ଚାଷୀଙ୍କ ପାଖକୁ ପୁଣି ଫେରିବ ବେଦାନ୍ତ ଜମି
ପୁରୀରେ ବିଶ୍ବବିଦ୍ୟାଳୟ ପାଇଁ ବେଦାନ୍ତ ନେଇଥିବା ଜମି ଫେରିପାଇବେ ଚାଷୀ । ପ୍ରତି ବଦଳରେ ଚାଷୀମାନେ ନେଇଥିବା କ୍ଷତିପୂରଣ ରାଶି ଫେରାଇବେ । ଅଧିଗ୍ରହଣ ହୋଇଥିବା ଜମିର ସତ୍ତ୍ବ ବା ରେକର୍ଡ଼ ସଂଶୋଧନ କରାଯାଇ ଚାଷୀଙ୍କୁ ପଟ୍ଟା ଓ ଜମି ଦଖଲ ଦିଆଯିବ । ସେହିଭଳି ବେଦାନ୍ତକୁ ଲିଜ୍ ଦିଆଯାଇଥିବା ସରକାରୀ ଜମି ସରକାରୀ ଖାତାକୁ ଫେରାଇ ଅଣାଯିବ । ଦିନେ ଦୁଇ ଦିନ ଭିତରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।ଚାଷୀଙ୍କ ପାଖକୁ ଫେରିବ ବେଦାନ୍ତ ଜମି । ନବୀନ ସରକାରଙ୍କ ଅମଳରେ ପୁରୀରେ ବେଦାନ୍ତ ବିଶ୍ବବିଦ୍ୟାଳୟ ପାଇଁ ଅଧିଗ୍ରହଣ କରାଯାଇଥିବା ଜମିକୁ ଏବେ ଚାଷୀଙ୍କୁ ଫେରାଇବେ ମୋହନ ସରକାର । ଏନେଇ ଆଜି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ପୁରୀରେ ଅନ୍ତର୍ଜାତୀୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଲାଗି ବେଦାନ୍ତ ଫାଉଣ୍ଡେସନକୁ ତତ୍କାଳୀନ ନବୀନ ସରକାର ଦେଇଥିବା ଜମିକୁ ଲୋକଙ୍କୁ ଫେରାଇ ଦେବାକୁ ବଡ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।ରାଜସ୍ବ ମନ୍ତ୍ରୀ କହିଛନ୍ତି ଅନୀଲ ଅଗ୍ରୱାଲ ଫାଉଣ୍ଡେସନ ପାଇଁ ମୋଟ ୩୩୪୨. ୫୩ ଏକର ଘରୋଇ ଜମି ଅଧିଗ୍ରହଣ କରାଯାଇଥିଲା । ପାଖାପାଖି ୬ ହଜାର ଜମିହରା ଚାଷୀଙ୍କୁ ଚିହ୍ନଟ କରି ସେମାନଙ୍କ ଜମି ଫେରସ୍ତ କରାଯିବ । ସେହିପରି ବେଦାନ୍ତକୁ ଲିଜ ଦିଆଯାଇଥିବା ୪୯୪.୯୮ ଏକର ସରକାରୀ ଜମି ପୁଣି ସରକାରୀ ଖାତାକୁ ଫେରାଇ ଆଣିବେ ସରକାର । ଏନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ଦିନେ ଦୁଇ ଦିନ ଭିତରେ ବିଜ୍ଞପ୍ତି ପ୍ରକାଶ କରିବେ ସରକାର । କେଶ କରିଥିବା ବା କେଶ କରିନଥିବା ସବୁ ଚାଷୀଙ୍କୁ ଜମି ଫେରିପାଇବେ । ତେବେ ଯେଉଁ ଚାଷୀ ଜମି ପାଇଁ କ୍ଷତିପୂରଣ ପାଇଛନ୍ତି ସେମାନଙ୍କୁ କ୍ଷତିପୂରଣ ଅର୍ଥ ଫେରାଇବାକୁ ପଡ଼ିବ । ଅଧିଗ୍ରହଣ ହୋଇଥିବା ଜମିର ସତ୍ବ ବା ରେକର୍ଡ ସଂଶୋଧନ କରି ଚାଷୀଙ୍କୁ ପଟ୍ଟା ଓ ଜମି ଦଖଲ ଦିଆଯବ ।ଏଥିପାଇଁ ଚାଷୀଙ୍କୁ କିଛି ଟଙ୍କା ଖର୍ଚ୍ଚ କରିବାକୁ ପଡିବନି । ଏନେଇ ଜିଲ୍ଲାପାଳମାନେ ଅଭିଯୋଗ ଶୁଣାଣି କରିବାକୁ ନିର୍ଦେଶ ଦିଆଯିବ । ୨୦୦୬ରେ ତତ୍କାଳୀନ ସରକାରଙ୍କ ସହ ବେଦାନ୍ତର MoU ହେବା ପରେ ୨୦୦୭ରେ ଜମି ଅଧିଗ୍ରହଣ ହୋଇଥିଲା । ବେଦାନ୍ତ ଭିନ୍ନ ଭିନ୍ନ ସମୟରେ କେଉଁ ନାଁରେ ଜମି ଅଧିଗ୍ରହଣ ହେବ, କେଉଁ ନାଁରେ ବିଶ୍ବବିଦ୍ୟାଳୟ ହେବ ନାଁ ପରିବର୍ତ୍ତନ କରିଥିଲା । MoU ହେବା ପରେ ତିନି ଥର ନାଁ ପରିବର୍ତ୍ତନ ହୋଇଥିଲା । ସେତେବେଳେ ଜମି ଅଧିଗ୍ରହଣ ଫଳରେ ୨୨ଟି ଗାଁର ଲୋକ ବାସଚ୍ୟୁତ ହୋଇଥିଲେ । ବାସଚ୍ୟୁତଙ୍କ ମଧ୍ୟରୁ ୯ଜଣ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ ୨୦୨୩ରେ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଖାରଜ କରି ସମସ୍ତଙ୍କ ଜମି ଫେରସ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଏହାକୁ ବିରୋଧ କରି ବେଦାନ୍ତ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ ହାଇକୋର୍ଟଙ୍କ ରାୟକୁ କାଏମ ରଖିଥିଲେ ସୁପ୍ରିମ କୋର୍ଟ । ଆଉ କୋଟ ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ଏବେ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଦୀର୍ଘ ୧୭ ବର୍ଷର ନ୍ୟାୟିକ ଲଢ଼େଇ ପରେ ବେଦାନ୍ତ ଜମି ଫେରି ପାଇବା ଆଶାରେ ଅଛନ୍ତି ଚାଷୀ । ସେପଟେ କିନ୍ତୁ ବେଦାନ୍ତ ବିରୋଧ ସଂଘର୍ଷ ସମିତି ପକ୍ଷରୁ ଆସିଛି ଭିନ୍ନ ମତ । ଜମି ଅଧିଗ୍ରହଣ ସମୟରେ ଚାଷୀଙ୍କୁ ଦିଆଯାଇଥିବା କ୍ଷତିପୂରଣ ଅର୍ଥ ଏବେ ସେମାନେ ଫେରାଇବା ସମ୍ଭବପର ନୁହେଁ । ତେଣୁ ରାଜ୍ୟ ସରକାର ୮୦ କୋଟି ଟଙ୍କା ଜମା କରି ଚାଷୀଙ୍କୁ ତାଙ୍କ ଜମି ଫେରାଇଲେ ଆମେ ସ୍ବାଗତ କରିବୁ ବୋଲି କହିଛି ସମିତି ।
