ବାଘ ସୁରକ୍ଷା ନେଇ ସଚେତନତା ଓ ପ୍ରତିଯୋଗିତା କାର୍ଯ୍ୟକ୍ରମ

ବ୍ରହ୍ମପୁର(୨୯/୦୭/୨୦୨୪) ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ “ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ” ଅବସରରେ ବ୍ରହ୍ମପୁର ସ୍ଥିତ ରେଇନବୋ ପ୍ଲେ ବିଦ୍ୟାଳୟରେ ସଚେତନତା ଓ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଦ୍ୟାଳୟର କୁନି କୁନି ଶିଶୁଙ୍କୁ ବାଘର ଜୈବ ବିଭିଧତାରେ ଭୂମିକା ବିଷୟରେ ଅବଗତ କରାଯାଇଥିଲା। ବାଘ ପ୍ରତି ଶିଶୁଙ୍କୁ ଆଗ୍ରହ ବଢାଇବା ପାଇଁ ଭାଷଣ,କବିତା, ମାସ୍କ,ବାଘର ଚିତ୍ରଙ୍କନ କରିବା ଇତ୍ୟାଦିର ପ୍ରତିଯୋଗିତା କରାଯାଇଥିଲା।ଶକ୍ତି,ବୁଦ୍ଧି,ସତର୍କତା, ଗର୍ବ ଓ ଧୌର୍ଯ୍ୟର ପ୍ରତୀକ ବାଘ ଭାରତର ଜାତୀୟ ପଶୁ। ଯାହା ପ୍ରକୃତିର ଏକ ଅନଵଦ୍ୟ ସୃଷ୍ଟି।

ସାରା ବିଶ୍ଵରେ ୯ ପ୍ରକାର ବାଘ ଦେଖିବାକୁ ମିଳୁଆସୁଥିବା ବେଳେ ବର୍ତ୍ତମାନ ୩ ପ୍ରକାର ବାଘ ସମ୍ପୂର୍ଣ୍ଣ ଲୁପ୍ତ ଏବଂ ୬ ପ୍ରକାର ବାଘ ବିଲୁପ୍ତପ୍ରାୟ ଅବସ୍ଥାରେ ଅଛନ୍ତି। ପ୍ରାକୃତିକ ବାସସ୍ଥାନ ଲୋପପାଇବା,ପ୍ରାକୃତିକ ବିପର୍ଯ୍ୟୟ, ଵିଶେଷ କରି ଶିକାରୀଙ୍କ ଲୋଲୁପ ଦୃଷ୍ଟି ଯଥା;ବାଘର ବିଭିନ୍ନ ଅଙ୍ଗ ନଖ, ଦାନ୍ତ ଓ ଛାଲ ଚାହିଦା ଯୋଗୁଁ ଅନେକ ମହାବଳ ବାଘ,କଲରା ପତରିଆ ବାଘ ଶିକାରୀର ଶିକାରରେ ବଳି ପଡୁଛନ୍ତି। ତେଣୁ ସମୟ ଥାଉ ଥାଉ ବାଘଙ୍କ ପ୍ରତି ସରକାର ଆବଶ୍ୟକୀୟ ପଦକ୍ଷେପ ନେବା ଉଚିତ ବୋଲି ଏହି କାର୍ଯ୍ୟକ୍ରମରେ ଚର୍ଚ୍ଚା କରାଯାଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ସୁଦୀପ କୁମାର ସାହୁ ଉପସ୍ଥିତ ଥିଲେ। ମଞ୍ଚ ପରିଚାଳନା ରବୀନ୍ଦ୍ର ସାହାଣୀ କରିଥିବା ବେଳେ ସାଗର ପ୍ରସାଦ ପତ୍ର ସଂଯୋଜନା କରିଥିଲେ। ଏହା ସହ ସଙ୍ଗଠନର ସହ ସମ୍ପାଦକ ପି ବିନୋଦ,ସୁଜିତ କୁମାର ଗୌଡ଼,ପ୍ରସନ୍ନ ସ୍ୱାଇଁଙ୍କ ସମେତ ବିଦ୍ୟାଳୟର ପ୍ରିନ୍ସପଲ ଅସ୍ମିତା କୁମାରୀ ମହାନ୍ତି,ମନୋଜ କୁମାର ମହାପାତ୍ର,ପଦ୍ମିନୀ ନାୟକ ଓ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *