍ତ ଉପଜିଲ୍ଲାପାଳ ଶ୍ୟାମଳ ରାୟ ପ୍ରମୁଖ ଆନୁସଙ୍ଗିକ ଦାୟିତ୍ଵ ନିର୍ବାହ କରିବା ସହିତ ଯୋଗାଭ୍ୟାସ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ସକାଳ ୬ ଟାରୁ ଏଥିପାଇଁ ପଞ୍ଜିକରଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଡ଼େପୁଟୀ କଲେକ୍ଟର କାର୍ତିକ ନାଥ ମଣ୍ଡଳ ମଞ୍ଚ ପରିପ୍ପଳନା କରିଥିଲେ । ସହକାରୀ କୃଷି ଅଧିକାରୀ ଅନୁରାଧା ପଣ୍ଡା ଉଦ୍ଘୋଷିକା ଦାୟିତ୍ବ ନିଭାଇ ଥିଲେ । ଜିଲ୍ଲା କ୍ରୀଡ଼ା ଅଧୂକାରିଣୀ ତନ୍ତ୍ରିତା କର, ବିଭାଗୀୟ ଓ.ଏସ୍.ଡ଼ି. ରମେଶ ମହାନ୍ତି, ପ୍ରାକ୍ତନ କ୍ରୀଡ଼ାଧିକାରୀ ପଦ୍ମନ ରାୟ ଏହି କାର୍ଯ୍ୟ ଆୟୋଜନରେ ଆନୁସଙ୍ଗିକ ସହଯୋଗ କରିଥିଲେ । ଯୋଗଗୁରୁ ହିସାବରେ ସଂଜୀବ ନାୟକ, ଧରଣୀଧର କର, ଆରତୀ ପାଣିଗ୍ରାହୀ, ସୁରେଶ ନାୟକ ପ୍ରମୁଖ ଯୋଗ ପ୍ରଦର୍ଶନ କାର୍ଯ୍ୟ ପରିପ୍ପଳନା କରିଥିଲେ । ଡେପୁଟୀ କଲେକ୍ଟର ଖଗେଶ୍ଵର ବରାଳ, ଅକ୍ଷୟ ବେହେରା, ଆସିଷ୍ଟାଣ୍ଟ କଲେକ୍ଟର ଚିତ୍ତରଞ୍ଜନ ସେଠୀ, ଜୟନ୍ତ ସୋରେନ୍ ପ୍ରମୁଖ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ । ରୋଟାରୀ କ୍ଲବ, ମିଡ୍ଟାଉନ୍ ଓ ଲାୟନ୍ସ କ୍ଲବ୍ ଭଦ୍ରକ ତରଫରୁ ଥଣ୍ଡା ପାନୀୟ ଓ ବିସ୍କୁଟ ପ୍ରଦାନ କରାଯାଇଥିଲା ।
