ଆଦିବାସୀଙ୍କ ଦଖଲ ରେ ଥିବା ଜମିର ହକ ପାଇଁ ତହସିଲଦାର ଙ୍କୁ ଦାବୀପତ୍ର ପ୍ରଦାନ
ଧରାକୋଟ :-୦୬/୦୭ ଧରାକୋଟ ତହସିଲ ଅଧିନରେ ଥିବା ଝାଡ଼ବନ୍ଧ ରାଜସ୍ବ ସର୍କଲ ର ଚେମିଡି ହିଲ ଗ୍ରାମବାସୀ ମାନେ ତାଙ୍କ ଦଖଲରେ ଥିବା ଜମିକୁ ରାଜସ୍ଵ ବିଭାଗ ତରଫରୁ ଭୁଲ ମାପ କରାଯାଇଥିବା ଯୋଗୁଁ ଏହାର ପ୍ରତିବାଦ ସ୍ବରୂପ ଏକ ଦାବୀପତ୍ର ତହସିଲଦାର ଲମ୍ବୋଦର ମାରାଣ୍ଡି ଙ୍କୁ ପ୍ରଦାନ କରିଛନ୍ତି । ପ୍ରକାଶ ଯୋଗ୍ୟ ସିଙ୍ଗାପୁର ପଞ୍ଚାୟତ ର ଚେମିଡି ହିଲ ଗ୍ରାମରେ ଅଠର ଗୋଟି ଲାଞ୍ଜିଆ ସଉରା ସମ୍ପ୍ରଦାୟର ଆଦିବାସୀ ପରିବାର ବାସ କରୁଛନ୍ତି । ଚେମିଡି ହିଲ ମୌଜାର ଖାତା ନମ୍ବର ୧ ଓ ପ୍ଲଟ ନମ୍ବର ୧୮ ରେ ଥିବା ଜମି କୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଗତ ୨୦୨୦ ମସିହାରେ ରାଜସ୍ବ ବିଭାଗ ର ଜଣେ ଅମିନ ଏହି ଜମି ମାପ କରି ପଟ୍ଟା ପାଇଥିବା ବ୍ୟକ୍ତିଙ୍କୁ ତାଙ୍କ ଜମି ଦେଖାଇ ବଳକା ଜମି କୁ ଆଦିବାସୀ ପରିବାର ପାଇଁ ଛାଡିଥିଲେ । ସେହି ଦିନ ଠାରୁ ଆଦିବାସୀ ପରିବାର ଲୋକେ ଜମି ଜବରଦଖଲ କରି ଚାଷ କରିବା ସହ ସରକାରଙ୍କୁ ଖଜଣା ଦେଇ ଆସୁଛନ୍ତି । ଏହା ମଧ୍ୟରେ ଗତ ୧୨/୦୬/୨୦୨୪ ତାରିଖ ଦିନ ଧରାକୋଟ ତହସିଲ କାର୍ଯ୍ୟାଳୟ ତରଫରୁ ଜନୈକ ପଟ୍ଟାଦାର ଜଗବନ୍ଧୁ ପାଢ଼ୀ ଙ୍କ ଆବେଦନ ପ୍ରକାରେ ସୀମା ନିର୍ଧାରଣ କରିବାବେଳେ ଆଦିବାସୀ ଲୋକଙ୍କ ଅଧିକୃତ ଜମି ପଟ୍ଟା ଜମି ମଧ୍ୟରେ ଆସୁଥିବା ଦେଖାଯାଇଥିଲା । ଯାହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାର ପ୍ରତିବାଦ ସ୍ବରୂପ ଆଜି ଚେମିଡି ହିଲ ଗ୍ରାମର ସମସ୍ତ ୧୮ ଗୋଟି ପରିବାର ଲୋକେ ତହସିଲଦାର ଙ୍କୁ ଏହାର ସୁବିଚାର କରିବା ପାଇଁ ଏକ ଲିଖିତ ଦାବୀ ପତ୍ର ପ୍ରଦାନ କରିଥିଲେ। ଏ ସମ୍ପର୍କରେ ତହସିଲଦାର ଲମ୍ବୋଦର ମାରାଣ୍ଡି ଙ୍କ ଦୃଷ୍ଟି ଆକର୍ଷଣ କରିବା ବେଳେ ମେପ ଅନୁଯାୟୀ ମାପ କରାଯାଇଛି । ଏଣୁ ଏଥିରେ ତ୍ରୁଟି କିଛି ନାହିଁ। ଆଦିବାସୀଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବାକୁ ଚିନ୍ତା କରାଯାଉଛି ବୋଲି ସେ ପ୍ରକାଶ କରିଛନ୍ତି। ସଂପ୍ରତି ଏହି ଘଟଣା କୁ ନେଇ ଆଗାମୀ ଦିନରେ ପଟ୍ଟା ପ୍ରାପ୍ତ ବ୍ୟକ୍ତି ଓ ଆଦିବାସୀଙ୍କ ମଧ୍ୟରେ ମୁହାଁ ମୁଁହି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ସୃଷ୍ଟି ହୋଇଛି।
