ଟେଣ୍ଡର ପ୍ରକାଶ ଓ ଶୁଭ ଉଦଘାଟନ

–, ଟେଣ୍ଡର ପ୍ରକାଶ ଓ ଶୁଭ ଉଦଘାଟନ ଫଳକ ସ୍ଥାପନ ସ୍ୱତ୍ତେ ବ୍ରଜନଗର ଟାୱାର ଲାଇନ ରାସ୍ତା ନିର୍ମାଣ ହୋଇ ପାରୁନଥିବା ନେଇ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡିଲେ ସହର ତଳି କମିଟି। ବ୍ରହ୍ମପୁର — ୨୨/୭/୨୦୨୪ — ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି କାର୍ଯ୍ୟକର୍ତ୍ତା ତଥା ସଦସ୍ୟ ମାନେ ଆଜି ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଚାଲିଥିବା ପ୍ରଥମ ମାସିକିଆ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ପହଞ୍ଚି ଟେଣ୍ଡର ପ୍ରକାଶ ଓ ସଡ଼କ ନିର୍ମାଣର ଶୁଭ ଉଦଘାଟନ ଫଳକ ସ୍ଥାପନ ସ୍ୱତ୍ତେ କାହିଁକି ରୋଡ କାମ ବିଏମସି ଆରମ୍ଭ କରୁନି ସେ ନେଇ ପଦକ୍ଷେପ ନେବାକୁ ଅନୁରୋଧ କରି ଏ ସଂକ୍ରାନ୍ତରେ ଏକ ଦାବୀ ପତ୍ର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ପ୍ରଦାନ କରିଥିଲେ। ଦାବୀ ପତ୍ରରେ ଦର୍ଶାଯାଇଛି କମିଟିର ବାରମ୍ବାର ଦାବୀ, ଉଦ୍ୟମ ଓ ଆନ୍ଦୋଳନ ପରେ ବ୍ରହ୍ମପୁର ମହାନଗର ନିଗମ ଏହି ବିପର୍ଯ୍ୟସ୍ତ ରାସ୍ତାର ନିର୍ମାଣ ନେଇ ସର୍ଭେ ଓ ଅନ୍ୟାନ୍ୟ ପ୍ରଶାସନିକ ଆନୁଷଙ୍ଗିକ ପ୍ରସ୍ତୁତି ପରେ ଯଦିଓ ରାସ୍ତା ନିର୍ମାଣ ନେଇ ଏଷ୍ଟିମେଟ କରି ଟେଣ୍ଡର ବିଜ୍ଞପ୍ତି ପ୍ରକାଶ କଲେ । କିନ୍ତୁ ଟେଣ୍ଡର ବାହାର କରିବା ସ୍ୱତ୍ତେ ବହୁ ଦିନ ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ କରିନଥିଲେ। ଆମର ଚାପ ଓ ଆନ୍ଦୋଳନ ଧମକ ପରେ ଠିକ୍ ନିର୍ବାଚନ ନିର୍ବାଚନ ଆଚରଣ ବିଧି ଘୋଷଣା ହେବା ଅବ୍ୟବହିତ ପୂର୍ବରୁ ଉକ୍ତ ରାସ୍ତା ନିର୍ମାଣ ନେଇ ତତ୍କାଳିନ ବିଧାୟକ, ସାଂସଦ ଓ ସ୍ଥାନୀୟ ୧୭ ଓ ୨୪ ନମ୍ବର ୱାର୍ଡର କର୍ପୋରେଟର ଙ୍କ ଉପସ୍ଥିତିରେ ଭୂମି ପୂଜନ ସହ ଫଳକ ସ୍ଥାପିତ କରିଥିଲେ। କିନ୍ତୁ ଅଦ୍ୟାବଧି ସେଇଠାରେ ବାଲି ମୁଠାଏ ପଡ଼ିଲା ନାହିଁ। ଲୋକେ ଆଶା କରିଥିଲେ ଯାହା ହେଉ ପରିଶେଷରେ ଏହି ରାସ୍ତାର ଭାଗ୍ୟ ଫିଟିଲା। କିନ୍ତୁ ନିର୍ବାଚନ ଆଚରଣ ବିଧି ଉଠି ନୂଆ ସରକାର ଗଠନ ହୋଇସାରିଥିଲେ ସୁଦ୍ଧା ସେହି ରାସ୍ତା ନିର୍ମାଣ ନେଇ ଚିତ୍ର ସ୍ପଷ୍ଟ ହୋଇପାରୁ ନାହିଁ। ତୁରନ୍ତ ଟେଣ୍ଡର କୁ କାର୍ଯ୍ୟକାରୀ କରି ଓ କାର୍ଯ୍ୟାଦେଶ ପ୍ରଦାନ କରି ରାସ୍ତା ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ମହାନଗର ନିଗମକୁ ନିର୍ଦ୍ଧେଶ ଜାରି