ନିଳାଦ୍ରୀ ଭକ୍ତ ନିବାସ ଅସ୍ଥାୟୀ ଷ୍ଟ୍ରଙ୍ଗରୂମରୁ ଜିଲ୍ଲା କୋଷାଗାରକୁ ସିପ୍ଟ ହେବ ରୂପା
ଆଜି ନିଳାଦ୍ରୀ ଭକ୍ତ ନିବାସ ଅସ୍ଥାୟୀ ଷ୍ଟ୍ରଙ୍ଗରୂମରୁ ଜିଲ୍ଲା କୋଷାଗାରକୁ ସିପ୍ଟ ହେବ କଳାହାଟ ଦ୍ୱାର ପାଇଁ ଥିବା ୫କୁଇଣ୍ଟାଲ ରୂପା। ଜଉମୁଦ ଦିଆଯାଇ ଜିଲ୍ଲା କୋଷାଗାରରେ ରଖାଯିବ ରୂପାଛାଉଣି ପାଇଁ ଆସିଥିବା ବଳକା ପାଞ୍ଚ କୁଇଣ୍ଟାଲ ରୂପା। ଶ୍ରୀମନ୍ଦିର ପ୍ରଶାସନର ଚିଠି ମୁତାବକ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ଆଜି ତାହାକୁ କଡା ସୁରକ୍ଷା ମଧ୍ୟରେ ଜିଲ୍ଲା କୋଷାଗାରକୁ ସିପ୍ଟ କରାଯିବା ନେଇ ହୋଇଛି ବ୍ଯବସ୍ଥା। ଆଉ ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରୀୟା। ସେପଟେ ସରିଛି ସାତଟି ଦ୍ୱାରର ରୂପାଛାଉଣି କାମ । ବେହରଣ ଦ୍ୱାର, ଜୟବିଜୟ ଦ୍ୱାର, ସାତପାହାଚ ଦ୍ୱାର, ଭୋଗମଣ୍ଡପ ଦ୍ୱାର, ଲକ୍ଷ୍ମୀ ମନ୍ଦିର, ଆଦିନୃସିଂହ ମନ୍ଦିର ଓ ବିମଳା ମନ୍ଦିରର ଦ୍ୱାର ରୂପାଛାଉଣି ସମ୍ପୂର୍ଣ୍ଣ ହୋଇଥିବା ବେଳେ କେବଳ ବାକି ରହିଛି କଳାହାଟ ଦ୍ୱାରର ରୂପାଛାଉଣି। ଆସନ୍ତା ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ କଳାହାଟ ଦ୍ୱାରର ରୂପାଛାଉଣି କରାଯିବ। ରୂପାଛାଉଣି ନହେବା ପର୍ଯ୍ୟନ୍ତ କଳାହାଟ ଦ୍ୱାରର ରୂପାଛାଉଣି ପାଇଁ ରହିଥିବା ସମସ୍ତ ୫ଶହ କେଜି ରୂପାକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ନିସ୍ପତ୍ତି ହୋଇଥିଲା। ଜିଲ୍ଲା କୋଷାଗାର ଷ୍ଟ୍ରଙ୍ଗ ରୂମରେ ଏହି ରୂପାକୁ ରଖିବା ପାଇଁ ଜିଲ୍ଲାପାଳଙ୍କୁ ଗତ ୨୪ତାରିଖରେ ଚିଠି ଲେଖିଥିଲା ଶ୍ରୀମନ୍ଦିର ପ୍ରଶାସନ। ପ୍ରାୟ ଏଗାରଟି ବାକ୍ସରେ ରହିଛି ପାଞ୍ଚଶହ କେଜିର ରୂପା। ଯେହେତୁ କଳାହାଟ ଦ୍ୱାରର ରୂପାଛାଉଣି କାମ ଆରମ୍ଭ ହେବାକୁ ଆହୁରୀ ପ୍ରାୟ ନଅ କିମ୍ବା ଦଶ ମାସ ସମୟ ରହିଛି। ଏଣୁ ଏତେଦିନ ଏତେ ପରିମାଣର ରୂପା ଶ୍ରୀମନ୍ଦିର ପ୍ରଶାସନ ନିଜ ନିୟନ୍ତ୍ରଣରେ ରଖିବାକୁ ସୁରକ୍ଷିତ ମଣିନଥିଲେ। ଜିଲ୍ଲା କୋଷାଗାର ଷ୍ଟ୍ରଙ୍ଗରୂମରେ ରହିଲେ ରୂପା ସୁରକ୍ଷିତ ରହିପାରିବ ବୋଲି ହୃଦବୋଧ କରି ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲା ଶ୍ରୀମନ୍ଦିର ପ୍ରଶାସନ।
