ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତି ଓ ସ୍ଥାୟୀ ସମାଧାନ ଉପରେ ପ୍ରାଧାନ୍ୟ

ଭଦ୍ରକ, ୨୨.୦୬.୨୦୨୪ । ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଉପକୂଳ ଜିଲ୍ଲା ଭଦ୍ରକର ପ୍ରମୁଖ ଦୁଇ ପ୍ରାକୃତିକ ବିପର୍ଯ୍ୟୟ ବାତ୍ୟା, ବନ୍ୟା ଓ ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ନେଉ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟିର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଭଦ୍ରକ ଲୋକସଭା ସଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଚାନ୍ଦବାଲି ବିଧାୟକ ଡ଼. ବ୍ୟୋମକେଶ ରାୟ, ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ, ଧାମନଗର ବିଧାୟକ ତଥା ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା, କ୍ରୀଡ଼ା ଯୁବସେବା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରତିନିଧ ଅଶୋକ କୁମାର ପୁହାଣ, ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ କୁମାର ଜେନା, ଦୁଇ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି ଓ ସମ୍ବିତ କୁମାର ଗଡ଼ନାୟକ ପ୍ରମୁଖ ଯୋଗ ଦେଇଥିଲେ

।ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତି ଗୁରୁତ୍ବପୂର୍ଣ । ଭଦ୍ରକ ଜିଲ୍ଲା ପାଇଁ ବନ୍ୟା ଓ ବାତ୍ୟା ୨ଟି ବିପର୍ଯ୍ୟୟ ମୁଖ୍ୟ । ଏହାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତିକୁ ନିକଟରେ ଟେବୁଲ ଟପ୍ ଏକସର ସାଇଳ୍ ଓ ମକଡ୍ରିଲ୍ ଜରିଆରେ ପରୀକ୍ଷା ମୂଳକ ଅଭ୍ୟାସ କରାଯାଇ ଆନୁଷଙ୍ଗିକ ଉପକରଣ, ମାନବ ସମ୍ବଳ ପରିଚାଳନା, ଆଶ୍ରୟ ସ୍ଥଳୀର ପରିଚାଳନା ଆଦିର ସକ୍ରିୟତା ତଦାରଖ କରାଯାଇଥିବା ନେଇ ଜିଲ୍ଲାପାଳ ବୈଠକରେ ସୂଚନା ପ୍ରଦାନ କରିଥିଲେ । ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତି ଯେତିକି ପ୍ରାଧାନ୍ୟ ରଖେ ସମସ୍ୟାର ସ୍ଥାୟୀ ସମାଧାନ ଉପରେ ମଧ୍ୟ ସେତିକି ଗୁରୁତ୍ୱାରୋପ ଜରୁରୀ ଏବଂ ଏଥିପାଇଁ ବିଧିବଦ୍ଧ ଭାବେ ଯୋଜନାର ଆବଶ୍ୟକ‌ତା ଅଛି ବୋଲି ସଂସଦ ଶ୍ରୀଯୁକ୍ତ ସେଠୀ ମତବ୍ୟକ୍ତ କରିଥିଲେ । ବିଶେଷ କରି ଜିଲ୍ଲାର ବନ୍ୟା ନିୟନ୍ତ୍ରଣ ପାଇଁ ବୈତରଣୀରେ ଥିବା ଏସ୍କେପ୍ ଗୁଡ଼ିକୁ ସମ୍ପୂର୍ଣ ବନ୍ଦ ପାଇଁ ଯୋଜନା କରାଯିବା, ପୌରାଞ୍ଚଳରେ ଜଳ ପ୍ଲାବିତ ରାସ୍ତା ଓ ଜନବସତି ରୁ ଜଳ ନିଷ୍କାସନ ପାଇଁ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ସେ ପ୍ରକାଶ କରିଥିଲେ । ଅନ୍ୟ ବିଧାୟକମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀର ବିପର୍ଯ୍ୟୟ ସମସ୍ୟା ଉତ୍‌ଥାପନ ଆଧାରରେ ବନ୍ୟାବାତ୍ୟା ଅବସରରେ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳରେ ଲୋକଙ୍କ ପାଇଁ ଶୁଖୁଲା ଖାଦ୍ୟ, ରନ୍ଧାଖାଦ୍ୟ ଯୋଗାଣ ପାଇଁ ଚୂଡ଼ା, ଚାଉଳ ଓ ଆବଶ୍ୟକ ଖାଦ୍ୟଦ୍ରବ୍ୟ, ପଲିଥୁନ୍, ଗୃହପାଳିତ ପଶୁମାନଙ୍କ ପାଇଁ ଖାଦ୍ୟ ଆଦି ସଠିକ ସମୟରେ ପହଞ୍ଚାଇବା, ତଳିଆ ଅଞ୍ଚଳରେ ଉଦ୍ଧାରକାର୍ଯ୍ୟ ଲାଗି ଡ଼ଙ୍ଗା ମହଜୁଦ ରଖାଯିବା, ପ୍ରତି ଆଶ୍ରୟ ସ୍ଥଳୀରେ ବିଶେଷ କରି ପାନୀୟ ଜଳ ଯୋଗାଣ ନିଶ୍ଚିତତା କରାଇବା ଉପରେ ବୈଠକରେ ମତବ୍ୟକ୍ତ କରିଥିଲେ । ଏ ନେଇ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାର ପ୍ରସ୍ତୁତି ଗ୍ରହଣ କରାଯାଇଥିବା ନେଇ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ପ୍ରକାଶ କରିଥିଲେ । ଯାହା ବି କାମ ବକେୟା ଅଛି ବା ଆବଶ୍ୟକ‌ତା ଅଛି, ବିଶେଷ କରି ଆଶ୍ରୟ ସ୍ଥଳୀମାନଙ୍କର ସ୍ଥିତାବସ୍ଥା ନେଇ ୧୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ ଲାଗି ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ ।ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମହାନ୍ତି ବିପର୍ଯ୍ୟୟ ମୁକାବିଲା ଦିଗରେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ସମ୍ବନ୍ଧରେ ପୂର୍ଣାଙ୍ଗ ବିବରଣୀ ଉପସ୍ଥାପନ କରିଥିଲେ । ବିପର୍ଯ୍ୟୟ ମୁକାବିଲା ପରିଚାଳନା ଲାଗି ଜିଲ୍ଲାକୁ ୧୨ଟି ଜୋନ୍‌ରେ ଓ ପ୍ରତି ଜୋନ୍‌କୁ ସବ୍‌ଜୋନ୍‌ରେ ବିଭକ୍ତ କରାଯାଇଥିବା, ବୈତରଣୀ ନଦୀର ଆଖୁଆପଦା, ଗାନ୍ଧୀଘାଟ ଓ ତିହିଡ଼ିର ଶ୍ୟାମସୁନ୍ଦରପୁର ଠାରେ ଅସ୍ଥାୟୀ ଓୟାରଲେସ୍ ଟାୱାର କାର୍ଯ୍ୟ କରିବା, ପ୍ରତିଦିନ ରେନ୍‌ଫଲ ଡ଼ାଟା ସଂଗ୍ରହ ଆଧାରରେ ବନ୍ୟା ସମସ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ସଜାଗ ରଖୁବା, ଉଦ୍ଧାରକାର୍ଯ୍ୟ ଓ ରିଲିଫ୍ ଯୋଗାଣ ଲାଗି ୩୩ଟି ଡ଼ଙ୍ଗା ମହଜୁଦ ସହ ୨୭୪ଟି ଦେଶୀ ଡ଼ଙ୍ଗା ଚିହ୍ନଟ କରାଯାଇଥିବା, ସମସ୍ତ ଡ଼ାକ୍ତରଖାନାରେ ଆନୁସଙ୍ଗିକ ଔଷଧ, ସାପକାମୁଡ଼ା, କୁକୁର କାମୁଡ଼ା ଇଞ୍ଜକସନ୍ ମହଜୁଦ ଥିବା, ପୌରାଞ୍ଚଳରେ ଡ୍ରେନେଜ୍ ସଫେଇ କରାଯାଉଥିବା, ରିଲିଫ୍ ପାଇଁ ଆବଶ୍ୟକ ଖାଦ୍ୟଶସ୍ୟ, କିରାସିନୀ ମହଜୁଦ୍ ଥବା ଆଦି ସମ୍ବନ୍ଧରେ ବିଭାଗୀୟ ଅଧିକାରୀମାନଙ୍କ ତଥ୍ୟ ପ୍ରଦାନ ଆଧାରରେ ସୂଚନା ପ୍ରଦାନ କରିଥିଲେ । ଉପଜିଲ୍ଲାପାଳ ମନୋଜ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅତିରିକ୍ତ ଉପଜିଲ୍ଲାପାଳ ଶ୍ୟାମଳ ରାୟ, ଏ.ସି.ଡ଼ି.ଓ କୁଶଳ ଚନ୍ଦ୍ର ନାୟକ, ଜିଲ୍ଲା ଜରୁରୀ କାଳୀନ ଅଧୁକାରୀ ତନ୍ମିତା କର, ଓଡ଼ମାର ସଂଯୋଜକ ଅମ୍ଳାନ ଅନୁପମ ସେନାପତି ପ୍ରମୁଖ ଏହି ବୈଠକ ପରିଚାଳନାରେ ଆନୁସଙ୍ଗିକସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *