ଭୁବନେଶ୍ୱରକୁ ସ୍ୱାଗତ କରୁଛି
ସମସ୍ତଙ୍କୁ ମୋର ନମସ୍କାର,ମୁଁ ସାରା ଓଡିଶାବାସୀଙ୍କ ତରଫରୁ ଆପଣ ମାନଙ୍କୁ ସମସ୍ତଙ୍କୁ ଓଡିଶାକୁ ଏବଂ ମନ୍ଦିରମାଳିନୀ ସହର ଭୁବନେଶ୍ୱରକୁ ସ୍ୱାଗତ କରୁଛି । ଆପଣ ମାନଙ୍କ ଉପସ୍ଥିତି ଆଜି ଭୁବନେଶ୍ୱରରେ ଆଣିଛି ଆନନ୍ଦର ଲହରୀ । ଖୁସିର ସମ୍ଭାର।ଏହି କିଛି ଦିନ ଧରି ଓଡିଶାବାସୀ ଅଜସ୍ର ସ୍ନେହ ଓ ଶ୍ରଦ୍ଧାର ସହିତ ଆପଣ ମାନଙ୍କ ଅପେକ୍ଷାରେ ଥିଲେ । ଆଜି ସେ ଅପେକ୍ଷାର ଅନ୍ତ ହୋଇଛି ।ମୁଁ ଆଶା କରୁଛି ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ଏହି ଉତ୍ସବ ଆପଣ ମାନଙ୍କ ପାଇଁ ଏବଂ ଆମ ପାଇଁ ଜୀବନର ଏକ ଅଭୁଲା ସ୍ମୃତି ହୋଇ ରହିବ । ଆଉ ଆଗାମୀ ଦିନରେ ଏ ସମ୍ପର୍କର ସେତୁ ଆହୁରି ସୁଦୃଢ ହେବ । .ବନ୍ଧୁଗଣ, ଆପଣମାନେ ଯେଉଁଠି ବି ରୁହନ୍ତୁ ନା କାହିଁକି ଭାରତ ଆପଣଙ୍କ ହୃଦୟରେ ରହିଛି ।

ଆପଣମାନଙ୍କ ସଫଳତା ଆମକୁ ବହୁତ ଆନନ୍ଦିତ କରେ । ଆପଣମାନଙ୍କ ସଫଳତାରେ ଆମେ ସବୁ ଗର୍ବ କରୁ, ଗୌରବ ଅନୁଭବ କରୁ । ବନ୍ଧୁଗଣ, ଭୁବନେଶ୍ୱରରେ ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାରୁ ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ଆନ୍ତରିକ ଧନ୍ୟବାଦ ଦେଉଛି । ମୁଁ ଚାହୁଁଛି ଆପଣମାନେ ସମସ୍ତେ ଏହି ତିନି ଦିନ ମଧ୍ୟରେ ଓଡିଶାର ଗୌରବମୟ ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ ଜାଣନ୍ତୁ । ପୁରୀ, କୋଣାର୍କ, ଧଉଳି ଓ ଚିଲିକା ଭଳି ପର୍ଯ୍ୟଟନ ସ୍ଥଳୀମାନଙ୍କୁ ଯାଆନ୍ତୁ । ଏହା ସହିତ ଓଡିଶାର ସ୍ୱାଦିଷ୍ଟ ଖାଦ୍ୟ ଯେପରିକି- ଡାଲମା, ରସଗୋଲା ଏବଂ ଛେନାପୋଡ ଆଦି ର ମଜା ନିଅନ୍ତୁ । ଏହି ଅବସରରେ ଭୁବନେଶ୍ୱରରେ ଅନେକ ଗୁଡିଏ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଆପଣମାନେ ଏହି ସବୁ ସୁନ୍ଦର କାର୍ଯ୍ୟକ୍ରମ ମଧ୍ୟ ଦେଖିବା ଉଚିତ୍ । ଏହା ଦ୍ୱାରା ଓଡିଶା ସହିତ ଆପଣମାନଙ୍କର ସମ୍ପର୍କ ଆହୁରି ସୁଦୃଢ ହେବ ଓ ଅତୁଟ ରହିବ ।