କରାଯାଉ। ଜିଲ୍ଲାପାଳ ଶିବିରରେ ଉପସ୍ଥିତ ବ୍ରହ୍ମପୁର ମହାନଗର ନିଗମର ଆସିଷ୍ଟାଣ୍ଟ କମିଶନର ରୋନିତ କୁମାରଙ୍କୁ ଟେଣ୍ଡର ସ୍ୱତ୍ତେ କାହିଁକି କାର୍ଯ୍ୟ ଅଟକିଛି ବୁଝି ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଧେଶ ଦେଇଥିଲେ। ସୂଚନା ଯୋଗ୍ୟ ଯେ ବ୍ରଜନଗର ତୃତୀୟ ଲାଇନ ମଧ୍ୟ ଦେଇ ଯାଇଥିବା ଟାୱାର ଲାଇନ ରାସ୍ତା ଅତ୍ୟନ୍ତ ବିପର୍ଯ୍ୟସ୍ତ ଏବଂ ତାହା ତୁରନ୍ତ ମରାମତି ଓ ନିର୍ମାଣ କାର୍ଯ୍ୟର ଅପେକ୍ଷା ରଖେ । ଉକ୍ତ ରାସ୍ତା ଲୋଚପଡା ରୋଡର ବ୍ରଜନଗର ତୃତୀୟ ଗଳିର ପ୍ରବେଶ ପଥ ମୁହଁରେ ଥିବା ରାଧାକୃଷ୍ଣ ମନ୍ଦିର ନିକଟରୁ ଆରମ୍ଭ ହୋଇଥିବା ଦୀର୍ଘ ଦେଢ଼ କିଲୋମିଟର ବ୍ୟାପୀ ଏହି ରାସ୍ତାଟି ଜ୍ୟୋତି ନଗର, ବ୍ୟାଙ୍କ କଲୋନୀ ଏବଂ ବାପୁଜୀ ନଗର ପ୍ରଭୁତି ଛକ ଅତିକ୍ରମ କରି ଦେଇ ଭାବିନୀପୁର ରୋଡର ସିଦ୍ଧାର୍ଥ ନଗର ଛକ ପର୍ଯ୍ୟନ୍ତ ଲମ୍ବି ମେଡିକାଲ ରାସ୍ତାକୁ ସଂଯୋଗ କରୁଛି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଦୀର୍ଘ ତିରିଶି ବର୍ଷ ତଳେ ତିଆରି ହୋଇଥିବା ରାସ୍ତାଟି ଭାଙ୍ଗି ରୁଜି ଯାଇ ଅତି କର୍ଦର୍ଯ୍ୟ ଏବଂ ବିପର୍ଯ୍ୟସ୍ତ ହେଇ ଯାତାୟାତ ପାଇଁ ସମ୍ପୂର୍ଣ ଅନୁପଯୋଗୀ ହେଇପଡ଼ିଛି।ଏହି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ବିଶେଷକରି ଗ୍ରାମାଞ୍ଚଳ ଲୋକ ମେଡିକାଲ ଯିବାକୁ ଏହି ରାସ୍ତାଟିକୁ ବ୍ୟବହାର କରନ୍ତି। କେବଳ ସେତିକି ନୁହେଁ ଏହି ରାସ୍ତାଟିକୁ ସହରକୁ ପ୍ରବେଶ ନିମନ୍ତେ ଆଖପାଖ ଅଞ୍ଚଳରେ ଅବସ୍ଥିତ ଶହ ଶହ ଗ୍ରାମର ଲୋକେ ପ୍ରବେଶ ପଥ ରୂପେ ବ୍ୟବହାର କରିଥାନ୍ତି।ଏହି ଗୁରୁତ୍ତ୍ୱପୂର୍ଣ୍ଣ ରାସ୍ତାଟି ଉପରେ ପ୍ରତିଦିନ ଅଗଣିତ ଛାତ୍ର ଛାତ୍ରୀ, ସରକାରୀ ଏବଂ ବେସରକାରୀ କର୍ମଚାରୀ, ଶ୍ରମଜୀବି, ଚାଷୀ ପ୍ରଭୁତି ଯାତାୟତ ପାଇଁ ନିର୍ଭରଶୀଳ। ଫଳରେ ରାସ୍ତାର ଏହି ଦୂରବସ୍ଥା କାରଣରୁ ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ଘଟି ଖଣ୍ଡିଆ ଖାବରା ହେଉଥିବାର ପରିଲକ୍ଷିତ ହୋଇଥାଏ। ଏତଦ୍ ବ୍ୟତୀତ ବ୍ରଜନଗରର ସମସ୍ତ ଗଳି ଓ ଶକ୍ତିନଗର ବିପାଜ୍ୟସ୍ତ୍ ରାସ୍ତାଘାଟ ଓ ଡ୍ରେନ ସମସ୍ୟା ଏବଂ ବ୍ରଜନଗରରେ ନିର୍ମିତ ଦୁଇ ଗୋଟି ଆପାର୍ଟମେଣ୍ଟ ଦ୍ଵାରା ଉପୁଜିଥିବା ସଙ୍କଟ ନେଇ ଜିଲ୍ଲାପାଳଙ୍କ ଦୃଷ୍ଟ ଆକର୍ଷଣ କରାଯାଇ ପଦକ୍ଷେପ ନେବା ନିମନ୍ତେ ଦାବୀ ପତ୍ର ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *