ବର -ଜାମୁ କୋଳି ଗଛମୂଳେ ଗଣ୍ଡ ମୁଣ୍ଡ ହରଚଣ୍ଡୀ
ପୁରୀ,୨୩/୧- ଶ୍ରୀକ୍ଷେତ୍ରର ଚାରିପଟେ ଦେବାଦେବୀ ଜଗି ରହିଛନ୍ତି । ଅନେକ ନଦୀ ନାଳ ଶ୍ରୀକ୍ଷେତ୍ରର ଚାରିପଟେ ପ୍ରଭାବିତ ହୋଇ ସମୁଦ୍ରରେ ମିଶିଛି । କାଞ୍ଚି ବିଜୟ ସମୟରେ ଶ୍ରୀମନ୍ଦିରରୁ ଜଗାବଳିଆ ଦୁଇ ଭାଇ ଧଳା କଳା ଘୋଡାରେ ଚଢି ବ୍ରହ୍ମଗିରି ମାଣିକ ପାଟଣା ଦେଇ କାଞ୍ଚି ଯାଇଥିବା କଥିତ ଅଛି । ପୁରୀ ବ୍ରହ୍ମଗିରି ରାସ୍ତାର ଗିରଳ ଛକ ପରେ ଓ ଗୋରୁଆଳ ଛକ ପୂର୍ବରୁ ବାମପଟେ ପଡିବ ଆଳିପଡା ଗ୍ରାମ । ଆଳିପଡା ଗ୍ରାମ ଦେଇ ଯିବା ପରେ ଦକ୍ଷିଣ ପଟକୁ ଏକ ମନୋରମ ସ୍ଥାନ ଦୃଶ୍ଯମାନ ହେବ । କୁଳୁ କୁଳୁ ନାଦ କରି ଭାର୍ଗବୀ ନଦୀର ଶାଖା ଗଣ୍ଡ ମୁଣ୍ଡ ନଇ ବୋହିଯାଇ ସମୁଦ୍ରରେ ମିଶିଛି । ବହୁ ବର୍ଷ ପୂର୍ବେ ଏହି ନଦୀରେ ପ୍ରବଳ ସୁଅ ହେବା ସହିତ ଗଣ୍ଡ ଦେଶ ରହିଥିଲା । କାଳେ ଜନବସତିକୁ ନଦୀ ମାଡି ଆସିବ ସେଥିପାଇଁ ଗଣ୍ଡର ମୁଣ୍ଡରେ ମା ଗଣ୍ଡ ମୁଣ୍ଡ ହରଚଣ୍ଡୀ ଠାକୁରାଣୀ ଜଗି ରହିଛନ୍ତି । ମା ଙ୍କ ସୁରକ୍ଷା ବରଗଛ ଓ ଜାମୁକୋଳି ଗଛ ମିଳିତ ହୋଇ ମାଙ୍କୁ ଛାୟା ପ୍ରଦାନ କରିଆସୁଛନ୍ତି । ଶୂନଶାନ ସ୍ଥାନ ବହି ଯାଉଛି ନଦୀ । ଆମ୍ବ,କଦମ୍ବ, ଜାମୁ, ପଣସ ଗଛ, ନଡିଆ ଗଛ, ଝାଉଁଗଛ ବଣ ରହିଅଛି । ଆମ୍ବ ଜାମୁ ଓ ଲଙ୍କାଆମ୍ବ ଗଛର ବଉଳ ବାସ୍ନାରେ ଚତୁର୍ଦ୍ଦିଗ ମହକୁଛି । ଘନ ଜଙ୍ଗଲ ମଧ୍ଯରେ ଗ୍ରାମବାସୀଙ୍କ ଯାଆସ ସମୟରେ ଗଛମୂଳେ ପଥରରେ ସିନ୍ଦୁର ଲାଗି ହୋଇ ରହିଥିବା ଦେଖିବାକୁ ପାଇଥିଲେ । ପରେ ଗୋରୁଆଳ ପଞ୍ଚାୟତର ସାତୋଟି ଗ୍ରାମବାସୀ ମାନେ ମା ଙ୍କୁ ପୂଜାର୍ଚ୍ଚନା କରିଲେ । ବନ୍ଯା ଦାଉରୁ ମା ରକ୍ଷା କରୁଥିଲେ । ଆସ୍ତେ ଆସ୍ତେ ଗ୍ରାମବାସୀ ମାନେ ମିଶିକରି ମାଙ୍କ ମନ୍ଦିର ନିର୍ମାଣ କରିଲେ । ଯଜ୍ଞ ହୋମ ଓ ସଂକୀର୍ତ୍ତନ କରି ମନ୍ଦିର ପ୍ରତିଷ୍ଠା କରିଥିଲେ । ମାଙ୍କ ମହିମା ଅପାର । ମାଙ୍କ ନିକଟକୁ ମାନସିକ ଭକ୍ତମାନେ ଆସି ପୂଜାର୍ଚ୍ଚନା କରିବା ସହ ମାଙ୍କ ନିକଟରେ ଅନ୍ନପ୍ରସାଦ ସେବନ କରୁଛନ୍ତି । ମାଙ୍କ ପ୍ରିୟ ପୋଡା ମାଛବଳି । ପ୍ରତି ମଙ୍ଗଳବାର, ଶନିବାର ଓ ସଂକ୍ରାନ୍ତି ଦିନ ଭକ୍ତଙ୍କ ଗହଳି ଲାଗିରହୁଛି । କାର୍ତ୍ତିକ ମାସରେ ମାଙ୍କ ଆବିର୍ଭାବ ଦିବସ ମହାସମାରୋହ ପାଳିତ ହେଉଛି । ଚୈତ୍ର ମାସର ଚାରି ମଙ୍ଗଳବାର, ଆଶ୍ବିନ ମାସ ଷୋଳପୂଜା ଓ ଦଶହରା ନୀତି ଓ ବିଧି ମୁତାବକ ମାଙ୍କ ପୂଜାର୍ଚ୍ଚନା କରାଯାଉଛି । ମାଙ୍କ ଦୈନନ୍ଦିନ ପୂଜାର୍ଚ୍ଚନା ପାଇଁ ଗୋରୁଆଳ ଗ୍ରାମର ପୂଜକ ବଟକୃଷ୍ଣ ନାୟକ ଓ ତାଙ୍କ ପୁଅ ପ୍ରଶାନ୍ତ ନାୟକ ପୂଜାର୍ଚ୍ଚନା କରୁଛନ୍ତି । ପୂର୍ବରୁ ବଟକୃଷ୍ଣଙ୍କ ବାପା ମଧ୍ଯ ପୂଜାର୍ଚ୍ଚନା କରୁଥିଲେ । ମାଙ୍କ ପାର୍ଶ୍ବ ଦେବାଦେବୀ ଭାବେ ଡାହାଣ ପଟେ ବରାହ ,ପଛପଟେ ମା ଲକ୍ଷ୍ମୀ ଓ ବାମ ପଟେ ନୃସିଂହ ଦେବ ଅବସ୍ଥାନ କରିଛନ୍ତି । ମନ୍ଦିର ସମ୍ମୁଖରେ ଦୁଇଟି ସିଂହ ବିରାଜମାନ କରିଛନ୍ତି । ଛାୟା ମାୟାଙ୍କ ସହ ଦଶମହାବିଦ୍ୟା ଦେବୀ ପୂଜା ପାଉଛନ୍ତି । ମାଙ୍କ ଦୈନନ୍ଦିନ ନୀତି ମଧରେ ଦ୍ବାରଫିଟା,ସ୍ନାନ, ମଙ୍ଗଳାଆଳତି, ହେବା ସହ ବାଳଭୋଗରେ ଖଇକୋରା ଫଳମୂଳ ଓ ମଧ୍ଯାହ୍ନ ଧୂପରେ ଖେଚୁଡି ଭୋଗ କରାଯାଉଛି । ସଂଧ୍ଯା ଆଳତି ପରେ ପୂଜକ ପହୁଡ ପକାଇ ଗ୍ରାମକୁ ଫେରୁଛନ୍ତି । ଏହା ଏକ ଦର୍ଶନୀୟ ଓ ମନୋରମ ସ୍ଥାନ ହୋଇଥିବା ବେଳ ଆଖପାଖ ଗ୍ରାମ ସମେତ ବ୍ରହ୍ମଗିରି ଓ ପୁରୀ ଅଞ୍ଚଳର ଯୁବକ ମାନେ ସେଠାରେ ଭୋଜିଭାତ କରୁଥିବା ଦେଖିବାକୁ ମିଳୁଛି । ମନ୍ଦିର ପାଖରେ ମାଙ୍କ ରୋଷଘର ଓ ଦୁଇଟି ପୁଷ୍କରିଣୀ ରହିଛି । ମନ୍ଦିରର ଉନ୍ନତି, ରାସ୍ତାଘାଟ ଉନ୍ନତିକରଣ, ମନ୍ଦିର ଚାରିପଟେ ପାଚେରି ଓ ପ୍ରସାଦ ସେବନ ଗୃହ ସହ ଯଜ୍ଞ ମଣ୍ଡପ ନିର୍ମାଣ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।
