ପଠାଣି ସାମନ୍ତ ପ୍ଲାନେଟୋରିୟମରେ ଗ୍ରହପୁଞ୍ଜ ପ୍ୟାରେଡ୍ ଦେଖିବାକୁ ଭିଡ଼

ପଠାଣି ସାମନ୍ତ ପ୍ଲାନେଟୋରିୟମରେ ଗ୍ରହପୁଞ୍ଜ ପ୍ୟାରେଡ୍ ଦେଖିବାକୁ ଭିଡ଼ ଭୁବନେଶ୍ଵର-୨୪.୦୧.୨୦୨୫ସୌର ଜଗତର ମଙ୍ଗଳ, ଶୁକ୍ର, ବୃହସ୍ପତି, ଶନି, ନେପଚୁନ୍ ଓ ୟୁରେନସ୍ ସମେତ ୬ଟି ଗ୍ରହଙ୍କୁ ନେଇ ବିରଳ ମହାଜଗତିକ ଦୃଶ୍ୟ ଦେଖିବାକୁ ପଠାଣି ସାମନ୍ତ ପ୍ଲାନେଟାରିୟମରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହି ଦୃଶ୍ୟ ସନ୍ଧ୍ୟା ସମୟରେ ଅତ୍ୟନ୍ତ ମନୋରମ ।ଏହାକୁ ଦେଖିବାକୁ ଲୋକ ମାନଙ୍କ ମଧ୍ୟରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଏହି ଗ୍ରହଗୁଡ଼ିକ ଏକ ସରଳ ରେଖାରେ ରହିବା ଦ୍ୱାରା ଆକାଶରେ ଏକ ସୁନ୍ଦର ଦୃଶ୍ୟ ସୃଷ୍ଟି ହେଉଛି । ପଠାଣି ସାମନ୍ତ ପ୍ଲାନେଟୋରିୟମଠାରେ ଟେଲିସ୍କୋପ ମାଧ୍ୟମରେ ବିଭିନ୍ନ ଗ୍ରହକୁ ଦେଖିବା ପାଇଁ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି ।

ବିଜ୍ଞାନ ଓ ବୈଷୟିକ ବିଭାଗ ପକ୍ଷରୁ ଏଥିପାଇଁ କରାଯାଇଥିବା ବ୍ୟବସ୍ଥା ଦ୍ୱାରା ମଙ୍ଗଳ, ଶୁକ୍ର, ବୃହସ୍ପତି, ଶନି, ନେପଚୁନ୍ ଓ ୟୁରେନସ୍ ଗ୍ରହକୁ ମହାକାଶରେ ଦେଖି ସେମାନେ ଖୁସି ବ୍ୟକ୍ତ କରୁଛନ୍ତି । ନିଜ କକ୍ଷପଥରେ ଘୂରି ବୁଲୁଥିବା ଏହି ଗ୍ରହଗୁଡ଼ିକ ବର୍ତ୍ତମାନ ଗୋଟିଏ ଧାଡ଼ିରେ ଦିଶୁଛନ୍ତି। ଏହି ବିରଳ ମହାଜାଗତିକ ଦୃଶ୍ୟକୁ କିପରି ସୁବିଧାରେ ଦେଖିହେବ ଏଥିପାଇଁ ପ୍ଲାନେଟୋରିୟମ ପରିସରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସୋମବାର ବ୍ୟତୀତ ଜାନୁଆରି ୩୧ ପର୍ଯ୍ୟନ୍ତ ସନ୍ଧ୍ୟା ୫.୩୦ରୁ ୭.୩୦ ପର୍ଯ୍ୟନ୍ତ ଏହା ଜାରି ରହିବ। ମଙ୍ଗଳ, ଶୁକ୍ର, ବୃହସ୍ପତି ଏବଂ ଶନି ଗ୍ରହ ଏକ ସରଳରେଖାରେ ରହି ସୁନ୍ଦର ଦୃଶ୍ୟ ସୃଷ୍ଟି କରିଛନ୍ତି ଏବଂ ଏଗୁଡିଙ୍କୁ ଖାଲି ଆଖିରେ ଦେଖିହେଉଛି । ସେହିଭଳି ଦୂରବୀକ୍ଷଣ ଏବଂ ଟେଲିସ୍କୋପ୍ ମାଧ୍ୟମରେ ନେପଚୁନ୍ ଏବଂ ୟୁରେନସ୍ ଦୃଶ୍ୟମାନ ହେଉଛନ୍ତି । ଏହି ଗ୍ରହପୁଞ୍ଜ ପ୍ୟାରେଡ ଦେଖିବାକୁ ୪ଟି ଟେଲିସ୍କୋପର ବ୍ୟବସ୍ଥା କରାଯାଇଛି । ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଥିବା ଭାରପ୍ରାପ୍ତ ନିର୍ଦ୍ଦେଶିକା ଶ୍ରୀମତୀ ଉର୍ମିପ୍ରଭା ମହାରଣା କହିଛନ୍ତି ।

Leave a Reply

Your email address will not be published. Required fields are marked *