ପତାକା ଦେଖାଇ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ପୁରୀ, ସମ୍ବଲପୁର, ଭବାନୀପାଟଣା ଏବଂ ବ୍ରହ୍ମପୁରରୁ 4ଟି ବସ୍ ରେ ଗଲେ 200 ଶ୍ରଦ୍ଧାଳୁବାରଣାସୀ ଓ ପ୍ରୟାଗରାଜ ଦେଇ ଅଯୋଧ୍ୟା ପର୍ଯ୍ୟନ୍ତ ଚଳାଚଳ କରିବଯାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ,ଆବଶ୍ୟକ ହେଲେ ଅଧିକ ବସ୍ ର ବ୍ୟବସ୍ଥା କରାଯିବଭୁବନେଶ୍ୱର ୧୨/୧ମହାକୁମ୍ଭ ମେଳା ଅବସରରେ ଓଡିଶାର 4ଟି ସ୍ଥାନରୁ ଶ୍ରଦ୍ଧାଳୁମାନଙ୍କ ପାଇଁ 4ଟି ଅତ୍ୟାଧୁନିକ ବସ୍ ସେବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭାରମ୍ଭ କରିଛନ୍ତି । ଓଡିଶା ରାଜ୍ୟ ପରିବହନ ନିଗମର ଏହି 4ଟି ଅତ୍ୟାଧୁନିକ ପ୍ରିମିୟମ ବସ୍, ପୁରୀ, ସମ୍ବଲପୁର, ଭବାନୀପାଟଣା ଏବଂ ବ୍ରହ୍ମପୁରରୁ ବାହାରି ବାରଣାସୀ ଓ ପ୍ରୟାଗରାଜ ଦେଇ ଅଯୋଧ୍ୟା ପର୍ଯ୍ୟନ୍ତ ଚଳାଚଳ କରିବ । ଆଜି ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଭର୍ଚୁଆଲ ମୋଡ୍ ରେ ପତାକା ଦେଖାଇ ଏହି ବସ୍ ଚଳାଚଳର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଳୁମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଏହି ତୀର୍ଥଯାତ୍ରାରେ ସେମାନେ ଅଶେଷ ପୁଣ୍ୟ ଲାଭ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି ।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ 4ଟି ବସ୍ ର ଚଳାଚଳ କରାଯାଉଛି ଏବଂ ଆବଶ୍ୟକ ହେଲେ ଆହୁରି ଅଧିକ ବସ୍ ର ବ୍ୟବସ୍ଥା କରାଯିବ । ପ୍ରଥମ ଥର ପାଇଁ 2500 କିଲୋମିଟରରୁ ଅଧିକ ଲମ୍ବା ଯାତ୍ରାର ଶୁଭାରମ୍ଭ କରାଗଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିଶ୍ୱପ୍ରସିଦ୍ଧ ମହାକୁମ୍ଭ ମେଳା ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ଚଳିତ ବର୍ଷ ପୌଷ ପୂର୍ଣ୍ଣିମାରୁ ମହାଶିବରାତ୍ରୀ (ଜାନୁଆରୀ 13 ରୁ ଫେବୃଆରୀ 26) ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି ।

ଏହି ଅବସରରେ ଦେଶର ବିଭିନ୍ନ ରାଜ୍ୟ ତଥା ବିଦେଶରୁ ମଧ୍ୟ ଲକ୍ଷ ଲକ୍ଷ ଭକ୍ତ, ଶ୍ରଦ୍ଧାଳୁ ଓ ସାଧୁସନ୍ଥଙ୍କ ପ୍ରୟୋଗରାଜକୁ ଆଗମନ ହୋଇଥାଏ ।ଏହି ପରିପ୍ରେକ୍ଷୀରେ ଆମ ଓଡ଼ିଶାରୁ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁ ପ୍ରୟାଗରାଜ ଯାଉଛନ୍ତି । ସେଥିପାଇଁ ଏହି ବସ୍ ସୁବିଧା କରାଗଲା ବୋଲି ସେ କହିଥିଲେ ।ଆଜି ପ୍ରଥମ ଦିନରେ ଓଡିଶାରୁ 200 ଶ୍ରଦ୍ଧାଳୁ ମହାକୁମ୍ଭ ମେଳା ପାଇଁ ଯାତ୍ରା ଆରମ୍ଭ କରିଛନ୍ତି । ମହିଳା ଯାତ୍ରୀଙ୍କ ପାଇଁ ଟିକେଟ ମୂଲ୍ୟରେ 50 ପ୍ରତିଶତ ରିହାତି ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ବସ୍ ଗୁଡିକରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ‘ଲାଇଭ୍ ଭେଇକିଲ୍ ଟ୍ରାକିଂ’, ପ୍ୟାନିକ ବଟନ୍ ଏବଂ ଡ୍ରାଇଭର ଆସିଷ୍ଟାନ୍ସ ସିଷ୍ଟମ ରହିଛି । ଯାତ୍ରୀ ମାନଙ୍କ ଆରାମଦାୟକ ଯାତ୍ରା ପାଇଁ ସମସ୍ତ ସୁବିଧା କରାଯାଇଛି। ଏହା ସହିତ ମହାକୁମ୍ଭ ମେଳା ଯାତ୍ରୀ ମାନଙ୍କ ସୁବିଧା ପାଇଁ 24 ଘଣ୍ଟିଆ ହେଲ୍ପ ଡେସ୍କ ମଧ୍ୟ ଖୋଲା ଯାଇଛି । ଯାତ୍ରୀମାନେ 1800 345 1122 କୁ କଲ୍ କରିପାରିବେ କିମ୍ବା 78490 52205 ନମ୍ବରରେ ହ୍ୱାଟସଆପ୍ ମାଧ୍ୟମରେ ହେଲ୍ପ ଡେସ୍କର ସୁବିଧା ନେଇପାରିବେ ।ପ୍ରୟାଗରାଜରେ ମଧ୍ୟ ଯାତ୍ରୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ OSRTCର କର୍ମଚାରୀମାନଙ୍କୁ ମଧ୍ୟ ଅବସ୍ଥାପିତ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।ଏହି ଅବସରରେ ବ୍ରହ୍ମପୁରରେ ଉପସ୍ଥିତ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା ଯାତ୍ରୀମାନଙ୍କୁ ଶୁଭକାମନା ଜଣାଇ କହିଥିଲେ ଯେ, ସଡକ ପରିବହନ କ୍ଷେତ୍ରରେ ଅଧିକ ସୁରକ୍ଷା ପାଇଁ ରାଜ୍ୟ ସରକାର ଏକ ମାସ ବ୍ୟାପୀ ସଡକ ସୁରକ୍ଷା କାର୍ଯ୍ୟକ୍ରମ କରୁଛନ୍ତି । ଯାନ ଚଳାଚଳ ବେଳେ ସମସ୍ତେ ବାହନ ଚଳାଚଳର ନିୟମ ମାନି ସୁରକ୍ଷିତ ରହିବାକୁ ସେ ପରାମର୍ଶ ଦେଇଥିଲେ । ଏହି ଅବସରରେ ପୁରୀ ଠାରେ ସାଂସଦ ଡା ସମ୍ବିତ ପାତ୍ର, ବ୍ରହ୍ମଗିରି ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର,ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସ ପି ବିନୀତ ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଡଃ ଶରତ ଚନ୍ଦ୍ର ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଆର ଟି ଓ ରବିନ ପଟ୍ଟନାୟକ,ଓଏସଆରଟିସି ର ଜିଲ୍ଲା ପରିଚାଳକ ରଶ୍ମି ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
