ମୋଟାବାଡି ସରପଞ୍ଚଙ୍କୁ ଆକ୍ରମଣ ଘଟଣାର ଅଭିଯୁକ୍ତକୁ ତୁରନ୍ତ ଗିରଫ

ମୋଟାବାଡି ସରପଞ୍ଚଙ୍କୁ ଆକ୍ରମଣ ଘଟଣାର ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ନେଇ ଦାବି କଲା ସରପଞ୍ଚ ସଂଘ ବୁଗୁଡ଼ା :-୧୧/୧୧(ସୁରେନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି )ବୁଗୁଡା ବ୍ଲକ ମୋଟାବାଡି ପଞ୍ଚାୟତର ସରପଞ୍ଚ ତଥା ସରପଞ୍ଚ ସଂଘର କୋଷାଧକ୍ଷ ପିଣ୍ଟୁ କୁମାର ସେଠୀଙ୍କୁ ଗତକାଲି ଦୀପକ ରାଉତ ନାମକ ଜନୈକ ଯୁବକ ଦ୍ବାରା ମରଣାନ୍ତକ ଆକ୍ରମଣର ଶିକାର ହୋଇଥିଲେ। ସରପଞ୍ଚ ପିଣ୍ଟୁ ବୁଗୁଡା ମେଡିକାଲରେ ଚିକିତ୍ସିତ ହେବା ସହ ଏନେଇ ଥାନା ଅଭିଯୋଗ କରିବା ପରେ ପୋଲିସ କେସ ନଂ ୫୨୧/୨୪ରେ ଏକ ମାମଲା ରୁଜୁ କରିଥିଲା। ତେବେ ଘଟଣାର ଚବିଶ ଘଣ୍ଟା ପରେ ମଧ୍ୟ ପୋଲିସ ଅଭିଯୁକ୍ତକୁ ଗିରଫ କରିନଥିବା ହେତୁ ଆଜି ବୁଗୁଡା ବ୍ଳକ ସରପଞ୍ଚ ସଂଘ ପକ୍ଷରୁ ଯଥାଶୀଘ୍ର ଅଭିଯୁକ୍ତକୁ ଗିରଫ କରିବା ପାଇଁ ଏକ ଦାବିପତ୍ର ପୋଲିସକୁ ପ୍ରଦାନ କରାଯାଇଥିବା ଜଣାଯାଇଛି। ପ୍ରକାଶ ଯୋଗ୍ୟ ଯେ, ଗତକାଲି ସରପଞ୍ଚ ପିଣ୍ଟୁ ମୋଟାବାଡି-ନାଗିରି ରାସ୍ତାରେ ଥିବା ଝାଞ୍ଜିରୀ ଗାଡ଼ିଆ ନିକଟରେ ରହି କାମ ନିରୀକ୍ଷଣ କରୁଥିବା ବେଳେ ଅପରାହ୍ନ ପ୍ରାୟ ସାଢେ ୪ଟା ସମୟରେ ହଠାତ ଦୀପକ ରାଉତ ନାମକ ତାଙ୍କୁ ଗାଳି ଗୁଲଜ କରିବା ସହ ଆକ୍ରମଣ କରିଥିଲା। ଏଥିରେ ସରପଞ୍ଚଙ୍କ ସାର୍ଟ ଚିରି ଯିବା ସହ ମୁହଁ, ଡାହାଣ ହାତ ଓ ଗୋଡ଼ରେ ଆଘାତ ଲାଗିଥିଲା । ଏ ନେଇ ଅଭିଯୋଗ ପରେ ମଧ୍ୟ ପୋଲିସ ଅଭିଯୁକ୍ତକୁ ପୋଲିସ ଗିରଫ କରିପାରିନଥିବାରୁ ଆଜି ସରପଞ୍ଚ ସଂଘର ସଭାପତି ରାଜଲକ୍ଷ୍ମୀ ପ୍ରଧାନ, ଉପସଭାପତି ସୁଶାନ୍ତ ପ୍ରଧାନ, ସମ୍ପାଦକ ସଞ୍ଜୟ ବିଶ୍ବାଳଙ୍କ ସମେତ ଅନ୍ଯ ସରପଞ୍ଚମାନେ ଥାନାରେ ପହଞ୍ଚି ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି । ଅନ୍ଯପକ୍ଷରେ ସରପଞ୍ଚ ସଂଘ ପକ୍ଷରୁ ଭଞ୍ଜନଗର ଏସଡିପିଓ ଏବଂ ଛତ୍ରପୁର ଆରକ୍ଷୀ ଅଧୀକ୍ଷକଙ୍କ ନିକଟକୁ ଏହି ଦାବିପତ୍ର ପ୍ରେରଣ କରିବା ସହ ଯଥାଶୀଘ୍ର ଅଭିଯୁକ୍ତକୁ ଗିରଫ ନକଲେ ସଂଘ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ଚେତାବନୀ ମଧ୍ୟ ଦେଇଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *