ଜରୁରୀ କାଳୀନ ପରିସ୍ଥିତିରେ ବନ୍ଦୀ ହୋଇଥିବା ସଂଗ୍ରାମୀଙ୍କୁ ମିଳିବ ୨୦ ହଜାର ଟଙ୍କାର ପେନସନ
ଜରୁରୀ କାଳୀନ ପରିସ୍ଥିତିରେ ବନ୍ଦୀ ହୋଇଥିବା ସଂଗ୍ରାମୀଙ୍କୁ ମିଳିବ ୨୦ ହଜାର ଟଙ୍କାର ପେନସନ।
ସଂଗ୍ରାମୀ ମାନଙ୍କ ସମସ୍ତ ମେଡିକାଲ୍ ଖର୍ଚ୍ଚ ବହନ କରିବେ ଓଡିଶା ସରକାର ।
ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ।
ପୁରୀ ୧୩/୧ ଓଡିଶା ସରକାରଙ୍କ ପକ୍ଷରୁ ଦେଶର ଜରୁରୀ କାଳୀନ ପରିସ୍ଥିତିରେ ମିସା, ଡିଆଇଏସଆଇଆର ଏବଂ
ଡିଆଇଆର ଆଇନରେ ବିଭିନ୍ନ ଜେଲରେ ବନ୍ଦୀଥିବା ସଂଗ୍ରାମୀ ମାନଙ୍କୁ ମାସକୁ ୨୦ ହଜାର ଟଙ୍କାର ପେନସନ ମିଳିବ ।
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୂର୍ବରୁ ଏ ବିଷୟରେ ଘୋଷଣା କରିଥିଲେ। ଆଜ ଏ ସଂପର୍କରେ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।
ପେନସନ ସହିତ ସମସ୍ତ ସଂଗ୍ରାମୀ ମାନଙ୍କ ମେଡିକାଲ ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିବେ । ୧ ଜାନୁଆରୀ ୨୦୨୫ ସୁଦ୍ଧା ଜୀବିତ ଥିବା ସବୁ ସଂଗ୍ରାମୀ ଏହି ପେନସନ ଓ ଚିକିତ୍ସା ସୁବିଧା ପାଇବେ।
ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ ଏକ ବୈଠକ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଙ୍କ କାର୍ଯ୍ୟାଳୟ ରେ ଆଜି ସଂଧ୍ୟାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଡଃ ଶରତ ଚନ୍ଦ୍ର ମହାପାତ୍ର ଅଧ୍ୟକ୍ଷତା କରି ପୁରୀ ଜିଲ୍ଲା ପାଇଁ ଆବେଦନକାରୀ ଯେଉଁ ମାନେ ଉପରୋକ୍ତ ଆଇନ ବଳରେ ଗିରଫ ହୋଇ ବନ୍ଦୀ ହୋଇଥିଲେ ସେମାନେ ଜିଲ୍ଲା ୱ୍ବେବ ସାଇଟ
https://puri.odisha.gov.in ରୁ ତଥ୍ୟ ପାଇପାରିବେ ଓ ଜିଲ୍ଲାପାଳ ଙ୍କୁ ଆବେଦନ କରି ପାରିବେ ବୋଲି ସୂଚନା ଦେଇଥିଲେ।ନିଜର ପୂର୍ଣ୍ଣ ଠିକଣା ସହ ଆଧାର ଓ ମୋବାଇଲ ନମ୍ବର, ତିନି ଜଣ ସହ ବନ୍ଦୀ ଙ୍କ ନାମ ଓ ଠିକଣା, ସେ କୌଣସି ଅପରାଧୀକ କାର୍ଯ୍ୟ କଳାପରେ ଜଡିତ ନ ଥିବା ଆଫିଡେଫିଟ,ନିଜର ବର୍ତ୍ତମାନ ର ପାସପୋର୍ଟ ସାଇଜ ଫଟୋ,ନିଜ ବ୍ୟାଙ୍କ ପାଶବୁକର ସମ୍ପୂର୍ଣ୍ଣ ତଥ୍ୟ, କେଉଁ ଟ୍ରଜେରୀରୁ ଅର୍ଥ ନେବା ପାଇଁ ଚାହିଁବେ ତାହାର ନାମ ଉଲ୍ଲେଖ କରିବା ସହ ସଂପୃକ୍ତ କାଗଜାଦି ପତ୍ର ସଂଲଗ୍ନ କରି ଚାରି ସପ୍ତାହ ମଧ୍ୟରେ ଜିଲ୍ଲାପାଳ ଙ୍କୁ ଆବେଦନ କରିବାକୁ ଡଃ ମହାପାତ୍ର ସୂଚନା ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଏସ ପି ଡିଆଇବି ଦେବୀ ଶଙ୍କର ପ୍ରତାପ ,ଡେପୁଟି କଲେକ୍ଟର ବିବେକାନନ୍ଦ ସାହୁ,ପୁରୀ ଜେଲର ଅଧିକ୍ଷକ ସଂଜୟ ବର୍ମା, ଏସଡିଆଇପିଆରଓ ପ୍ରଦୀପ୍ତ କୁମାର ସେନାପତି ପ୍ରମୁଖ ଯୋଗ ଦେଇଥିଲେ।
ସୂଚନା ଯୋଗ୍ୟ ଯେ ୨୫ ଜୁନ୍ ୧୯୭୫ ମସିହାରୁ ୨୧ ମାର୍ଚ୍ଚ ୧୯୭୭ ମସିହା ପର୍ଯ୍ୟନ୍ତ ଦେଶର ଜରୁରୀ କାଳୀନ ପରିସ୍ଥିତିକୁ ବିରୋଧ କରି ଅନେକ ସଂଗ୍ରାମୀ ଦେଶର ବିଭିନ୍ନ ଜେଲରେ ବନ୍ଦୀ ହୋଇଥିଲେ ।
