କଂଗ୍ରେସ ବିଧାୟକ ଦଳର ଉପନେତା ହେଲେ ଅଶୋକ ଦାସ
ଆଜି ଓଡିଶା କଂଗ୍ରେସ ବିଧାୟକ ଦଳର ନେତା ଚୟନ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି । ଅଲ ଇଣ୍ଡିଆ କଂଗ୍ରେସ କମିଟିର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଅନୁମୋଦନ କ୍ରମେ ଓଡିଶାର କଂଗ୍ରେସ ଦଳର ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯିକ୍ତି ପ୍ରଦାନ କରାଯାଇଛି । କୋରାପୁଟର ପୋଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଦାମଙ୍କୁ ଓଡ଼ିଶା ବିଧାନସଭାରେ କଂଗ୍ରେସ ବିଧାୟକ ଦଳର ନେତା, ଭଦ୍ରକ ଜିଲ୍ଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଅଶୋକ ଦାସଙ୍କୁ କଂଗ୍ରେସ ବିଧାୟକ ଦଳର ଉପନେତା ଏବଂ ରାଜଗାଙ୍ଗପୁର ବିଧାୟକ ସିଏସ୍ ରାଜେନ ଏକ୍କାଙ୍କୁ ଓଡିଶା କଂଗ୍ରେସ ବିଧାୟକ ଦଳର ମୁଖ୍ୟ ୱିପ୍ ଭାବରେ ନିଯୁକ୍ତ କରାଯାଇଛି ।ଉଲ୍ଲେଖଯୋଗ୍ୟ, ୨୦୨୪ ଓଡିଶା ବିଧାନସଭା ନିର୍ବାଚନରେ ୧୪ ଟି ସିଟ୍ ଜିତି କଂଗ୍ରେସ ନିଜର ଉଲେଖନୀୟ ବିଜୟଲାଭ କରିଥିଲା । ଶ୍ରୀ କାଦାମ, ପୋଟାଙ୍ଗୀ ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରଫୁଲ୍ଲ କୁମାର ପାଙ୍ଗିଙ୍କୁ ୧୯୧୯ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟ ଲାଭ କରିଥିଲେ।

ସେହିଭଳି ଶ୍ରୀ ଦାସ ବାସୁଦେବପୁର ନିର୍ବାଚନମଣ୍ଡଳୀରେ ବିଜେଡିର ବିଷ୍ଣୁବ୍ରତ ରାଉତରାୟଙ୍କୁ ୬୩୧ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଥିଲେ। ସେହିଭଳି ଶ୍ରୀ ଏକ୍କା ରାଜଗାଙ୍ଗପୁର ନିର୍ବାଚନମଣ୍ଡଳୀରେ ବିଜେଡିର ଅନିଲ ବାରୱାଙ୍କୁ ୧୦,୧୮୪ ଭୋଟ ବ୍ୟବଧାନରେ ପରାସ୍ତ କରି ନିଜର ଦୁର୍ଗକୁ ସୁରକ୍ଷିତ କରିଥିଲେ ।ଏହି ଅବସରରେ ଓଡିଶା ପ୍ରଦେଶ କଂଗ୍ରେସ ସହିତ ଭଦ୍ରକ କଂଗ୍ରେସ ତରଫରୁ ଶ୍ରୀ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ବାସୁଦେବପୁର ନିର୍ବାଚନ ମଣ୍ଡଳୀରୁ ଶ୍ରୀ ଦାସଙ୍କ ପାଖକୁ ଶୁଭେଛାର ସୁଅ ଛୁଟୁଛି ।
