କୋଣାର୍କରେ ସୂର୍ଯ୍ୟ ରଥଯାତ୍ରା ଓ ବିଶ୍ଵଶାନ୍ତି ସୌର ମହାଯଜ୍ଞ ଅନୁଷ୍ଠିତ

କୋଣାର୍କ,୦୯.୦୧ ପବିତ୍ର ଶାମ୍ବ ଦଶମୀ ଅବସରରେ ଅର୍କକ୍ଷେତ୍ର କୋଣାର୍କରେ ମହାପ୍ରଭୁ ଶ୍ରୀ ସୂର୍ଯ୍ୟ ନାରାୟଣ ଙ୍କ ରଥଯାତ୍ରା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ସୌର ବ୍ରାହ୍ମଣ ପରିବାର ଓ ଅବଧୂତ ମଠ ପକ୍ଷରୁ ପ୍ରତିବର୍ଷ ଏହି ସୌର ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ସୂର୍ଯ୍ୟ ମନ୍ଦିର ନିକଟରେ ଥିବା ବହୁ ପୁରାତନ ଅବଧୂତ ମଠରୁ ଚନ୍ଦ୍ରଭାଗା ତୀର୍ଥ ନିକଟରେ ଥିବା ଛୋଟାରାମ ବାବାଙ୍କ ମଠ ପର୍ଯ୍ୟନ୍ତ ୩କିଲୋ ମିଟର ଏହି ରଥଯାତ୍ରା ଅନୁଷ୍ଠିତ ହୁଏ। ଶାମ୍ବ ଦଶମୀ ଅବସରରେ ପ୍ରତି ଓଡ଼ିଆଙ୍କ ଘରେ ଘରେ ଅନୁଷ୍ଠିତ ହେଉଛି ସୂର୍ଯ୍ୟ ପୂଜା। ଏଥିପାଇଁ ଚଳଚଞ୍ଚଳ ହୋଇଥିଲା ଅର୍କକ୍ଷେତ୍ର କୋଣାର୍କ। ସକାଳୁ ସକାଳୁ ଚନ୍ଦ୍ରଭାଗାରେ ହଜାର ହଜାର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ସୂର୍ଯ୍ୟୋଦୟ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ଶାମ୍ବ ଦଶମୀ ଅବସରରେ କୋଣାର୍କରେ ସୂର୍ଯ୍ୟ ରଥଯାତ୍ରା ଓ ସୌର ମହାଯଜ୍ଞ ଅନୁଷ୍ଠିତ ହେଉଛି। ସୂର୍ଯ୍ୟ ରଥଯାତ୍ରା ୨୭ ନକ୍ଷତ୍ର ଦିନ ଯାଏ ଚନ୍ଦ୍ରଭାଗାରେ ଅନୁଷ୍ଠିତ ହେବ। ମାଘ ସପ୍ତମୀ ବୁଡ ପକାଇ ମହାପ୍ରଭୁ ବାହୁଡ଼ିବେ। ପୌରାଣିକ କଥା ଅନୁସାରେ, କୃଷ୍ଣଙ୍କ ପୁତ୍ର ଶାମ୍ବ ବ୍ୟାଧି ମୁକ୍ତି ପାଇଁ କୋଣାର୍କ ତଥା ତତ୍କାଳୀନ ମୈତ୍ରେୟ ବନରେ ସୂର୍ଯ୍ୟ ଉପାସନା କରିଥିଲେ। ଆଜିର ଦିନରେ ଶାମ୍ବ ଚନ୍ଦ୍ରଭାଗାରେ ସ୍ନାନ କରି ସୂର୍ଯ୍ୟଙ୍କୁ ପୂଜା କରି ବ୍ୟାଧି ମୁକ୍ତ ହୋଇଥିଲେ।ଅପରପକ୍ଷରେ କୋଣାର୍କ ସୁରକ୍ଷା ସମିତି ଓ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶାମ୍ବ ଦଶମୀ ଉପଲକ୍ଷେ ୩ ଦିନିଆ ବିଶ୍ଵଶାନ୍ତି ସୌର ମହାଯଜ୍ଞ ଶ୍ରୀଜଗନ୍ନାଥ ମନ୍ଦିର ନିକଟରେ ଅନୁଷ୍ଠିତ ହୋଇଯାଇଛି। ଶେଷ ଦିବସ ଶାମ୍ବ ଦଶମୀ ଅବସରରେ ମହାଯଜ୍ଞ ପୂର୍ଣ୍ଣାହୂତି ଘଟିଥିଲା। ପୁର୍ବରୁ ଶତାଧିକ ସୌର ଭକ୍ତମାନେ ଭଜନ କୀର୍ତ୍ତନ ସହ ସହର ପରିକ୍ରମା କରି କୋଣାର୍କ ସୂର୍ଯ୍ୟ ମନ୍ଦିର ଭିତରେ ପ୍ରଵେଶ କରିଥିଲେ। ମନ୍ଦିର ପରିକ୍ରମା ପରେ ସୂର୍ଯ୍ୟ ନାରାୟଣଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ପରେ ପରେ ନବଗ୍ରହ ମନ୍ଦିରରେ ପୂଜାର୍ଚ୍ଚନା ହୋଇଥିଲା। ଶତାଧିକ ଭକ୍ତ ମାନେ ଯୋଗଦେଇ ନୃତ୍ୟ ଗୀତ ଭଜନ କରି ମନ୍ଦିର ଭିତରେ ଓ କୋଣାର୍କରେ ଆଧ୍ୟାତ୍ମିକ ପରିବେଶ ଓ ବାର୍ତ୍ତା ସୃଷ୍ଟି କରିଥିଲେ। ଦେଶର ବିଭିନ୍ନ ରାଜ୍ୟର ଶହ ଶହ ପର୍ଯ୍ୟଟକ ମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମକୁ ସଭାପତି ସୌମ୍ୟ ସୌରଭ ଦାଶ, ଶିକ୍ଷାବିତ୍ ରାମକୃଷ୍ଣ ମହାନ୍ତି, ପ୍ରତାପ କାଣ୍ଡି, ଭାଗିରଥି ସ୍ବାଇଁ, ରଘୁନାଥ ମହାପାତ୍ର, ପ୍ରମୋଦ ଛୋଟରାୟ, ନିରଞ୍ଜନ ତ୍ରିପାଠୀ, ଶରତ ମଲ୍ଲ, ଜ୍ଞାନ ରଞ୍ଜନ ବିଶ୍ବାଳ ପ୍ରମୁଖ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *