ଯକ୍ଷ୍ମା ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ
ପ୍ରାପ୍ତ ବୟସ୍କଙ୍କ ନିମନ୍ତେ ଯକ୍ଷ୍ମା ପ୍ରତିଷେଧକ ସ୍ଵତନ୍ତ୍ର ବିସିଜି ଟୀକାକରଣ କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ରାମାକାନ୍ତ ପଣ୍ଡାଙ୍କ ଦ୍ଵାରା ଶୁଭାରମ୍ଭ ହୋଇଯାଇଛି । ଯକ୍ଷ୍ମାରୋଗର ପ୍ରାଦୁର୍ଭାବକୁ କମ କରିବା ଓ ଏଥି ଜନିତ ଅକାଳ ମୃତ୍ୟୁକୁ ରୋକିବା ପାଇଁ ଏହି ଟୀକା ପ୍ରଭାବଶାଳୀ ଭୂମିକା ଗ୍ରହଣ କରିବ ବୋଲି ମତପୋଷଣ କରାଯାଇଥିଲା । ଏହି ଟୀକା ନେଇଥିବା ଅଙ୍ଗରେ ସାମାନ୍ୟ ଦରଜ, ଫୁଲା ଓ ନାଲି ପଡିବା ଭଳି କିଛି ଅତି ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇପାରେ, ଯାହା ଆପେ ଆପେ ଭଲ ହୋଇଯାଇଥାଏ ଓ ଏଥିପାଇଁ କୌଣସି ଚିକିତ୍ସା ଦରକାର ପଡିବ ନାହିଁ ବୋଲି ଜିଲ୍ଲା ଯକ୍ଷ୍ମା ଅଧିକାରୀ ଡାକ୍ତର ଶରତ କୁମାର ଦାଶ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡାକ୍ତର ବୀଣାପାଣି ନନ୍ଦ, ରାଜ୍ୟ ଚିକିତ୍ସା ଅଧିକାରିଣୀ, ଡାକ୍ତର ରଞ୍ଜିତା ନାୟକ ଡାକ୍ତର ଅଜୟ କୁମାର ବାହିନୀପତି ପ୍ରମୁଖ ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ । ପ୍ରକାଶ ଥାଉକି ୧୮ ବର୍ଷ ବା ତଦୁର୍ଦ୍ଧ ଓ ୬୦ ବର୍ଷରୁ କମ ପ୍ରାପ୍ତବୟସ୍କ, ପୂର୍ବରୁ ଯକ୍ଷ୍ମାରୋଗମୁକ୍ତ ହୋଇଥିବା ବ୍ୟକ୍ତି, ବର୍ତ୍ତମାନ ଯକ୍ଷ୍ମାରୋଗୀଙ୍କ ନିକଟ ସମ୍ପର୍କୀୟ ସମସ୍ତ ବ୍ୟକ୍ତି, ମଧୁମେହ ଆକ୍ରାନ୍ତ ବ୍ୟକ୍ତି, ଧୂମପାନ କରୁଥିବା ବ୍ୟକ୍ତି ତଥା କୁପୋଷଣ ଶିକାର ହୋଇଥିବା ବ୍ୟକ୍ତିମାନେ ସ୍ୱାସ୍ଥ୍ୟ ଅଭିଯାନ ଚାଲୁଥିବା ସମୟରେ ଟୀକାକରଣ କେନ୍ଦ୍ରରେ ଏହି ଟୀକା ବିନାମୂଲ୍ୟରେ ନେବାରେ କୌଣସି ପ୍ରତିବନ୍ଧକ ନାହିଁ । ମାତ୍ର ଗର୍ଭବତୀ ବା ସ୍ତନ୍ୟପାନ କରାଉଥିବା ମହିଳା, ଏଚଆଇଭି ଆକ୍ରାନ୍ତ, ରୋଗ ପ୍ରତିରୋଧକ ଶକ୍ତି ନଥିବା ବା ରୋଗ ପ୍ରତିରୋଧକ ଶକ୍ତି ହ୍ରାସକାରକ ଔଷଦ ସେବନ କରୁଥିବା, ଅଙ୍ଗ ପ୍ରତିରୋପଣ ହୋଇଥିବା ଅଥବା ଦୂରାରୋଗ୍ୟ ବ୍ୟାଧିରେ ଦୀର୍ଘ ଦିନ ଧରି ପୀଡ଼ିତ ଥିବା ବ୍ୟକ୍ତିମାନଙ୍କୁ ଏହି ଟୀକା ନେବାକୁ ବାରଣ କରାଯାଉଛି । ଅଧିକ ଜାଣିବା ପାଇଁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର ଅଥବା ଦେୟମୁକ୍ତ ହେଲ୍ପଲାଇନ ନମ୍ବର ୧୮୦୦୧୧୬୬୬୬ରେ ଯୋଗାଯୋଗ କରିପାରିବେ । ବୟସ୍କବ୍ୟକ୍ତିଙ୍କ ଠାରେ ରୋଗ ପ୍ରତିରୋଧକ କ୍ଷମତା ବଢାଇବା ଉଦେଶ୍ୟରେ ଏହି ସ୍ଵତନ୍ତ୍ର ବିସିଜି ଟୀକାକରଣ କାର୍ଯ୍ୟକ୍ରମର ଲାଭ ଉଠାଇବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି । ଜିଲ୍ଲା ଟିବି ସଂଯୋଜକ ରୁଦ୍ର ପ୍ରସାଦ ଜେନା, ଭରପ୍ରାପ୍ତ ଜିଲ୍ଲା ପରିଚାଳକ କିଶୋର ଚନ୍ଦ୍ର ଦାଶ, ବରିଷ୍ଠ ଚିକିତ୍ସା ତଦାରଖକାରୀ ଦୀପକ କୁମାର ଦଳବେହେରା ,ଆଶୁତୋଷ ସାମନ୍ତସିଂହାର,ଦିଲୀପ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ଼
