ପିପିଲି,ନିମାପଡା ଏବଂ ଗୋପରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ମାରାଥନ କାର୍ଯ୍ୟକ୍ରମ

ସୋଳପୁର ଠାରେ ମା’ ଚର୍ଚ୍ଚିକାଙ୍କ ଆଶୀର୍ବାଦ ନେଲେ – ବିଭିନ୍ନ ଅଂଚଳରେ ଜଳ ସମ୍ପଦ ବିଭାଗ ଏବଂ ଗ୍ରାମ୍ୟ ବିକାଶ ବିଭାଗର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ – ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଚଅଁରପଦା ଗସ୍ତରେ ଯାଇ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ ସହିତ ଆଲୋଚନା 31/01/2025,ଭୁବନେଶ୍ୱର: ଆଜି ମାନ୍ୟବର ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକଙ୍କ ସହ ପିପିଲି ସ୍ଥିତ ଗାଁପଡା ଅଞ୍ଚଳ ପରିଦର୍ଶନ କରି ଭବିଷ୍ୟତର ସମ୍ଭାବନା ଗୁଡିକୁ ଦୃଷ୍ଟିରେ ରଖି ସେଠାରେ ଏକ ଚାନ୍ଦୁଆ ଶିଳ୍ପ ଏବଂ ସଂସ୍କୃତି କେନ୍ଦ୍ରର ବିକାଶ ପାଇଁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ), ପୁରୀ, ଯୁଗ୍ମ ସଚିବ, ପର୍ଯ୍ୟଟନ ବିଭାଗ, ସବ୍-କଲେକ୍ଟର, ପୁରୀ, ତହସିଲଦାର, ପିପିଲି ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ।

ଏହା ପରେ ନିମାପଡାର ସାଇଁସ ଶାସନ ପଞ୍ଚାୟତର ଖିରିଖିଆ ଗ୍ରାମଠାରେ ଜଳସମ୍ପଦ ବିଭାଗ ଦ୍ଵାରା ୧ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟରେ କାର୍ଯ୍ୟକାରୀ ହେବାକୁ ଥିବା ୫ ଗୋଟି ପ୍ରକଳ୍ପର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ ନିମାପଡ଼ାର ନୂଆସନ୍ଥ ପଞ୍ଚାୟତର ଘୋଡକ ଛକ ଠାରେ ଗ୍ରାମ୍ୟ ବିକାଶ ବିଭାଗ ଦ୍ଵାରା ଦୁଇଟି ପ୍ରକଳ୍ପ ଯଥା ଗବକୁଣ୍ଡ ଠାରୁ ବଳଙ୍ଗା ରାସ୍ତାର ପ୍ରଶସ୍ତିକରଣ ଏବଂ ନିମାପଡ଼ା – ବଳଙ୍ଗା ରାସ୍ତାଠାରୁ ବେରୋବୋଇ ରାସ୍ତାର ମରାମତି କାର୍ଯ୍ୟର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଉପମୁଖ୍ୟମନ୍ତ୍ରୀ।ପରେ ନିମାପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳର ଡେଲ୍ଟା ଛକ ନିକଟରେ ଜଳ ସମ୍ପଦ ବିଭାଗ ଦ୍ଵାରା ୫ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ବ୍ୟୟରେ କାର୍ଯ୍ୟକାରୀ ହେବାକୁ ଥିବା ୬ ଗୋଟି ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।ଗୋପ ବ୍ଲକର ନାଗପୁର ପଞ୍ଚାୟତ ଅଧିନସ୍ଥ ସୋଳପୁର ଠାରେ ମା’ ଚର୍ଚ୍ଚିକାଙ୍କ ଦର୍ଶନ କରି ମା’ଙ୍କ ପାଖରେ ରାଜ୍ୟବାସୀ ଏବଂ ସ୍ଥାନୀୟ ଜନ ସାଧାରଣଙ୍କ ମଙ୍ଗଳ କାମନା କରିବା ସହ ସୋଳପୁର ଛକ ନିକଟରେ ଜଳ ସମ୍ପଦ ବିଭାଗ ଦ୍ଵାରା ୪ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ କାର୍ଯ୍ୟକାରୀ ହେବାକୁ ଥିବା ୭ ଗୋଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଉପମୁଖ୍ୟମନ୍ତ୍ରୀ । ପରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଚଅଁରପଦା ଗସ୍ତରେ ଯାଇ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ବୃନ୍ଦଙ୍କ ସହିତ ଅନୁଷ୍ଠାନର ଶିକ୍ଷାଦାନ, ପରିଚାଳନା ଏବଂ ସମସ୍ୟା ଗୁଡ଼ିକ ଉପରେ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *